/odishatv-khabar/media/post_attachments/uploadimage/library/16_9/16_9_0/Bangladesh_1745150114.jpg)
Bangladesh
୧୫ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଫରେନ ଅଫିସ କନସୁଲେସନ Foreign Office Consultation ଅର୍ଥାତ FOC ମିଟିଂ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଟିଂକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି କାରଣ, ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଇଶାକ ଡାର୍ ଯେତେବଳେ ଢାକା ଯାତ୍ରା ପାଇଁ ପ୍ରସ୍ତୁତି କରୁଛନ୍ତି ଠିକ୍ ସେତିକିବେଳେ ଏହି ଏଫଓସି ମିଟିଂ କରାଯାଇଛି । ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଏପ୍ରିଲ ୨୭-୨୮ରେ ବାଂଲାଦେଶ ଗସ୍ତରେ ଆସିବେ । ଏହି ଗସ୍ତ ମଧ୍ୟ ଉଭୟ ଦେଶ ପାଇଁ ବେଶ ମହତ୍ୱ ରଖେ । କାରଣ ୨୦୧୨ ପରେ କୌଣସି ପାକ ବିଦେଶମନ୍ତ୍ରୀଙ୍କର ଏହା ପ୍ରଥମ ବାଂଲାଦେଶ ଗସ୍ତ ଅଟେ । ତେବେ ପାକିସ୍ତାନ ସହ ବାଂଲାଦେଶର ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନେଇ ଚିନ୍ତାରେ ପଡ଼ିଛି ଭାରତ । କାରଣ ପାକିସ୍ତାନ ସହ ବାଂଲାଦେଶର ସମ୍ପର୍କ ବଢୁଥିବାବେଳେ ଭାରତ ସହ ତିକ୍ତତା ବୃଦ୍ଧି ପାଉଛି ।
ଟିକିଏ ପଛକୁ ଫେରିଲେ ଆଖି ଆଗରେ ଭାସିଯାଏ ସେଇ ଦୃଶ୍ୟପଟ୍ଟ । ୧୯୭୧ ମସିହା ଡିସେମ୍ବର ୧୬ ତାରିଖର ଘଟଣା । ବାଂଲାଦେଶ ମାଟିରେ ଛିଡା ହୋଇଥିବା ପାକିସ୍ତାନୀ ସେନା ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା । ହେଲେ କାହିଁକି ? କାରଣ ଭାରତର ସେନା ବାଂଲାଦେଶ ସ୍ୱାଧୀନତା ପାଇଁ ଲଢୁଥିଲେ । କହିବାକୁ ଗଲେ ଭାରତର ସହଯୋଗରେ ହିଁ ବାଂଲାଦେଶ ତାର ସ୍ୱାଧୀନତା ପାଇଥିଲା । ୧୯୭୨ ଜାନୁଆରୀରେ ଢାକାରେ ଭାରତ ପ୍ରଥମେ ତାର ନିଜ ଦୂତାବାସ ଖୋଲିଥିଲା । ବଂଲାଦେଶ ସ୍ୱାଧୀନ ହେଲା । ଭାରତକୁ ଏକ ନୂଆ ବନ୍ଧୁ, ନୂଆ ପଡୋଶୀ ମିଳିଥିଲା ।
ଆଜି ଦୀର୍ଘବର୍ଷ ପରେ ଭାରତ-ବାଂଲାଦେଶ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ତେବେ ପ୍ରଶ୍ନ ହେଉଛି, ବଂଲାଦେଶ ଯିଏ ମିତ୍ରତା ଏବଂ କୂଟନୀତି ଦୃଷ୍ଟିରୁ ଭାରତ ସହ ଅତୁଟ ସମ୍ପର୍କ ରଖିଥିଲା ଆଜି ଏମିତି ଅଲଗା ଅନ୍ଦାଜରେ କାହିଁକି କଥା କହୁଛି ? ଏକଥା ସତ ଯେ, ୨୦୨୪ରେ ଶେଖ ହସିନା ସରକାର ଥିବାବେଳେ ବାଂଲାଦେଶ-ପାକିସ୍ତାନ ସମ୍ପର୍କ ଭଲ ନ ଥିଲା । ୨୦୧୦ ପରେ, ବାଂଲାଦେଶ ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାକୁ ସାହାଯ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ଆରମ୍ଭ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇ ଯାଇଥିଲା।
ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ଘୋଷଣା କଲେ ପୁଟିନ, ଜେଲେନସ୍କି କହିଲେ...
