ପିଲାଙ୍କ ପାଠପଢା ପ୍ରତି ସଚେତନତା ବଢିଛି । ବାପା-ମା’ ଶିକ୍ଷିତ ହୁଅନ୍ତୁ ବା ଅଶିକ୍ଷିତ, ସହରୀ ହୁଅନ୍ତୁ ବା ଗାଉଁଲି, ସମସ୍ତେ ନିଜ ପିଲାଙ୍କୁ ଭଲ ସ୍କୁଲରେ ଭଲ ପାଠ ପଢାଇବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ନିଜର ସବୁକିଛି ଦେଇ ପିଲାଙ୍କ ପାଠ ପଢିବାର ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି, ପାଠପଢା ପିଲାଙ୍କ ପାଇଁ ବୋଝ ହୋଇଯାଉଛି । ଅଭିଭାବକ ପିଲାଙ୍କ ଉପରେ ପାଠକୁ ଏମିତି ଲଦି ଦେଉଛନ୍ତି ଯେ ଏଥିରେ ସାମାନ୍ୟ ବିଫଳତା ସେମାନଙ୍କ ମଧ୍ୟରେ ହତାଶ ଭାବ ସୃଷ୍ଟି କରୁଛି । ଅନେକ ଶିକ୍ଷାବିଦଙ୍କ କହିବା କଥା, ଆମ ପାଠପଢା ଶୈଳୀରେ ପରିବର୍ତ୍ତନ ଆସିବା ଜରୁରୀ । ଏଠି ପ୍ରଶ୍ନ, ପାଠପଢାକୁ ନେଇ ସବୁଦେଶରେ କ’ଣ ଏମିତି ସ୍ଥିତି ସୃଷ୍ଟି ହେଉଛି ? ନା କେବଳ ଆମ ଦେଶରେ ? ଭାରତ ଯଦି ତାର ପାଠପଢା ଶୈଳୀରେ ପରିବର୍ତ୍ତନ ଆଣିବ ତେବେ କେଉଁ ଦେଶକୁ ଅନୁସରଣ କରିବ ?
କହିବାକୁ ଗଲେ ସବୁ ଦେଶରେ ପାଠପଢା ଶୈଳୀ ଭିନ୍ନ । ସବୁ ଦେଶରେ ପାଠପଢାକୁ ନେଇ ଅଲଗା ନିୟମ ରହିଛି । କେତେକ ଦେଶର ଏଡୁକେଶନ ସିଷ୍ଟମ ଏମିତି ଯାହା ପିଲାଙ୍କୁ ଦୈନନ୍ଦିନ ଜୀବନ ପାଇଁ ପ୍ରସ୍ତୁତ କରେ । ଅନ୍ୟକେତେକ ଦେଶରେ ପାଠପଢା ଶୈଳୀ କେବଳ ଏକାଡେମିକ ଉପରେ ଗୁରୁତ୍ୱ ଦେଇଥାଏ । ପ୍ରତ୍ୟକ ସ୍କୁଲ ନିଜ ଦେଶର ଗାଇଡଲାଇନ ଅନୁସାରେ ତାର ନିମୟ, ଶିକ୍ଷା ପ୍ରଣାଳୀ ସ୍ଥିର କରିଥାଏ । ତେବେ ଗୋଟିଏ ଜିନିଷ ସବୁଦେଶରେ ସମାନ ଦେଖିବାକୁ ମିଳିଥାଏ । ତାହା ହେଲା ପାଠପଢାର ସମୟ । ସବୁ ଦେଶରେ ଅଧିକାଂଶ ସ୍କୁଲ ସମୟ ୫ରୁ ୮ ଘଣ୍ଟା ଥାଏ । ଆସନ୍ତୁ ଜାଣିବା, ରୁଷ, ଆମେରିକା, କୋରିଆ, ଜାପାନ ପରି ଦେଶର ପାଠପଢା ଶୈଳୀ ଭାରତ ଠାରୁ କେତେ ଅଲଗା ?
