• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଉରକେଲାରେ ହଇଜା ବ୍ୟାପିଛି, ତ ସାରା ଓଡ଼ିଶାରେ ଛନକା ପଶିଛି । ଷ୍ଟିଲ ସିଟିରେ ଦୂଷିତ ପାଣିରୁ ଝାଡ଼ାବାନ୍ତି ମୁଣ୍ଡ ନେଉଥିବା ଖବର ଶୁଣି ଚାରିଆଡ଼େ ଭାଳେଣି । ସହରାଞ୍ଚଳ କଥା ଛାଡ଼ନ୍ତୁ ଗାଁ ଗଣ୍ଡାର ଲୋକଙ୍କୁ ୨୪ ଘଣ୍ଟିଆ ସ୍ୱଚ୍ଛ ପାଣି ଦେବାର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ବ୍ୟୟରେ କେମିତି ବାଟ ହୁଡିଛି ବସୁଧା ଯୋଜନା । ତା’ର ମାଳମାଳ ଚିତ୍ର ପାଇଛି ଓଟିଭି ।

ବାଟ ବୁଡ଼ିଛି କି ବସୁଧା ? ଫେଲ୍ ମାରିନି ତ ଗାଁ ଗଣ୍ଡାରେ ୨୪ ଘଣ୍ଟିଆ ପାଣି ପ୍ରତିଶ୍ରୁତି ? ବାଲିଆପାଳ ବ୍ଲକ ହସୀମପୁର ଗାଁରେ ନିର୍ମାଣ ହୋଇଛି ଚକାଚକ୍ ଓଭରହେଡ୍ ପାଣିଟାଙ୍କି। ସେଠୁ ପାଇପ୍ ପଡ଼ି ଷ୍ଟାଣ୍ଡପୋଷ୍ଟକୁ ଟ୍ୟାପ୍ କନେକ୍ସନ, ହେଲେ କଳ ମୋଡି ମୋଡ଼ି ହାଲିଆ, କିନ୍ତୁ ପାଣି ଟୋପେ ଆସୁନି । ଲୋକଙ୍କ ଅଭିଯୋଗ, ୨ବର୍ଷ ହେଲା କାମ ସରିଲାଣି, ହେଲେ ନିମ୍ନମାନର କାମ ଯୋଗୁଁ ଟାଙ୍କିରେ ସାଂଘାତିକ ଲିକେଜ୍ ।

ଏଣେ ୩ଶହ ପରିବାରର ପାଇପ୍ ପାଣିକୁ ଚାହିଁଚାହିଁ ଆଖିରୁ ପାଣି ମଲାଣି । ଦୃଶ୍ୟ ଆହୁରି ଚିନ୍ତାଜନକ ପଟ୍ଟାମୁଣ୍ଡାଇ ବ୍ଲକ ହଳଧରପୁରରେ । ଏଠି ଶୀତଦିନେ ବି ଏକମାତ୍ର ନଳକୂଅ ପାଖେ ଗରା ଧରି ମହିଳାଙ୍କ ଧାଡ଼ି । ୧୨ବର୍ଷ ତଳୁ ବସୁଧା ଯୋଜନାରେ ଗାଁରେ ଟାଙ୍କି ହୋଇଛି, ପାଇପ୍ ବସିଛି । ହେଲେ ସେ ସବୁ କଳଙ୍କି ଧରିଲାଣି । ଲୋକେ ନେତାଙ୍କୁ ଚେତେଇ ଦେଲେଣି-ପାଣି ନାହିଁ ତ ଆଗକୁ ଭୋଟ୍ ନାହିଁ ।

ଖାଲି ଉପକୂଳ ନୁହେଁ, ଅଧିକ ପ୍ରାଧାନ୍ୟ ଦିଆଯାଉଥିବାର ଡିଣ୍ଡିମ ପିଟାଯାଉଥିବା ଉପାନ୍ତ ଇଲାକାରେ ବି ବସୁଧା ଯୋଜନା କେତେ ବାଟବଣା ? ତାର ଗୁମର ଖୋଲିଦେଉଛି ରାୟଗଡ଼ା ଜିଲ୍ଲାର ଗୁମ୍ମା ଗାଁ । ଅପରିସ୍କାର ଝରଣା ପାଣି ହେଉ କି ବୋରିଂରୁ ବାହାରୁଥିବା ଗୋଳିଆ ପାଣି ତା’କୁ ବ୍ୟବହାର କରିବା ଛଡ଼ା ଗୁମ୍ମା କଲୋନୀ ବାସିନ୍ଦାଙ୍କ ପାଖରେ ବିକଳ୍ପ ନାହିଁ । ଯେଉଁ ଗୋଟିଏ ନଳକୂଅ ଅପେକ୍ଷାକୃତ ଭଲ ପାଣି ମୁନ୍ଦେ ଦେଉଛି, ଗୁଣ୍ଡ ଓ ପୋକ ଛାଣିବାକୁ ତା ମୁହଁରେ ବି ବାନ୍ଧିବାକୁ ପଡୁଛି କପଡ଼ା । ସୋଲାର ବ୍ୟବସ୍ଥାକୁ ଉପଯୋଗ କରି ଏଠି ବସୁଧା ଯୋଜନାରେ ଘର ଘରକୁ ୨୪ ଘଣ୍ଟିଆ ଜଳଯୋଗାଣର ପ୍ଲାନ୍ ପୁରା ଫ୍ଲପ୍ ମାରିଛି ।

ରାଜ୍ୟର ଗ୍ରାମାଞ୍ଚଳରେ ବସୁଧା ହେଉ କି ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ । ୨୪ ଘଣ୍ଟିଆ ସ୍ୱଚ୍ଛ ପିଇବା ପାଣି ଯୋଗାଣର ଏ ଯୋଜନା କେମିତି ବାଟବଣା ହୋଇଥିଲା ଡାଇରିଆ ହଟସ୍ପଟ୍ ରାଉରକେଲାରେ ତାହା ସମସ୍ତଙ୍କୁ ଜଣା । ଦୂଷିତ ପାଣିରୁ ଷ୍ଟିଲସିଟିରେ ହଇଜା ସଂକ୍ରମଣ ସନ୍ଦେହରେ ପ୍ରାୟ ୯୩ଟି ସ୍ଥାନରେ ୱାଟକୋ ପକ୍ଷରୁ ଲିକେଜ୍ ମରାମତି ସରିବା ପରେ ଆଜିଠୁ ଅନେକ ବସ୍ତି ଓ କଲୋନୀକୁ ପାଇପ୍ ରେ ଆସୁଛି ସ୍ୱଚ୍ଛ ପାଣି ।