ଅଗଷ୍ଟ ୨୦୨୪ ରେ ଶେଖ୍ ହସିନା ସରକାରର ପତନ ଘଟିଛି । ଭାରତରେ ଆଶ୍ରୟ ନେଇଛନ୍ତି ଶେଖ ହସିନା । ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ହୋଇଛି ମଧ୍ୟବର୍ତ୍ତୀକାଳୀନ ସରକାର । ଏହି ନୂତନ ସରକାର ଗଣତାନ୍ତ୍ରିକ ପଦ୍ଧତିରେ ଅର୍ଥାତ ବାଂଲାଦେଶ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ନୁହେଁ । ପରବର୍ତ୍ତୀ ନିର୍ବାଚନ କେବେ ହେବ ତାହାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ ।
ଏହି ମଧ୍ୟବର୍ତ୍ତୀକାଳୀନ ସରକାର ପୁଣି ଥରେ ପାକିସ୍ତାନ ସହିତ ଆଲୋଚନା ଆରମ୍ଭ କରିଛି । ଏପ୍ରିଲ ୧୭ ତାରିଖ ଦିନ ବାଂଲାଦେଶର ଅତିଥି ହୋଇଥିଲେ ପ୍ରାକିସ୍ତାନ ବିଦେଶ ସଚିବ ଅମନା ବଲୋଚ । ସ୍ଥାନ ଥିଲା ଢାକାର ପଦ୍ମା ଷ୍ଟେଟ ଗେଷ୍ଟ ହାଉସ । ୧୫ ବର୍ଷ ପରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା ଏଫଓସି ମିଟିଂ । ମିଟିଂ ଅବସରରେ ବାଂଲାଦେଶ ସେହି ସମସ୍ତ ଐତିହାସିକ ପ୍ରସଙ୍ଗକୁ ପାକିସ୍ତାନ ସମ୍ମୁଖରେ ରଖିଛି, ଯାହା ୧୯୭୧ ମସିହାରୁ ଏପର୍ଯ୍ୟନ୍ତ ଝୁଲି ରହିଥିଲା । ବୈଠକ ପରେ ବାଂଲାଦେଶ ବୈଦେଶିକ ସଚିବ ଜାସିମ ଉଦ୍ଦିନ୍ ସାମ୍ବାଦିକମାନଙ୍କୁ କହିଥିଲେ, ‘ଆମେ ୧୯୭୧ ଯୁଦ୍ଧ ସମୟରେ ହୋଇଥିବା ନରସଂହାର ଲାଗି ପାକିସ୍ତାନକୁ ସାର୍ବଜନିକ କ୍ଷମା ମାଗିବା ପାଇଁ ଦାବି କରିଥିଲୁ । ଏଥିସହିତ ବିଭାଜନ ସମୟରେ ମିଳିଥିବା ମିଳିତ ସମ୍ପତ୍ତିରେ ଯେଉଁ ୪.୩ ବିଲିୟନ ଡଲାର ( ପ୍ରାୟ ୩୬ ହଜାର କୋଟି ଟଙ୍କା) ଅଂଶ ବାଂଲାଦେଶର ଥିଲା ତାହାକୁ ଫେରାଇବାକୁ ଆମେ କହିଥିଲୁ । "
କେବଳ ସେତିକି ନୁହେଁ, ବାଂଲାଦେଶ ୧୯୭୦ ମସିହାରେ ବାତ୍ୟା ପୀଡିତଙ୍କ ପାଇଁ ପାଇଥିବା ୧୭ ହଜାର କୋଟି ଟଙ୍କାର ବିଦେଶୀ ପାଣ୍ଠିର ହିସାବ ମଧ୍ୟ ପାକିସ୍ତାନକୁ ମାଗିଥିଲା । ଯେତେବେଳେ ପୂର୍ବ ପାକିସ୍ତାନରେ ହଜାର ହଜାର ଲୋକ ହତ୍ୟାର ଶିକାର ହୋଇଥିଲେ ସେତେବଳେ ଏହି ଅର୍ଥ ସାରା ବିଶ୍ୱରୁ ସାହାଯ୍ୟ ଆକାରରେ ଆସିଥିଲା । ବଂଲାଦେଶର ଏପରି ଦାବି ପରେ ପାକିସ୍ତାନ ବଂଲାଦେଶ ସହ କେମିତି ସମ୍ପର୍କ ରଖିବ, ତାହା ସମୟ କହିବ । ହେଲେ ତା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ଅନେକ ଆଗକୁ ବଢି ଯାଇଛି ।
