• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୋଲା ଆକାଶ, ହାଡ଼ଭଙ୍ଗା ଜାଡ଼ । ମଣ୍ଡିରେ ଧାନ ଜଗି, ପଡ଼ିଛି ଚାଷୀ । ଶୀତ ରାତିରେ ଚାଷୀ ଯନ୍ତ୍ରଣାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଛି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ । ପଶ୍ଚିମ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲା ମନାପଡ଼ା ମାର୍କେଟ ୟାର୍ଡରେ ଥାକ ମରା ହୋଇ ଥୁଆ ହୋଇଛି ହଜାର ହଜାର ବସ୍ତା ଧାନ । କେବେ ଉଠିବ କାହାକୁ ଜଣା ନାହିଁ । ଏଣେ ମଣ୍ଡିକୁ ଧାନ ଧରି ଆସିଥିବା ଚାଷୀଙ୍କ ଭିତରୁ କିଏ ଶୋଇନପାରି ନିଆଁ ଜାଳି ରାତି ଉଜାଗର ହୋଇ ବସିଛି, ତ ପୁଣି କିଏ ସେଇ ଧାନ ବସ୍ତା ଉପରେ କିଛି ଘଣ୍ଟା ପତଳା ଚାଦର ଖଣ୍ଡେ ଘୋଡ଼େଇ ହୋଇ ବିଶ୍ରାମ ନେଉଛି ।

ସୂଚନା ଅନୁସାରେ ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି । ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକ ଧାନ ଉଠାଉନଥିବାରୁ ହୀନସ୍ତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ମଣ୍ଡି ଦୁଃସ୍ଥିତିର ସମାନ ଚିତ୍ର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡାଲଗୁମାରେ ମଧ୍ୟ ଦେଖିବାକୁ ମିଳିଛି । ଏଠି ବି ମଣ୍ଡିରେ ରାତିବେଳେ ଅସହ୍ୟ ଶୀତରେ କଲବଲ ହେଉଛି ଚାଷୀ । ଟୋକନ ପାଇ ମଣ୍ଡିକୁ ଧାନ ନେଇ ଆସିଛନ୍ତି । ହେଲେ ସରକାରୀ ଷ୍ଟୋରେଜ୍ ଅଭାବରୁ କେବଳ ମିଲର୍ସଙ୍କ ଉପରେ ଭରସା । ମିଲର୍ସଙ୍କ ମନ ମୁତାବକ ଗାଡ଼ି ଧାନ ନେବାକୁ ଆସୁଛି, ତେଣୁ କେତେବେଳେ କାହା ଧାନ ଉଠିବ ତାକୁ ନେଇ ବି ସନ୍ଦିହାନ ସ୍ଥିତିରେ ଅନ୍ନଦାତା ।

 

ସେପଟେ ଏଯାଏଁ ମଣ୍ଡି ଖୋଲିନଥିବାରୁ ଧାନ ବିକ୍ରିରେ ଦଲାଲଙ୍କ ଅନୁପ୍ରବେଶ ଭଳି ସ୍ଥିତି ଉପୁଜିଲାଣି । ଗଂଜାମ ଜିଲ୍ଲା ଆସ୍କାରେ ବାତ୍ୟା ଜଓ୍ୱାଦ୍ ଯୋଗୁଁ କ୍ଷତିଗ୍ରସ୍ତ ଜମିରୁ ଯାହା କିଛି ଧାନ, ଚାଷୀ ଅମଳ କରି ଆଣିଛି, ତାକୁ ଏବେ ଆଦାୟ କରିବାରେ ଲାଗିଛି । କେହି କେହି ଖଳାରେ ଅମଳ କରି ବସ୍ତାରେ ଭର୍ତ୍ତି କରି ସେଇଠି ସାଇତିବାରେ ଲାଗିଥିବା ବେଳେ ଆଉ କିଛି ନିଜ ଘର ଦୁଆରେ ଥାକ ମାରିଛନ୍ତି । କେବେ ମଣ୍ଡି ଖୋଲିବ ସେ ସୂଚନା ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ତେଣୁ ଏଭଳି ସ୍ଥିତିରେ ଦଲାଲ ସେମାନଙ୍କ ପାଖେ ପହଞ୍ଚିଯିବା ଅସମ୍ଭବ ନୁହେଁ ।

ସେପଟେ ଚାରିଆଡ଼େ ମଣ୍ଡି ଅବ୍ୟବସ୍ଥା ଭିତରେ ଗତକାଲି ସୁନ୍ଦରଗଡ଼ ପାନପୋଷ ସବଡିଭିଜନ୍ ଅନ୍ତର୍ଗତ ୪ଟି ବ୍ଲକ ଯଥାକ୍ରମେ ବିଶ୍ରା, ନୂଆଗାଁ, ଲାଠିକଟା ଓ କୁଆଁରମୁଣ୍ଡାରେ ଆରମ୍ଭ ହୋଇଛି ଚାଷୀଙ୍କଠାରୁ ଧାନ କିଣା । ଆସନ୍ତାବର୍ଷ ମାର୍ଚ୍ଚ ଯାଏଁ ଏସବୁ ସ୍ଥାନରୁ ପ୍ରାୟ ଅଢ଼େଇ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଥିବା କହିଛନ୍ତି ପାନପୋଷ ଉପଜିଲ୍ଲାପାଳ । ପ୍ରଥମେ ଦୁର୍ବିପାକ ଦାଉ ଆଉ ତା ପରେ ମଣ୍ଡି ଯନ୍ତ୍ରଣା, ଯେମିତି ଓଡ଼ିଶାର ଅନ୍ନଦାତାଙ୍କ ପିଛା ଛାଡ଼ିବାର ନା ନେଉନି ।