Advertisment

Mahabharat Story: ବିବାହ ନ କରିବାର ଶପଥ ନେଇଥିବା ଯୁବକଙ୍କ ରାଜକନ୍ୟା ଅପହରଣ

ନିଜ ବୁଢା ବାପାର ସୁଖ ପାଇଁ ଚରମ ତ୍ୟାଗ କଲେ ତାଙ୍କ ଯୁବା ପୁତ୍ର । କେବେବି ବିବାହ କରିବେନି ବୋଲି ବଜ୍ର ଶପଥ ନେଇଥିବା ଯୁବରାଜ ପୁଣି କାହିଁକି କଲେ ତିନି ରାଜକନ୍ୟାଙ୍କ ଅପହରଣ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
Young man who vowed not to marry kidnapping of the princess

Young man who vowed not to marry kidnapping of the princess

ହସ୍ତିନାପୁରର ଯୁବରାଜ ଦେବବ୍ରତ ତାଙ୍କର କିଛି ସୈନ୍ୟ-ସାମନ୍ତ ଧରି ଧିବର ରାଜାଙ୍କ ପାଖରେ ପହଂଚିଲେ । ଧୀବର ରାଜାଙ୍କୁ ନିଜ ବାପା ଶାନ୍ତନୁଙ୍କ ପାଇଁ କନ୍ୟା ମାଗିଲେ । ଧୀବର ରାଜା ଆଗରୁ ଶାନ୍ତନୁଙ୍କୁ ଯାହା କହିଥିଲେ ସେଇ ଏକା କଥା କହିଲେ । ତାଙ୍କ ଝିଅର ପୁଅ ଶାନ୍ତନୁଙ୍କ ଅନ୍ତେ ହସ୍ତିନାର ରାଜା ହେବା ଦରକାର । ଧୀବର ରାଜାଙ୍କ କଥା ଶୁଣି ଦେବବ୍ରତ କହିଲେ ଠିକ ଅଛି, ମୁଁ କଥା ଦେଉଛି, ମୋ ବାପାଙ୍କ ପରେ ଆପଣଙ୍କ ଝିଅର ପୁଅ ହିଁ ଆମ ଦେଶର ରାଜା ହେବ ।

Advertisment

ଧୀବର ରାଜାଙ୍କର ଗୋଟିଏ ମାତ୍ର ସର୍ତ୍ତ ନଥିଲା । ପ୍ରଥମଟିରେ ଦେବବ୍ରତ ରାଜି ହୋଇଗଲା ପରେ ସେ ଆଉ ଗୋଟେ କଥା କହିଲେ । କହିଲେ, ହେ ଯୁବରାଜ! ଆପଣ ଯେଉଁ କଥା ଦେଲେ ସେ କଥା ମୁଁ ବୁଝିଲି, କିନ୍ତୁ ସେତିକିରେ କ'ଣ ମୋ ଝିଅର ଭବିଷ୍ୟତ ସୁରକ୍ଷିତ ହେଇପାରିବ? କାଲି ଆପଣ ବିବାହ କରିବେ । ତାପରେ ଆପଣଙ୍କର ବି ପୁଅ ହେବ । କିଏ କହିବ ସେ ପୁଅ ଆସନ୍ତାକାଲି ହସ୍ତିନାର ରାଜଗାଦୀ ଦାବି ନକରିବ? ସେତେବେଳେ ମୋ ଝିଅ ଓ ମୋ ନାତିର କଥା କିଏ ବୁଝିବ? କ'ଣ ହେବ ସେମାନଙ୍କର?

ଧୀବର ରାଜାଙ୍କ ଏମିତିକା ଆଶଙ୍କା ଶୁଣି ଦେବବ୍ରତ ସେଇଠି ଶପଥ କରି କହିଲେ ସେ ସାରା ଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବେ । କେବେବି ବିବାହ କରିବେନି । ତେଣୁ ବିନା ଶଙ୍କାରେ ସେ ତାଙ୍କ ଝିଅକୁ ବିବାହ ଦେଇ ପାରିବେ ।

Advertisment

ଦେବବ୍ରତଙ୍କ ଶପଥ ଶୁଣିଲା ପରେ ସ୍ୱର୍ଗର ଦେବତା, ଋଷି, ଗନ୍ଧର୍ବ ଓ ଅପସରୀମାନେ ପୁଷ୍ପ ବୃଷ୍ଟି କଲେ । ନିଜ ବାପାଙ୍କ ସୁଖ ପାଇଁ ନିଜର ସମସ୍ତ ସାଂସାରିକ ବିଷୟ ସୁଖକୁ ତ୍ୟାଗ କରିବାକୁ ବଜ୍ର ଶପଥ ନେଇଥିବାରୁ ସେଇଦିନରୁ ଦେବବ୍ରତଙ୍କ ନାମ ଭୀଷ୍ମ ହେଲା।