କୌଣସି ତୃତୀୟ ଦେଶର ମାଧ୍ୟମରେ ପରସ୍ପର ସହିତ ବାଣିଜ୍ୟ କରିବା ପାଇଁ ଢାକା-ଇସଲାମାବାଦ ଆଗେଇ ଆସିଛନ୍ତି । ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ନେଇ ମଧ୍ୟ ଆଲୋଚନା ଚାଲିଛି। ଗତ ବର୍ଷଠାରୁ ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟ ସମ୍ପର୍କ ପୁନରୁଦ୍ଧାରର ସଙ୍କେତ ମିଳିଥିଲା ।
୨୦୨୪, ନଭେମ୍ବର ୧୯ରେ, ଇତିହାସରେ ପ୍ରଥମ ଥର ପାଇଁ କରାଚିରୁ ଏକ ପାକିସ୍ତାନୀ ମାଲବାହୀ ଜାହାଜ ସିଧାସଳଖ ବାଂଲାଦେଶର ଚିଟାଗଙ୍ଗ ବନ୍ଦରରେ ପହଞ୍ଚିଥିଲା। ଦୀର୍ଘ ଦଶନ୍ଧି ପରେ ଏହା ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ସଂଯୋଗର ପ୍ରାରମ୍ଭ ଥିଲା । ପ୍ରାୟ ୫୦ ବର୍ଷ ପରେ ଅର୍ଥାତ ୨୦୨୫, ଫେବୃଆରୀରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଆନୁଷ୍ଠାନିକ ସିଧାସଳଖ ବାଣିଜ୍ୟ ପୁନର୍ବାର ଆରମ୍ଭ ହୋଇଥିଲା । ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାସିମ ବନ୍ଦରରୁ ବାଂଲାଦେଶକୁ ୫୦ ହଜାର ଟନ୍ ଚାଉଳ ପଠାଯାଇଥିଲା ।
ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ବାଂଲାଦେଶ ପାକିସ୍ତାନର ନିକଟତର ହେଉଥିବାବେଳେ ବାଂଲାଦେଶ -ଭାରତ ବାଣିଜ୍ୟିକ କ୍ଷେତ୍ରରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହାର ଦୁଇଟି କାରଣ ଅଛି । ପ୍ରଥମତଃ , ଏପ୍ରିଲ ୯ ତାରିଖରେ, ଭାରତ ନିଜ ସ୍ଥଳଭାଗ ଦେଇ ବାଂଲାଦେଶର ପରିବହନ ସୁବିଧାକୁ ବନ୍ଦ କରିଥିଲା । ଏହି ରୁଟ ଦେଇ ବାଂଲାଦେଶ, ନେପାଳ, ଭୁଟାନ ଏବଂ ମିଆଁମାର ଭଳି ଦେଶ ସହିତ ବାଣିଜ୍ୟ କାରବାର କରୁଥିଲା । କହିବାକୁ ଗଲେ, ବାଂଲାଦେଶର ୪,୪୨୭ କିଲୋମିଟର ଲମ୍ବା ସୀମା ମଧ୍ୟରୁ ୪୦୯୬ କିଲୋମିଟର ଲମ୍ବା ସୀମା ଭାରତ ସହିତ ଅଛି । ସୀମାର ବାକି ଅଂଶ ଅର୍ଥାତ ୨୭୧ କିଲୋମିଟର ମିଆଁମାର ସହିତ ରହିଛି । ବାଂଲାଦେଶ, ନେପାଳ ଏବଂ ଭୁଟାନ କେବଳ ଏକ ପତଳା ସ୍ଥଳପଥ ଦେଇ ସଂଯୋଗ ହୋଇଛି । ଏହି ପତଳା ଭୂମି ଭାରତର। ସିଲିଗୁଡ଼ି କରିଡର ବା ଚିକେନ୍ ନେକ୍। ଏହି ମାର୍ଗ ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଚିକେନ୍ ନେକ୍ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଭାରତର ମୁଖ୍ୟଭୂମି ସହିତ ସଂଯୋଗ କରେ।
