• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ଦୃଷ୍ଟିଶକ୍ତି ବାଧିତ ପିତାମାତାଙ୍କୁ କାନ୍ଧରେ ବୋହି ଆଦର୍ଶ ପୁଅର ପରିଚୟ ଦେଇଥିଲେ ପୌରାଣିକ ଚରିତ୍ର ଶ୍ରବଣ କୁମାର । ହେଲେ ଏଠି ବିଧାତା ଖେଳିଛି ଭିନ୍ନ ଏକ ଖେଳ । ବୁଢ଼ା ବାପାମାଆ କାନ୍ଧରେ ଲଦି ଦେଇଛି ଦୃଷ୍ଟିବାଧିତ ପୁଅର ଭାର । ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।

ଜୟପୁର ଗଙ୍ଗାନଗରର ଏକ ଭଡ଼ା ଘରେ ପତ୍ନୀ ଓ ପୁଅଙ୍କ ସହ ରୁହନ୍ତି ୮୦ ବର୍ଷୀୟ ନୀଳମାଧବ ସେନାପତି । ପୁଅ ଅର୍ଜୁନ ଜନ୍ମରୁ ଦୃଷ୍ଟି ବାଧିତ । ବହୁ ଡାକ୍ତର ଦେଖାଇବା ପରେ ବି ଫଳ ମିଳିଲାନି । ସିଲେଇ କରି କିଛି ରୋଜଗାର କରୁଥିବା ବଡ଼ ଝିଅଟି ବି ରୋଗରେ ପଡ଼ି ଆଖି ବୁଜିଦେଲା । ବଳବୟସ ଥିବା ବେଳେ ସାଇକେଲରେ ବୁଲି ବୁଲି ବାସନ ବିକି ଗୁଜୁରାଣ ମେଣ୍ଟାଉଥିଲେ ନୀଳମାଧବ ।

ହେଲେ ଏବେ ଘରେ ଯେମିତି ଅକାଳ ପଡ଼ିଛି ବୁଢ଼ାବୁଢ଼ୀଙ୍କୁ । ୫ଶହ-୫ଶହ କରି ହଜାରେ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ଆଉ ପୁଅକୁ ୭ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା । ମୋଟ ୧୭ଶହ ଟଙ୍କା ଖାଲି ଘରଭଡ଼ାରେ ପଳାଉଛି । ରାସନ୍ ଚାଉଳରେ ଭାତ ଫୁଟୁଛି । ହେଲେ ପରିବା ପତ୍ର, ତେଲ ମସଲା, ଗ୍ୟାସ୍ ଏସବୁ ଖର୍ଚ୍ଚ ଆସିବ କେଉଁଠୁ ? ତେଣୁ ସରକାର ଘର ଖଣ୍ଡିଏ ଯୋଗାଇ ଦେଲେ, ଭତ୍ତାଟଙ୍କା ସହ ଛୋଟମୋଟ ଦୋକାନଟିଏ କରି ତିନି ପ୍ରାଣୀ ପେଟ ପୋଷି ପାରନ୍ତେ ବୋଲି ଗୁହାରି କରିଛନ୍ତି ନୀଳମାଧବ ।

ଏଇ ପରିବାରର ଏଭଳି ଦୁର୍ଦ୍ଦଶା ବେଳେ, ସାହା ହୋଇଛନ୍ତି ସାହିପଡ଼ିଶା । ବିଭିନ୍ନ ଅଫିସ୍ ଓ ଅଧିକାରୀଙ୍କ ପାଖରେ ଆବେଦନ ବେଳେ ସେମାନେ ପାଖରେ ଠିଆ ହୋଇଛନ୍ତି । ଆଉ ପ୍ରତି ମାସ ଗ୍ୟାସ୍ ସିଲିଣ୍ଡରଠୁ ଖାଦ୍ୟ ସାମଗ୍ରୀ ଯାଏଁ, ସାଧ୍ୟମତେ ଯୋଗାଇ ଦେଉଛନ୍ତି । ତେବେ ଏହି ଦୁଃଖୀ ପରିବାରର କଥାକୁ ଆମେ ଜୟପୁର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇବାରୁ, ସେ କହିଛନ୍ତି- ଯଦିଓ ନିୟମ ଅନୁସାରେ କୌଣସି ଆବାସ ଯୋଜନାରେ ନୀଳମାଧବଙ୍କୁ ସାମିଲ କରିହେବନି । ତଥାପି ତହସିଲଦାରଙ୍କ ସହ କଥା ହୋଇ ଗ୍ରାମାଞ୍ଚଳରେ ସେମାନଙ୍କ ରହିବା ବ୍ୟବସ୍ଥା କରାଇବେ ଓ ଅନ୍ୟ କୌଣସି ଯୋଜନାରେ ସହାୟତା ବ୍ୟବସ୍ଥା କରିବେ ।