ଧୀବର ରାଜାଙ୍କ କଥା ରହିଲା । ତାପରେ ଏକ ସୁସଜ୍ଜିତ ରଥରେ ସତ୍ୟବତୀଙ୍କୁ ଧରି ଭୀଷ୍ମ ହାସ୍ତିନାପୁରରେ ପହଞ୍ଚିଲେ ଓ ଶାନ୍ତନୁଙ୍କୁ ବର୍ଣ୍ଣନା କରି ସବୁ ଘଟଣା କହିଲେ ।

ଶାନ୍ତନୁ ଏବେ ଖୁସି । ପାଖରେ ସୁନ୍ଦରୀ ଯୁବତୀ ପତ୍ନୀ । କିଛିଦିନ ସୁଖ ଆନନ୍ଦରେ କଟିଗଲା ପରେ ସତ୍ୟବତୀ ଗର୍ଭବତୀ ହେଲେ । ସମୟ ହେଲାରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ପୁଅର ନାମ ଦିଆଗଲା ଚିତ୍ରାଙ୍ଗଦ । ବଡ଼ ପୁଅର ଜନ୍ମ ପରେ ସତ୍ୟବତୀ ପୁଣି ଥରେ ଗର୍ଭବତୀ ହେଲେ ଓ ଆଉ ଏକ ପୁଅ ଜନ୍ମ କଲେ । ସାନ ପୁଅର ନାମ ଦିଆଗଲା ବିତିତ୍ରବୀର୍ଯ୍ୟ । ପିଲା ଦୁଇଟି ସାନ ଥିବା ବେଳେ ହିଁ ରାଜା ଶାନ୍ତନୁଙ୍କର ସ୍ୱର୍ଗବାସ ହେଲା । ତେଣୁ ସାନ ଦିଇ ଭାଇଙ୍କ ଶିକ୍ଷା ଦୀକ୍ଷାର ସବୁ ଦାୟିତ୍ୱ ପଡିଲା ଭୀଷ୍ମଙ୍କ ଉପରେ । ଚିତ୍ରାଙ୍ଗଦ ଓ ବିତିତ୍ରବୀର୍ଯ୍ୟ ଧୀରେ ଧୀରେ ବଡ ହେଲେ । ଉପଯୁକ୍ତ ବୟସରେ ପହଞ୍ଚିଲା ପରେ ସତ୍ୟବତୀଙ୍କ ବଡ ପୁଅ ଚିତ୍ରାଙ୍ଗଦଙ୍କୁ ହସ୍ତିନାର ରାଜ ସିଂହାସନରେ ରାଜାଭିଷେକ କରାଇଲେ ଭୀଷ୍ମ । ସମସ୍ତ ବିଦ୍ୟାରେ ପାରଙ୍ଗମ ଚିତ୍ରାଙ୍ଗଦ ଭୀଷ୍ମଙ୍କ ସହେଯାଗରେ ସୁଚାରୁରୂପେ ରାଜ୍ୟ ଶାସନ କଲେ । ଅନେକ ଯୁଦ୍ଧରେ ବିଜୟଲାଭ କରି ସେଠାର ରାଜାମାନଙ୍କୁ ନିଜର ଅଧିନକୁ ଆଣିଲେ ।

Young man who vowed not to marry kidnapping of the princess ବିବାହ ନ କରିବାର ଶପଥ ନେଇଥିବା ଯୁବକଙ୍କ ରାଜକନ୍ୟା ଅପହରଣ

ଗନ୍ଧର୍ବ ରାଜା ଚିତ୍ରାଙ୍ଗଦ ଯେତେବେଳେ ଜାଣିଲେ କୁରୁବଂଶରେ ଆଉ ଜଣେ ରାଜା ଠିକ୍ ତାଙ୍କ ନାମ ଧାରଣ କରି ଯୁଦ୍ଧ ପରେ ଯୁଦ୍ଧ ବିଜୟ ଲାଭ କରୁଛି ସେ ଅପମାନିତ ମନେକଲେ ଓ ପୃଥିବୀକୁ ଆସି ହାସ୍ତିନାପୁରର ରାଜା ଚିତ୍ରାଙ୍ଗଦଙ୍କ ସହ ଯୁଦ୍ଧ ଆରମ୍ଭ କରିଦେଲେ । ପୁରା ତିନି ବର୍ଷ ଧରି ଦୁହିଁଙ୍କ ଭିତରେ ସରସ୍ୱତୀ ନଦୀ କୂଳରେ ଘମାଘୋଟ ଲଢେଇ ଲାଗିଲା । ଶେଷରେ କିନ୍ତୁ ଗନ୍ଧର୍ବ ରାଜା ଚିତ୍ରାଙ୍ଗଦ ଯୁଦ୍ଧରେ ବିଜୟ ଲାଭ କଲେ ଓ କୁରୁ ବଂଶର ରାଜା ଚିତ୍ରାଙ୍ଗଦଙ୍କୁ ଜୀବନ ଦେବାକୁ ହେଲା ।