ଚିକେନ ନେକ ବାଂଲାଦେଶର ବାଣିଜ୍ୟ ପାଇଁ ଖୁବ ମହତ୍ୱ ରଖେ । ଏହି ରାସ୍ତା ଦେଇ ବାଂଲାଦେଶର ମାଲବାହୀ ଜାହାଜ ନଦୀ ଏବଂ ରାସ୍ତା ଦେଇ ନେପାଳ ଏବଂ ଭୁଟାନରେ ପହଞ୍ଚେ । ନେପାଳ ଏବଂ ଭୁଟାନ ଭୂମିବେଷ୍ଟିତ, ଅର୍ଥାତ୍ ଏମାନଙ୍କର କୌଣସି ସାମୁଦ୍ରିକ ସୀମା ନାହିଁ। ଏପରି ପରିସ୍ଥିତିରେ, ବାଂଲାଦେଶ ସହିତ ବାଣିଜ୍ୟ କାରବାର କରିବା ପାଇଁ ସେମାନଙ୍କର ଏକମାତ୍ର ମାଧ୍ୟମ ହେଉଛି ଭାରତ ।
ଦ୍ୱିତୀୟତଃ, ୧୩ ଏପ୍ରିଲରେ ବାଂଲାଦେଶ ଭାରତ, ନେପାଳ ଏବଂ ଭୁଟାନରୁ ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ନେପାଳ ଏବଂ ଭୁଟାନରୁ ସୂତା ଏବଂ ଆଳୁ ଆମଦାନୀକୁ ବନ୍ଦ କରିଥିଲା ବାଂଲାଦେଶ । କିନ୍ତୁ ଭାରତରୁ ଆମଦାନୀ ହେଉଥିବା ଏକାଧିକ ସାମଗ୍ରୀ ପ୍ରତିବନ୍ଧକ ଲଗାଇଥିଲା । ଏଥିରେ ସୂତା ଏବଂ ଆଳୁ ସହିତ ଡୁପ୍ଲେକ୍ସ ବୋର୍ଡ, ନ୍ୟୁଜପ୍ରିଣ୍ଟ, କ୍ରାଫ୍ଟ ପେପର, ସିଗାରେଟ୍ ପେପର, ମାଛ, କ୍ଷୀର ପାଉଡର, ତମାଖୁ, ରେଡିଓ/ଟିଭି ପାର୍ଟସ୍, ସାଇକେଲ ଏବଂ ମୋଟର ପାର୍ଟସ୍, ଫର୍ମିକା ସିଟ୍, ସେରାମିକ୍ ଜିନିଷ, ସାନିଟାରୀ ଜିନିଷ, ଷ୍ଟିଲ୍ ଜିନିଷ, ମାର୍ବଲ୍ ଷ୍ଟ୍ରିପ୍/ଟାଇଲ୍ସ ଏବଂ ମିଶ୍ରିତ କପଡା ଅନ୍ତର୍ଭୁକ୍ତ ଥିଲା ।
ଖାଲି ପାକିସ୍ତାନ ନୁହେଁ, ବାଂଲାଦେଶ ଚୀନର ମଧ୍ୟ ନିକଟତର ହେଉଛି । ଚୀନ୍ ବାଂଲାଦେଶରେ ଭିତ୍ତିଭୂମି ପ୍ରକଳ୍ପରେ ନିବେଶ କରିବାକୁ ଯୋଜନା କରୁଛି । ମହମ୍ମଦ ୟୁନୁସ ଗତ ମାସରେ ଚୀନ ଗସ୍ତରେ ଯାଇଥିଲେ। ସେଠାରେ ସେ ଭାରତ ବିଷୟରେ ଏକ ବିବାଦୀୟ ବୟାନ ମଧ୍ୟ ଦେଇଥିଲେ । ସେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଭୂମିବେଷ୍ଟିତ ବୋଲି ବର୍ଣ୍ଣନା କରିଥିଲେ । ଏଥିସହିତ ନିଜକୁ ସାମୁଦ୍ରିକ ପଥର ଏକମାତ୍ର ଦ୍ୱାରପାଳ ବୋଲି ଉପସ୍ଥାପନ କରିଥିଲେ । ସେ ଚୀନକୁ ବଂଲାଦେଶରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିବା ସହ ସେ ଅନେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଥିଲେ ।