Also Read
ରୁଷର ପାଠପଢା ଶୈଳୀ
ସ୍କୁଲରେ ପାଠ ପଢାର ଅବଧି: ରୁଷୀୟ ସ୍କୁଲରେ ସାଧାରଣତଃ ପାଠପଢାର ଅବଧି ୪ରୁ ୫ ଘଣ୍ଟା ରଖାଯାଇଥାଏ । ପ୍ରତ୍ୟେକ କ୍ଲାସ ପାଇଁ ୪୫ ମିନିଟ ଧାର୍ଯ୍ୟ କରାଯାଇଥାଏ । ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରେ ସପ୍ତାହରେ ୫ ଦିନ ପାଠ ପଢା ହୋଇଥାଏ ।
ପାଠପଢା ଶୈଳୀ: ରୁଷର ପାଠପଢା ଶୈଳୀ ଜାତୀୟ ସ୍ତରରେ ଧାର୍ଯ୍ୟ ହୋଇଥାଏ । ଏଥିରେ ପାଠ୍ୟକ୍ରମ ଏବଂ ପରୀକ୍ଷା (ଯେମିତି ରାଜ୍ୟ ସ୍ତରୀୟ ପରୀକ୍ଷା ) ଯାହାହୁଏ ସବୁ ଜାତୀୟ ସ୍ତରରେ ନିର୍ଦ୍ଧାରିତ ହୋଇଥାଏ । ଏଠାରେ ପ୍ରାଥମିକ ଶିକ୍ଷା ୪ ବର୍ଷ, ଲୋୟର ସେକେଣ୍ଡାରୀ ୫ ବର୍ଷ ଏବଂ ହାୟର ସେକେଣ୍ଡାରୀ ୨ ବର୍ଷର ହୋଇଥାଏ । ଏଠାରେ STEM ସବଜେକ୍ଟ ଯେମିତି ସାଇନ୍ସ, ଟେକ୍ନୋଲଜି, ଇଞ୍ଜିନିୟରିଂ ଏବଂ ମ୍ୟାଥମାଟିକ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯାଥାଏ । ଏଥସହିତ ଏକ ଶୃଙ୍ଖଳିତ ପରିବେଶକୁ ମଧ୍ୟ ପ୍ରାଧାନ୍ୟ ଦିଆ ଯାଇଥାଏ ।
ଭାରତ ସହ ତୁଳନା କଲେ ଏଠାରେ ସ୍କୁଲ ଅବଧି ସାଧାରଣତଃ ୬ରୁ ୭ ଘଣ୍ଟା ରଖାଯାଇଥାଏ । ରୁଷ ପରି ଆମ ଶିକ୍ଷା ବ୍ୟବସ୍ଥା କେନ୍ଦ୍ରୀକୃତ ନୁହେଁ । ଏଠାରେ CBSE, ICSE ସହ ରାଜ୍ୟ ବୋର୍ଡ ମଧ୍ୟ ରହିଛି ।
ଜାପାନର ପାଠପଢା ଶୈଳୀ
ସ୍କୁଲରେ ପାଠ ପଢାର ଅବଧି: ଭାରତ ପରି ଜାପାନୀ ସ୍କୁଲରେ ମଧ୍ୟ ୬ରୁ ୭ ଘଣ୍ଟା ପାଠପଢା ହୁଏ । ଏଠାରେ ସ୍କୁଲ ସମୟ ୮.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ଯାଏ ଚାଲେ । ଏହାପରେ କ୍ଲବ ଆକ୍ଟିଭିଟିଜ କିମ୍ବା ଏକ୍ସଟ୍ରା କ୍ଲାସ ବି ରଖାଯାଏ । ଏଠାରେ ଶିକ୍ଷା ବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚରେ ସରିଥାଏ । ପୂରା ବର୍ଷକୁ ୩ଟି ଟର୍ମରେ ବଣ୍ଟା ଯାଇଥାଏ ।