ରାଜାଙ୍କ ନିଧନରେ ମ୍ରିୟମାଣ ହସ୍ତିନାବାସୀ ଚିତ୍ରାଙ୍ଗଦଙ୍କ ଅନ୍ତେଷ୍ଟି ପାଳନ କଲେ ଓ ସତ୍ୟବତୀଙ୍କ ସାନପୁଅ ବିଚିତ୍ରବୀର୍ଯ୍ୟ ଦେଶର ନୂଆ ରାଜା ହେଲେ । ସିଂହାସନ ଆରୋହଣ କଲାବେଳକୁ ବିଚିତ୍ରବୀର୍ଯ୍ୟ କିନ୍ତୁ ସାନ ଥିଲେ । ତେଣୁ ସେ ସବୁ କିଛି ଶାସନକାର୍ଯ୍ୟ ଭୀଷ୍ମଙ୍କ ଉପଦେଶ ଓ ସହଯୋଗରେ କଲେ ।

କୁରୁ ବଂଶକୁ ଆଗକୁ ନେବାକୁ ହେବ । ଯେତେବେଳେ ବିଚିତ୍ରବୀର୍ଯ୍ୟ ବିବାହ ବୟସରେ ପହଞ୍ଚିଲେ ସେତେବେଳେ ତାଙ୍କ ପାଇଁ ଚାରିଦିଗରୁ ଉପଯୁକ୍ତ କନ୍ୟା ଖୋଜା ଆରମ୍ଭ ହେଲା । ଭୀଷ୍ମ ଖବର ପାଇଲେ କାଶୀ ନରେଶ ତାଙ୍କର ଅମ୍ବା, ଅମ୍ବିକା ଓ ଅମ୍ବାଳିକା ନାମରେ ତିନି ଝିଅଙ୍କର ସ୍ୱୟଂବର ସଭା ଆୟୋଜନ କରୁଛନ୍ତି । ବିଭିନ୍ନ ଦେଶର ରାଜା ଓ ରାଜକୁମାରମାନେ ସେଠି ଆସି ପହଞ୍ଚିଥାନ୍ତି । ସ୍ୱୟଂବର ସଭାରେ ତିନି ରାଜକନ୍ୟା ସେମାନଙ୍କ ପସନ୍ଦରେ ନିଜ ନିଜ ପାଇଁ ବର ଚୟନ କରିବେ । କିନ୍ତୁ କାଶୀ ନରେଶ ଜାଣି ଜାଣି ହାସ୍ତନାପୁରର ବିଚିତ୍ରବିର୍ଯ୍ୟଙ୍କ ପାଇଁ ସ୍ୱୟଂବରରେ ଯୋଗ ଦେବାକୁ କୌଣସି ନିମନ୍ତ୍ରଣ ପତ୍ର ପଠାଇନଥାନ୍ତି ।

ଖବର ପାଇ ଭୀଷ୍ମଙ୍କୁ କଥାଟି ଅପମାନଜନକ ମନେ ହେଲା । ସେ ଜାଣିଥିଲେ ଦୁର୍ବଳ ବିଚିତ୍ରବୀର୍ଯ୍ୟ ନିଜ ପାଇଁ କେବେବି କନ୍ୟା ଯୋଗାଡ଼ କରି ପାରିବନି । ତା ପାଇଁ ତାଙ୍କୁ ହିଁ କିଛି କରିବାକୁ ପଡିବ । ଭୀଷ୍ମ ତାପରେ ରଥ ଚଢି କୁରୁ ସୈନ୍ୟ ସାମନ୍ତଙ୍କୁ ଧରି କାଶୀ ନରେଶଙ୍କ ସ୍ୱୟଂବର ସ୍ଥାନରେ ପହଞ୍ଚିଗଲେ । ଭୀଷ୍ମ ତ ନିଜ ପାଇଁ କନ୍ୟା ଖୋଜି ଯାଇନଥିଲେ । ଯାଇଥିଲେ ସାନଭାଇ ପାଇଁ । ତେଣୁ ତାଙ୍କର ଅନ୍ୟ ରାଜାମାନଙ୍କ ସହ ସେଠାରେ ବସିବାର ନଥିଲା । ସ୍ୱୟଂବର ସଭାରେ ସିଧା ପହଞ୍ଚି ଭୀଷ୍ମ ତିନି ରାଜ କନ୍ୟାଙ୍କୁ ହରଣ କରି ଆଣିବାକୁ ବାହାରିଲେ ।

