• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିଂହଦ୍ୱାର ଆଗରେ ଛି଼ଡ଼ା ହେଲେ ସିଧା ଦିଶିବ ସ୍ୱର୍ଗଦ୍ୱାର । ୪୦ ଫୁଟ୍ ଚଉଡ଼ା ହେବ ବାଲିସାହି-ସମୁଦ୍ରକୂଳ ରାସ୍ତା । ଏଥିପାଇଁ କାକୁଡ଼ିଖାଇ ଛକରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଉଚ୍ଛେଦ ହେବ ମଠ, ଘର ଓ ଦୋକାନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି ।

ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ବାଲି ସାହି ଅଞ୍ଚଳର କିଛି ମୁରବି ଶ୍ରେଣୀୟ ଲୋକଙ୍କୁ ଡାକି ପ୍ରଥମ ପର୍ଯ୍ୟାୟ ଆଲୋଚନା ବି ସାରିଛି । ପ୍ରଶାସନ ପ୍ରଥମେ ଏହି ରାସ୍ତା ୬୦ ଫୁଟ୍ ଚଉଡ଼ା କରିବାକୁ ଯୋଜନା କରିଥିଲା, ହେଲେ କଡ଼ା ଆପତ୍ତି ଉଠିବାରୁ ଏହାକୁ କମାଇ ୪୦ ଫୁଟ୍ ରଖିବାକୁ ସ୍ଥିର କରିଛି । ତେଣେ ଅଞ୍ଚଳବାସୀ କିନ୍ତୁ ୩୦ ଫୁଟ୍ ଭିତରେ ରାସ୍ତା ପ୍ରଶସ୍ତୀକରଣ ସୀମିତ ରଖିବାକୁ ଦେଇଛନ୍ତି ପ୍ରସ୍ତାବ । ଯଦି ଏଥିରେ ବ୍ୟତିକ୍ରମ ଘଟେ, ତାହାଲେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ ।

ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟ କାକୁଡ଼ିଖାଇ ଛକ ପାଖରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିବା ବାଲି ସାହି ରାସ୍ତା ବେଶ୍ ଜନଗହଳିପୂର୍ଣ୍ଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସମୁଦ୍ରକୂଳକୁ ଯାତ୍ରୀମାନେ ଏହି ବାଟ ଦେଇ ଯାଇଥାନ୍ତି । ତେବେ ଏ ରାସ୍ତା କେଉଁଠି ଓସାରିଆ ତ କେଉଁଠି ଅଣ ଓସାରିଆ । ଚାରି ଚକିଆ ଯାନଟିଏ ଆଦୌ ଯାଇପାରିବ ନାହିଁ । କାରଣ ରାସ୍ତା ସାରା ଛୋଟବଡ଼ ଦୋକାନ ସହ ମଠ ଓ ମନ୍ଦିରର ଯାଗା ମଧ୍ୟ ରହିଛି । ତାସହ ରାସ୍ତାକଡ଼ରେ ଶହ ଶହ ଛୋଟ ବଡ଼ ଦୋକାନ କରି ଲୋକେ ଗୁଜୁରାଣ ମେଣ୍ଟାଉଛନ୍ତି ।

ତେଣୁ ରାସ୍ତା ପ୍ରଶସ୍ତୀକରଣ କଥା ଶୁଣି ଅନେକ ବ୍ୟବସାୟୀଙ୍କ ମନରେ ପଶିଲାଣି ଛନକା । ସେମିତି ଜଣେ ହେଲେ ଖଜା କାରିଗର ଗଗନ ବିହାରୀ ପଣ୍ଡା । ସେ କହିଛନ୍ତି ରାସ୍ତା ଚଉଡ଼ା ହେଲେ ଦୋକାନ ଭାଙ୍ଗିବ, ତାଙ୍କ ଜୀବିକା ଚାଲିଯିବ । ସେମିତି ଆଉ କିଛି ସାହି ବାସିନ୍ଦା ଜିଲ୍ଲାପ୍ରଶାସନ ମିଟିଂରେ ଯୋଗ ଦେଇଥିବା ବାହାର ଲୋକଙ୍କ ଉପସ୍ଥିତିକୁ ନେଇ କଡ଼ା ଆପତ୍ତି ଉଠାଇଥିବା ବେଳେ ଆଉ କିଛି କହିଛନ୍ତି ଆଗେ ଥଇଥାନ ତାପରେ ରାସ୍ତା ପ୍ରଶସ୍ତୀକରଣ ।

ଶ୍ରୀମନ୍ଦିର-ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତୀକରଣ ଭଳି ଶ୍ରୀମନ୍ଦିର-ଲୋକନାଥ ମନ୍ଦିର ରୋଡ୍‌କୁ ମଧ୍ୟ ଚଉଡ଼ା କରିବାକୁ ଯୋଜନା ରଖିଛି ପୁରୀ ଜିଲ୍ଲା ପ୍ରଶାସନ । ଏଥିପାଇଁ ବି ଆରମ୍ଭ ହୋଇ ସାରିଛି ଆନୁସଙ୍ଗିକ ପ୍ରକ୍ରିୟା ।