ପାଠପଢା ଶୈଳୀ:ଜାପାନର ପାଠପଢା ଶୈଳୀ କଠିକ କିନ୍ତୁ ସାଧାରଣ। ଏଠାରେ ଗଣିତ, ବିଜ୍ଞାନ ସହ ଜାପାନୀ ଏବଂ ଇରାଜୀ ଭାଷା ଉପରେ ଅଧିକ ଗୁରତ୍ୱ ଦିଆଯାଏ । ସ୍କୁଲ ୟୁନିଫର୍ମ, ବିଭିନ୍ନ ଆକ୍ଟିଭିଟିଜ (ଯେମିତି କ୍ଲାସ ରୁମରେ ଏକାଠି ବସି ଭୋଜନ କରିବା), ନୈତିକ ଶିକ୍ଷା ପରି ଜିନିଷ ଏଠାରେ ବାଧ୍ୟତାମୂଳକ । ଏହି ଦେଶର ପ୍ରବେଶ ପରୀକ୍ଷାର ନାମ ହେଉଛି ନ୍ୟାସନାଲ ସେଣ୍ଟର ଟେଷ୍ଟ ଫର୍ ୟୁନିଭର୍ସିଟି ଆଡମିସନ ।
ଭାରତ ସହ ତୁଳନା କଲେ ଦେଖିବାକୁ ମିଳେ, ଦୁଇ ଦେଶର ସ୍କୁଲ ଅବଧି ସମାନ । ଜାପାନରେ କମ୍ୟୁନିଟି ଏବଂ ଅନୁଶାସନ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଭାରତୀୟ ସ୍କୁଲରେ ବ୍ୟକ୍ତିଗତ ଅଭିବ୍ୟକ୍ତି ଏବଂ ବିବିଧ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଏ । ଜାପାନରେ ସମାନତା ଏବଂ ସାମାଜିକ ସମନ୍ୱୟ ଉପରେ ଗୁରୁତ୍ୱ ଦିଆ ଯାଇଥାଏ ।
ଆମେରିକାର ପାଠପଢା ଶୈଳୀ
ସ୍କୁଲରେ ପାଠପଢା ଅବଧି: ଆମେରିକା ସ୍କୁଲଗୁଡିକରେ ସାଧାରଣତଃ ସାଢେ ୬ ଘଣ୍ଟାରୁ ୭ ଘଣ୍ଟା ରହିଛି ପାଠପଢାର ଅବଧି । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏ ପାଠପଢା ହୁଏ । ସ୍କୁଲର ଶିକ୍ଷାବର୍ଷ ଅଗଷ୍ଟ/ସେପ୍ଟେ;ମ୍ବରରୁ ମେ/ଜୁନ ଯାଏ ଚାଲେ । ଏହି ଛୁଟି ମଧ୍ୟରେ ଖରାଦିନର ଦୀର୍ଘକାଳୀନ ଛୁଟି ବି ଥାଏ ।
ପଢାଶୈଳୀ: ଆମେରିକାର ଶିକ୍ଷା ପ୍ରଣାଳୀ ଡିସେଣ୍ଟ୍ରାଲାଇଜଡ । ଅର୍ଥାତ ପ୍ରତ୍ୟେକ ରାଜ୍ୟ ନିଜ ନିଜ ପାଠ୍ୟକ୍ରମ ଏବଂ ମାନ ନିଜେ ନିର୍ଦ୍ଧାରିତ କରନ୍ତି । ପାଠ୍ୟକ୍ରମରେ ଖେଳ, କଳା ଏବଂ ଅନ୍ୟାନ୍ୟ ବିକଳ୍ପ ବିଷୟ ଉପରେ ଗୁରୁତ୍ୱ ଦିଆଯାଏ । କଲେଜରେ ନାମ ଲେଖାଇବାକୁ ହେଲେ SAT/ACT ବା ଷ୍ଟାଣ୍ଡାର୍ଡାଇଜ୍ଡ ଟେଷ୍ଟ ପାସ କରିବା ବାଧ୍ୟତାମୂଳକ ଅଟେ । ଭାରତ ସହ ତୁଳନା କଲେ ଆମେରିକାର ପାଠପଢା ଅବଧି