ଭୀଷ୍ମ କାଶୀ ନରେଶଙ୍କୁ କହିଲେ, ହେ ରାଜା ଆଠ ପ୍ରକାରର ବିବାହ ଅଛି । ବିବାହ ପାଇଁ କନ୍ୟାକୁ ଅପହରଣ କରିନେବା ସେଥିରୁ ଗୋଟିଏ । ତେଣୁ ମୁଁ କିଛି ଅନ୍ୟାୟ କି ଶାସ୍ତ୍ର ବିରୋଧି କାମ କରୁନି । ହଁ ଶକ୍ତି ଥିଲେ ଆପଣ ମୋତେ ପ୍ରତିରୋଧ କରିପାରନ୍ତି । କାଶୀ ରାଜା କିଛି କରିବା ବା କହିବା ଆଗରୁ ସେଠାରେ ସ୍ୱୟଂବରକୁ ଆସିଥିବା ଅନ୍ୟ ରାଜାମାନେ ଭୀଷ୍ମଙ୍କ ଏପରି ବ୍ୟବହାରକୁ ମଥାପାତି କାହିଁକି ସହ୍ୟ କରିଥା'ନ୍ତେ? ସେମାନେ ମିଳିତ ଭାବରେ ଭୀଷ୍ମଙ୍କୁ ପ୍ରତିରୋଧ କଲେ । ଭୀଷ୍ମଙ୍କ ରଥକୁ ଚାରିପଟରୁ ଘେରିଯାଇ ହଜାର ହଜାର ତୀର ବର୍ଷା କଲେ । ଯୁଦ୍ଧବିଦ୍ୟାରେ ପାରଙ୍ଗମ ଭୀଷ୍ମ କିନ୍ତୁ ଏକା ଏକା ସମସ୍ତ ତୀରକୁ ତିନି ଖଣ୍ଡ କରିପକାଇଲେ । ସତକଥା ହେଲା, ଭୀଷ୍ମଙ୍କ ପରି ଯୋଦ୍ଧାଙ୍କ ଆଗରେ ଠିଆ ହେବାକୁ ସେଠାରେ କୌଣସି ବି ଜଣେ ରାଜାର ଶକ୍ତି ସାମର୍ଥ୍ୟ ନଥିଲା ।

ଅନ୍ୟ ରାଜାମାନେ ଛତ୍ରଭଙ୍ଗ ଦେଲାବେଳକୁ ସୌଭର ରାଜା ସଲ୍ୱ ଆସି ଭୀଷ୍ମଙ୍କୁ ବାଧା ଦେଲେ । ସଲ୍ୱ ବି ଜଣେ ଜଣାଶୁଣା ବୀର ଥିଲେ । ଯୁଦ୍ଧବିଦ୍ୟାରେ ପାରଙ୍ଗମ ଥିଲେ । ସେ ଯେତବେଳେ ରଣ ହୁଙ୍କାର ଦେଇ ଭୀଷ୍ମଙ୍କୁ ଆକ୍ରମଣ କଲେ ଭୀଷ୍ମ ପ୍ରତିଉତ୍ତରରେ ବରୁଣ ଅସ୍ତ୍ର ପ୍ରୟୋଗ କରି ସଲ୍ୱଙ୍କ ରଥର ଘୋଡା ଓ ରଥଚାଳକକୁ ହତ୍ୟା କଲେ ଓ ସଲ୍ୱଙ୍କୁ ନିରସ୍ତ୍ର କରିପକାଇଲେ । ସଲ୍ୱଙ୍କୁ ହତ୍ୟା ନକରି ଭୀଷ୍ମ ଛାଡିଦେଲେ ଓ ସୌଭ ରାଜା ସଲ୍ୱ ଜୀବନ ବଞ୍ଚାଇ ଯୁଦ୍ଧ କ୍ଷେତ୍ର ଛାଡି ପଳାୟନ କଲେ । ସଲ୍ୱଙ୍କ ପରାଜୟ ପରେ ଆଉ କେହି ବି ଭୀଷ୍ମଙ୍କୁ ସାମ୍ନା କରିବାକୁ ସାହାସ କଲେନି । ଭୀଷ୍ମ ତାପରେ ତିନି ରାଜକୁମାରୀଙ୍କୁ ସାଙ୍ଗରେ ଧରି ହସ୍ତିନାପୁରକୁ ବାହାରି ଆସିଲେ ।