ଏପରି ସ୍ଥିତିରେ ପଶ୍ଚିମ ଦିଗରୁ ପାକିସ୍ତାନ ଏବଂ ପୂର୍ବ ଦିଗରୁ ଚୀନ୍ ମିଶି ବାଂଲାଦେଶକୁ ଭାରତ ଠାରୁ ଛଡ଼ାଇ ନେଇଛନ୍ତି କହିଲେ ଭୁଲ ହେବ ନାହିଁ । ଶେଖ ହସିନାଙ୍କ ସମୟରେ ଯେତେବେଳେ ଭାରତ ସହିତ ସମ୍ପର୍କକୁ ପ୍ରାଥମିକତା ଦିଆ ଯାଉଥିଲା ତାହା ଏବେ ଶେଷ ହେବାକୁ ଯାଉଛି । ଏବେ ଏକ ନୂତନ ବାଂଲାଦେଶର ଉଦୟ ହେଉଛି । ଏଠି ବାଂଲାଦେଶ ଚାହିଁଲେ, ଭାରତ, ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ଏକ ତ୍ରିକୋଣୀୟ ସନ୍ତୁଳନ ନୀତି ଗ୍ରହଣ କରିପାରିବ । ତେବେ ଏଠି ପ୍ରଶ୍ନ ଉଠେ ଯେ, ଭାରତ ଏହି ପରିସ୍ଥିତିକୁ କିପରି ଦୃଷ୍ଟିରେ ଦେଖିବ ? ଭାରତର ପ୍ରତିକ୍ରିୟା କ’ଣ ହେବା ଉଚିତ ?
ଏଠି କହିରଖିବୁ, ଏହା ପୂର୍ବରୁ ପାକିସ୍ତାନ ବିଦେଶ ସଚିବଙ୍କ ସହ ମହମ୍ମଦ ୟୁନୁସଙ୍କର ସାକ୍ଷାତ ହୋଇଥିଲା । ୨୦୨୪ ସେପ୍ଟେମ୍ବରରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ସାକ୍ଷାତ ହୋଇଥିଲା । ପୁଣି ଡିସେମ୍ବରରେ D-8 ସମ୍ମିଳନୀରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ଏହି ସାକ୍ଷାତ କଥା ନିଜେ ୟୁନୁସ କହିଛନ୍ତି । ଅନ୍ୟପକ୍ଷରେ ୨୦୨୫ ମାର୍ଚ୍ଚ ୩୧ରେ ଇଦ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ୟୁନୁସଙ୍କ ସହ ଆଲୋଚନା କରି ତାଙ୍କୁ ପାକିସ୍ତାନ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ । ଏଥିସହିତ ଏପ୍ରିଲ ୨୨ରେ ଏକ ବ୍ୟାବସାୟିକ ପ୍ରତିନିଧିମଣ୍ଡଳ ଢାକା ପଠାଇବା ପାଇଁ କହିଥିଲେ । ଅର୍ଥାତ ବାଂଲାଦେଶ-ପାକିସ୍ତାନ ମଧ୍ୟରେ କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କର ନିଅଁ ପଡି ସାରିଲାଣି । ଏପରି ସ୍ଥିତିରେ ମନକୁ ପ୍ରଶ୍ନ ଆସେ, ବାଂଲାଦେଶ ସତରେ ତା’ର ଐତିହାସିକ କାହାଣୀ ଭୁଲି ଯିବାକୁ ପ୍ରସ୍ତୁତ ହେଉଛି ନା ଏହା କେବଳ ଏକ ଅସ୍ଥାୟୀ ରାଜନୈତିକ ସମୀକରଣ ? ଯାହା ବି ହେଉ, ଭାରତ ସହ ସମ୍ପର୍କକୁ ବଂଲାଦେଶ କେଉଁ ଦିଗରେ ନେବ ତାହା ସମୟ ହିଁ କହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)