ପ୍ରାୟ ସମାନ । ହେଲେ ଆମେରିକା ପାଠ୍ୟକ୍ରମରେ ଅଧିକ ଫ୍ଲେକ୍ସିବିଲିଟି ଏବଂ ବୈକଳ୍ପିକ ବିଷୟ ରହିଛି । ଭାରତରେ ପିଲାମାନଙ୍କ ଉପରେ ଶୈକ୍ଷିକ ଚାପ ଅଧିକ ଥାଏ । ଏଠାରେ ପିଲାମାନଙ୍କ ସ୍ମୃତି ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ହେଲେ ଆମେରିକାରେ ପିଲାଙ୍କର ପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱ ଦିଆଯାଏ । ଏହି ବିକାଶରେ ଖେଳ, କଳାକୁ ମଧ୍ୟ ସାମିଲ କରାଯାଇଥାଏ ।
ଦକ୍ଷିଣ କୋରିଆର ପାଠପଢା ଶୈଳୀ
ସ୍କୁଲରେ ପାଠପଢାର ଅବଧି: ଦକ୍ଷିଣ କୋରିଆ ସ୍କୁଲରେ ପାଠପଢା ଅବଧି ସବୁଠାରୁ ଅଧିକ । ଏଠାରେ ପିଲାମାନେ ୧୨ରୁ ୧୩ ଘଣ୍ଟା ପଢନ୍ତି । ଅର୍ଥାତ ସ୍କୁଲ ସମୟ ସକାଳ ୮ଟାରୁ ରାତି ୯ଟା କିମ୍ବା ୧୦ଟା ଯାଏ ରଖା ଯାଇଥାଏ । ଏଥିରେ ସ୍କୁଲର ନିୟମିତ କ୍ଲାସ ସମେତ ବ୍ୟକ୍ତିଗତ ଟ୍ୟୁସନ (ଯାହାକୁ କୋରିଆ ଭାଷାରେ ହ୍ୟେଗଭୋନ ବୋଲି କହନ୍ତି ) ମଧ୍ୟ ସାମିଲ ରହିଛି ।
ପଢାଶୈଳୀ: କୋରିଆର ପାଠପଢା ଶୈଳୀ ଅଧିକ ପ୍ରତିଯୋଗିତାମୂଳକ ଏବଂ ପରୀକ୍ଷା କୈନ୍ଦ୍ରିକ ଅଟେ । ଏଥିରେ କଲେଜ ସ୍କଲାର୍ଶିପ, ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଏକ୍ଜାମ ଜରୁରୀ ଅଟେ । ଏଠାରେ ପ୍ରାଥମିକ ଶିକ୍ଷା ଅବଧି ୬ ବର୍ଷ, ମିଡିଲ ସ୍କୁଲ ଅବଧି ୩ ବର୍ଷ, ହାଇସ୍କୁଲର ପାଠପଢା ଅବଧି ୩ ବର୍ଷ ରହିଛି । ନୈତିକ ଶିକ୍ଷା, କୋରିଆନ ଭାଷା ଶିକ୍ଷା ଏବଂ ଗଣିତ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ ।
ଭାରତୀୟ ଶିକ୍ଷା ବ୍ୟବସ୍ଥା ସହ ତୁଳନା କଲେ ଦେଖାଯାଏ, ଏଠାରେ ପାଠପଢାର ଅବଧି ଭାରତଠାରୁ ଯଥେଷ୍ଟ ଅଧିକ । ପାଠପଢାର ଚାପ ଏ ଦେଶରେ ମଧ୍ୟ ଅଧିକ । ତେବେ ଭାରତରେ ଘରୋଇ ଟ୍ୟୁଶନ ଏକ ସାଧାରଣ କଥା । ହେଲେ ଦକ୍ଷିଣ କୋରିଆରେ ଘରୋଇ ଟ୍ୟୁସନ ସିଷ୍ଟମ ବା ହ୍ୟେଗବୋନ ଖୁବ ଶୃଙ୍ଖଳିତ ଓ ବ୍ୟବସ୍ଥିତ । କୋରିଆରେ ସିଙ୍ଗଲ ଜେଣ୍ଡର ସ୍କୁଲ ଅଧିକ ହେଲେ ଭାରତରେ କୋ-ଏଡୁକେଶନ ସୁବିଧା ବେଶି ରହିଛି ।
