• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ମୁଣ୍ଡ ଟେକୁଛି ଲାଲବାହିନୀ । କିଛି ଦିନ ହେଲା ସୀମାବର୍ତ୍ତୀ ଅଞ୍ଚଳରେ ମାଓ ହିଂସା ବଢିଥିବା ବେଳେ ଓଡ଼ିଶାରେ ବି ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ଆଜି ଘଟିଥିବା ଆଇଇଡି ବିସ୍ଫୋରଣ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପ୍ରତି ଚ୍ୟାଲେଞ୍ଜ ବି ସୃଷ୍ଟି କରିଛି । କୁମ୍ବିଂ ବେଳେ ଘଟିଥିବା ଏହି ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ରାଜ୍ୟରେ ମାଓ ଗତିବିଧି କମିଥିବା କିଛି ଦିନ ତଳେ କହିଥିଲେ ପୋଲିସ ଡିଜି । ତେବେ ଆଜିର ଘଟଣା ଡିଜିପିଙ୍କ ଦାବିରେ ପ୍ରଶ୍ନ ଚିହ୍ନ ଲଗାଇଛି ।

କନ୍ଧମାଳରେ ପୁଣି ଲାଲ ହିଂସା । ପୂର୍ବରୁ ଖଞ୍ଜିଥିଲେ ଆଇଇଡି, ଆଜି କୁମ୍ବିଂ ବେଳେ ବିସ୍ଫୋରଣ । ତୁମୁଡ଼ିବନ୍ଧ ଥାନା ଶିର୍ଲା ଜଙ୍ଗଲରେ ଏସଓଜି ଯବାନ କୁମ୍ବିଂ କରୁଥିବା ବେଳେ ହଠାତ୍ ହୋଇଥିଲା ବିସ୍ଫୋରଣ । ଏଥିରେ ୨ ଯବାନ ଅମିୟ ଦାସ ଓ ପ୍ରଶାନ୍ତ ଜେନା ଗୁରୁତର ଆହତ ହୋଇଛନ୍ତି । ଅମିୟଙ୍କ ବାମ ଆଖିରେ ଆଘାତ ଲାଗିଥିବା ବେଳେ ପ୍ରଶାନ୍ତଙ୍କ ଛାତି ଓ ଜଂଘରେ ଲାଗିଛି ଆଘାତ । ଅମିୟଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

କିଛି ମାସ ହେଲା ପୁଣି ସକ୍ରିୟ ହୋଇଛି ଲାଲବାହିନୀ । ତେବେ ଅଧିକାଂଶ ମାଓ ହିଂସା ଓଡ଼ିଶା ସୀମାବର୍ତ୍ତୀ ଛତିଶଗଡ଼ ଓ ଝାଡଖଣ୍ଡରେ ସୀମିତ ଥିଲା । ଗତ ୨୦ ତାରିଖରେ ଛତିଶଗଡ଼ ବିଜାପୁରରେ ୨ଟି ବସ୍ ଜାଳି ଦେଇଥିଲେ ମାଓବାଦୀ । ପରଦିନ ଅର୍ଥାତ ୨୧ ତାରିଖ ରାତିରେ ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ମାଓବାଦୀ ରେଳ ଧାରଣା ଉଡ଼ାଇ ଦେଇଥିଲେ ।

ତେବେ ବୌଦ୍ଧ ମନମୁଣ୍ଡା ସୁବର୍ଣ୍ଣଗିରି ଜଙ୍ଗଲରେ ବିପୁଳ ମାଓ ସାମଗ୍ରୀ ଉଦ୍ଧାର ପରେ ଆଜିର ଆଇଇଡି ବିସ୍ଫୋରଣ ଚିନ୍ତା ବଢାଇଛି । ଓଡ଼ିଶାରେ ବି ମାଓବାଦୀ ସକ୍ରିୟ ହେଉଥିବା ସ୍ପଷ୍ଟ ହୋଇଛି । ତେଣୁ ଓଡ଼ିଶାରେ ମାଓ ହିଂସା କମୁଛି ବୋଲି ୪ ଦିନ ତଳେ ପୋଲିସ ଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକଙ୍କ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେଣେ ଆଇଡି ବିସ୍ଫୋରଣ ପରେ ଶିର୍ଲା ଜଙ୍ଗଲରେ ୫ଟି ଏସଓଜି ଟିମ୍ କମ୍ବିଂକୁ ଜୋରଦାର କରିଛନ୍ତି ।

  • Reported by:
  • BIBARTAN PANDA , Ajit Kumar Nayak