• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ମିଡିଆ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଙ୍ଗଳବାର ଦିନ ଲିଞ୍ଚିଂ ଉପରେ ତାଙ୍କର ନୂତନ ଟ୍ୱିଟକୁ ନେଇ ପ୍ରଶ୍ନ କରିଥିଲେ ଗଣମାଧ୍ୟମର କିଛି ପ୍ରତିନିଧି । ହେଲେ ପ୍ରଶ୍ନର ଉତ୍ତର ଦେବା ବଦଳରେ ମିଡିଆକୁ ଭର୍ସନା କରିବା ସହ ସାମ୍ବାଦିକଙ୍କୁ ସରକାରଙ୍କ ଏଜେଣ୍ଟ ଭାବରେ କାମ ବନ୍ଦ କରିବାକୁ ସେ କହିଛନ୍ତି । ରାହୁଲଙ୍କୁ ଦିଲ୍ଲୀର ବିଜୟ ଚୌକରେ କିଛି ପ୍ରଶ୍ନ କରିଥିଲେ ସାମ୍ବାଦିକ । ହେଲେ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିପାଚି ଲାଲ୍ ହୋଇଯାଇଥିଲେ  ଏବଂ ସରକାରଙ୍କ ଦଲାଲୀ ନକରିବାକୁ ସାମ୍ବାଦିକଙ୍କୁ କହିଥିଲେ ।

୨୦୧୪ ପୂର୍ବରୁ 'ଲିଞ୍ଚିଂ' ଶବ୍ଦ ଶୁଣାଯାଉ ନଥିଲା ବୋଲି ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ, ରାହୁଲ ଗାନ୍ଧୀ  ପୂର୍ବରୁ ମଧ୍ୟ ଗଣମାଧ୍ୟମଙ୍କୁ ଟାର୍ଗେଟ କରି ସରକାରଙ୍କ ସପକ୍ଷରେ କାମ କରୁଥିବା ଅଭିଯୋଗ କରିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ କଂଗ୍ରେସ ସାଂସଦ ତିନି ଥର ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ।

ସୋମବାର ଦିନ ଜଣେ ସାମ୍ବାଦିକ ସରକାରଙ୍କ ପକ୍ଷରୁ ରଖାଯାଇଥିବା ବିବୃତି ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ । ଗୃହ କାର୍ଯ୍ୟ ଚାଲି ପାରୁନଥିବା ନେଇ ବିରୋଧୀଙ୍କୁ ଦାୟୀ କରିଥିଲେ କେନ୍ଦ୍ର ସରକାର । ଆଉ ଏନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେତେବେଳେ ବି ରାହୁଲ ଗାନ୍ଧୀ ପ୍ରବଳ ଜୋରରେ ରାଗି ଯାଇଥିଲେ । ଆଉ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ, "ତୁମେ ସରକାର ପାଇଁ କାମ କରୁଛ କି?"

ଗଣମାଧ୍ୟମ ବିରୋଧୀଙ୍କ ସ୍ୱରକୁ ଦମନ କରୁଥିବା ନେଇ ରବିବାର ଦିନ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ । ଅନେକ ମିଡିଆ ବନ୍ଧୁ କେବଳ ଜଣେ ବ୍ୟକ୍ତିଙ୍କ ଚେହେରାକୁ ସାମ୍ନାକୁ ଆଣୁଛନ୍ତି । ତାଙ୍କ ଭାବମୂର୍ତ୍ତିକୁ ସ୍ୱଚ୍ଛଳ କରିବା ପରି ଖବର ପ୍ରସାରଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହା ଅତ୍ୟନ୍ତ ଦୁଃଖଦ । କିଛି ଏପରି ମିଡିଆ ବନ୍ଧୁଙ୍କ ପାଇଁ ବିରୋଧୀଙ୍କ ସ୍ୱର ଜନତା ପର୍ଯ୍ୟନ୍ତ ପହଞ୍ଚିପାରୁନି । ଯାହା ଠିକ୍ ଭାବୁଛ ତାହା କର, କିନ୍ତୁ ଯଦି ତୁମ ବିରୋଧରେ ଅନ୍ୟାୟ କିମ୍ବା ହିଂସା ହୁଏ, ତେବେ ମୁଁ ଅତୀତରେ ତୁମ ସହିତ ଯେପରି ଥିଲି, ଭବିଷ୍ୟତରେ ମଧ୍ୟ ରହିବି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।