ଚୀନରେ ପାଠପଢା ଶୈଳୀ
ସ୍କୁଲରେ ପାଠପଢାର ଅବଧି: ଚୀନ ସ୍ମୁଲରେ ସାଧାରଣତଃ ୮ରୁ ୧୦ ଘଣ୍ଟା ପାଠପଢା ଯାଏ । ସକାଳ ୭.୩୦ରୁ କ୍ଲାସ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶେଷ ହୁଏ । ମଧ୍ୟାହ୍ନରେ ଏକ ଲମ୍ବା ବ୍ରେକ ମିଳିଥାଏ । ପିଲାମାନେ ଅଲଗା ଟ୍ୟୁଶନ କିମ୍ବା ହୋମୱର୍କ ପାଇଁ ଚାହିଁଲେ ଅଧିକ ସମୟ ରହି ପଢିପାରିବେ । ଏଠାରେ ଶିକ୍ଷାବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଜୁନ ଯାଏ ଚାଲେ । ପୂରା ଶିକ୍ଷାବର୍ଷକୁ ୨ଟି ସେମିଷ୍ଟରରେ ବିଭକ୍ତ କରାଯାଇଥାଏ ।
ପଢାଶୈଳୀ: ଚୀନ ପାଠପଢା ଶୈଳୀ ଅଧିକ ସେଣ୍ଟ୍ରାଲାଇଜ୍ଡ ଏବଂ ପ୍ରତିଯୋଗିତାମୂଳକ । ଏଠାରେ ରାଷ୍ଟ୍ରୀୟ କଲେଜ ପ୍ରବେଶ ପରୀକ୍ଷା ଯାହାକୁ ଚୀନ ଭାଷାରେ ଗୋଓକାଓ କହନ୍ତି, ଖୁବ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଅଟେ । ଏଠାରେ ଗଣିତ ଓ ବିଜ୍ଞାନ ଉପରେ ବେଶି ଗୁରୁତ୍ୱ ଦିଆଯାଏ । ୨୦୨୪ରେ ବେଜିଂ ସ୍କୁଲରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଷକୁ ୮ ଘଣ୍ଟା AI କୋର୍ସ କରିବା ବାଧ୍ୟତାମୂଳକ କରାଯାଇଥିଲା ।
ଭାରତ ସହ ତୁଳନା କଲେ ଜଣାଯାଏ, ଚୀନ ସ୍କୁଲର ପାଠପଢା ଅବଧି ଭାରତଠାରୁ ଅଧିକ ଅଟେ । ଉଭୟ ଦେଶରେ ପିଲାଙ୍କ ଉପରେ ପାଠର ଚାପ ରହିଛି । ହେଲେ ଚୀନର ସେଣ୍ଟ୍ରାଲାଇଜଡ ଏବଂ ରାଷ୍ଟ୍ରୀୟ ପରୀକ୍ଷାର ପ୍ରଭାବ ଭାରତର ବୋର୍ଡ ପରୀକ୍ଷାଠାରୁ ଅଧିକ ଅଟେ । ଭାରତରେ ଏକାଧିକ ବୋର୍ଡ ଯେମିତି CBSE, ICSE ଥିବାବେଳେ ଚୀନରେ ଗୋଟିଏ ବୋର୍ଡ ଅଧିନରେ ସବୁ ସ୍କୁଲ ପରିଚାଳିତ ହୋଇଥାଏ ।
ଭାରତୀୟ ସ୍କୁଲ ଓ ପାଠପଢା ଶୈଳୀ
