/odishatv-khabar/media/post_attachments/uploadimage/library/16_9/16_9_0/Kosal_1662561731.jpg)
Kosal
ବିକ୍ଷୋଭ.. ନାରାବାଜି.. ପୋଡ଼ାଜଳା..। କେଉଁଠି ରାଜରାସ୍ତାରେ ଜଳିଲା ନିଆଁ.. ତ କେଉଁଠି ଶୂନଶାନ୍ ହୋଇଗଲା ହାଟବଜାର । କେଉଁଠି ବାଉଁଶର ବାଡ଼ ପଡ଼ିଲା ତ ଆଉ କେଉଁଠି ରଶି ବାନ୍ଧି ରାସ୍ତାକୁ ଅବରୋଧ କରିଦେଲେ ଆନ୍ଦୋଳନକାରୀ । ସୁନ୍ଦରଗଡ଼ରୁ ବରଗଡ଼, ବଲାଙ୍ଗିରରୁ ବୌଦ୍ଧ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ବନ୍ଦ ପାଳନର ଦୃଶ୍ୟ । ଆନ୍ଦୋଳନରେ ସାମିଲ ହୋଇଥିଲା କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା । ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।
୧୨ ଘଣ୍ଟିଆ କୋଶଳ ମହାବନ୍ଦ ଭିତରେ ସମ୍ବଲପୁର ସହରରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ଏକ ପୋଷ୍ଟରରେ ଲେଖାଯାଇଛି ଆମର୍ ଭାଷା ସମ୍ବଲପୁରୀ, ଆମର୍ ରାଏଜ୍ ହୀରାଖଣ୍ଡ। ଆଜି ସବୁ ଖୁଲା। ଅର୍ଥାତ ସ୍ୱତନ୍ତ୍ର ରାଜ୍ୟ ଗଠନର ଦାବି ଭିତରେ ଏଠି କୋଶଳ ବନାମ ହୀରାଖଣ୍ଡ । କୋଶଳ ମହାବନ୍ଦକୁ ବିରୋଧ କରିଥିଲେ ବିଭିନ୍ନ ସଂଗଠନର ସଦସ୍ୟ । ଏମାନଙ୍କ ଅଭିଯୋଗ, ବନ୍ଦ ଡାକରା ନାଁରେ ସମ୍ବଲପୁରୀ ଭାଷା, ସଂସ୍କୃତି, ସାହିତ୍ୟର କୋଶଳୀକରଣ ପାଇଁ ଉଦ୍ୟମ ହେଉଛି ।
ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗରେ ଜାରି ରହିଥିବା ଆନ୍ଦୋଳନ ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାଜଧାନୀ ଠୁ ଦୂରରେ ଥିବା ଅଞ୍ଚଳର ବିକାଶ ଠିକ୍ ଭାବେ ହେଉନି । ଫଳରେ ଲୋକଙ୍କ ଭିତରେ ଏଭଳି କ୍ଷୋଭ ପ୍ରକାଶ ପାଉଛି ।
ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ନୂଆ ରାଜ୍ୟର ଆବଶ୍ୟକତା ନାହିଁ । ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟକୁ ଦୂର କରନ୍ତୁ । ତେଣେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୨ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ଓଡ଼ିଶାକୁ ସମାନ ଦୃଷ୍ଟିରେ ଦେଖିଛନ୍ତି । ଯେଉଁଠି ସମସ୍ୟା ଅଛି, ଆମ ସହିତ ଆଲୋଚନା କଲେ, ତାର ସମାଧାନ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)