ଭାରତୀୟ ସ୍କୁଲମାନଙ୍କରେ ସାଧାରଣତଃ ୬ରୁ ୭ ଘଣ୍ଟା ପାଠପଢା ହୋଇଥାଏ । ସ୍କୁଲ ପ୍ରାୟ ସକାଳ ୮ଟାରୁ ୨ଟା କିମ୍ବା ୩ଟା ଯାଏ ଚାଲିଥାଏ । କେତେକ ସ୍କୁଲରେ ମଧ୍ୟାହ୍ନ ସିଫ୍ଟ ମଧ୍ୟ ହୋଇଥାଏ । ଏଠାରେ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚ ଯାଏ ଚାଲିଥାଏ । ଏଥିରେ ଖରଛୁଟି ବି ସାମିଲ ହୋଥଇଥାଏ।
ସେହିପରି ପଢାଶୈଳୀ ବିବିଧ ଅଟେ । ଅର୍ଥାତ ସେଣ୍ଟ୍ରାଲାଇଜଡ ନୁହେଁ । ଏଠାରେ CBSE, ICSE ସମେତ ରାଜ୍ୟ ବୋର୍ଡ ବି ରହିଛି । ଭାରତରେ ଏକାଡେମିକ କ୍ୟାରିଅର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଗଣିତ, ବିଜ୍ଞାନ ଏବଂ ଭାଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ୧୦ମ ଓ ଦ୍ୱାଦଶରେ ବୋର୍ଡ ପରୀକ୍ଷା ଥାଏ । ଭାରତରେ JEE, NEET ପରି ପ୍ରବେଶିକା ପରୀକ୍ଷା ବେଶ ମହତ୍ୱପୂର୍ଣ୍ଣ ଅଟେ । ଏଠାରେ ଘରୋଇ ଟ୍ୟୁଶନ ଏକ ସାଧାରଣ କଥା ।
ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସ୍କୁଲ ଯିବାକୁ ହେଲେ ୟୁନିଫର୍ମ ବାଧ୍ୟତାମୂଳକ ଅଟେ । ହେଲେ ଅନୁଶାସନ ଏବଂ କମ୍ୟୁନିଟି ଆକ୍ଟିଭିଟି ଜାପାନ କିମ୍ବା କୋରିଆ ପରି କଡାକଡ଼ି ନୁହେଁ । ଏଠାରେ ଖେଳ ଓ କଳା ଉପରେ କମ ଧ୍ୟାନ ଦିଆଯାଏ । ପାଠପଢାର ଚାପ ଦୃ୍ଷ୍ଟିରୁ ଦେଖିଲେ, କୋରିଆ ଓ ଜାପାନରେ ପ୍ରବେଶିକା ପରୀକ୍ଷାର ଚାପ ଭାରତ ତୁଳନରେ ଅଧିକ ରହିଛି । ହେଲେ ଅନ୍ୟ ଦେଶ ତୁଳନାରେ ଆମେରିକାରେ ପିଲାର ସାମଗ୍ରିକ ବିକାଶ ଉପରେ ଅଧିକ ଫୋକସ କରାଯାଇଥାଏ । ରୁଷରେ ପାଠପଢା ଚାପ ମଧ୍ୟମ ଧରଣର ଅଟେ ।
ସେହିପରି ଜାପାନ ଓ କୋରିଆରେ ସାମୁଦାୟିକ ଏବଂ ନୈତିକ ଶିକ୍ଷା ଉପରେ ଜୋର ଦିଆ ଯାଇଥାଏ । ହେଲେ ଭାରତରେ ସେପରି ନ ଥାଏ । ଆମେରିକାରେ ବ୍ୟକ୍ତିଗତ ଅଭିବ୍ୟକ୍ତିକୁ ବେଶି ପ୍ରୋତ୍ସାହନ ମିଳିଥାଏ।