ସତ୍ୟବତୀ ଓ ଭୀଷ୍ମ କାଶୀ ରାଜାଙ୍କର ତିନିଝିଅଙ୍କ ସହ ବିଚିତ୍ରବୀର୍ଯ୍ୟର ବିବାହର ଆୟୋଜନ କରୁଥିବା ବେଳେ ସେମାନଙ୍କ ପାଖରେ ଆସି ପହଞ୍ଚିଲେ ଅମ୍ବା । ଅମ୍ବା ହେଉଛନ୍ତି କାଶୀ ରାଜାଙ୍କ ବଡ ଝିଅ । ଅମ୍ବା କହିଲେ ଯେ ସେ ବହୁଆଗରୁ ସାଲ୍ୱଙ୍କର ବାଗଦତ୍ତା । ସ୍ୱୟଂବର ସଭାରେ ସେ ସାଲ୍ୱଙ୍କୁ ହିଁ ବରଣମାଳ ଦେଇ ସ୍ୱାମୀ ଭାବରେ ବରଣ କରିଥାନ୍ତେ । କିନ୍ତୁ ଭୀଷ୍ମଙ୍କ ଅପହରଣ ଯୋଗୁଁ ତାହା ସମ୍ଭବ ହେଲାନି । ଏବେ ତ ତାଙ୍କ ପାଖରେ ଆହୁରି ଦୁଇ ରାଜକନ୍ୟା ଅଛନ୍ତି । ତେଣୁ ତାଙ୍କୁ ସାଲ୍ୱଙ୍କ ପାଖକୁ ଫେରିଯିବାକୁ ଅନୁମତି ଦିଆଯାଉ ।

ଅମ୍ବାଙ୍କ କଥାରେ ଉଭୟେ ସତ୍ୟବତୀ ଓ ଭୀଷ୍ମ ରାଜି ହେଲେ । ଅମ୍ବା ଭାବିଥିଲେ ତାଙ୍କୁ ଦେଖି ସଲ୍ୱ ଖୁସି ହେଇଯିବେ । କିନ୍ତୁ ଅମ୍ବା ହସ୍ତିନାପୁରରୁ ଯାଇଁ ଯେତେବେଳେ ସୌଭ ଦେଶରେ ପହଞ୍ଚିଲେ, ସେତେବେଳେ ଅମ୍ବାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିବାକୁ ସଲ୍ୱ ସିଧା ମନାକରିଦେଲେ । ସଲ୍ୱ କହିଲେ ଥରେ ଅନ୍ୟଜଣେ ପୁରୁଷ ଦ୍ୱାରା ଅପହରଣ ହେଇସାରିଥିବା ନାରୀକୁ ସେ ବିବାହ କରି ପତ୍ନୀର ମର୍ଯ୍ୟାଦା ଦେଇ ପାରିବେନି ।

ସଲ୍ୱଙ୍କ କଥା ଶୁଣି ଅମ୍ବାଙ୍କ ହୃଦୟ ଭାଙ୍ଗିଗଲା । ତାଙ୍କର କୌଣସି ଅନୁରୋଧକୁ ସୌଭ ରାଜା ସଲ୍ୱ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଏବେ କୁଆଡେ ଯିବେ ଅମ୍ବା । ବାଧ୍ୟ ହେଇ ତାଙ୍କୁ ହସ୍ତିନାପୁରକୁ ଫେରି ଆସିବାକୁ ପଡିଲା । ଅମ୍ବା ଭାବିଲେ ଠିକ ଅଛି ଭାଗ୍ୟରେ ତାଙ୍କୁ ତାଙ୍କ ପ୍ରେମିକ ପୁରୁଷ ଆଉ ମିଳିବାର ନାହିଁ । କିନ୍ତୁ ହସ୍ତିନାପୁରରେ ପହଞ୍ଚିଲା ବେଳକୁ ବିଚିତ୍ରବୀର୍ଯ୍ୟ ମଧ୍ୟ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିବାକୁ ମନା କଲେ । କହିଲେ ଯାହା ଅନ୍ୟକୁ ଥରେ ଦାନ ଭାବରେ ଦିଆସରିଥାଏ ତାକୁ ଆଉଥରେ ଗ୍ରହଣ କରାଯାଏନି ।

ଅମ୍ବାଙ୍କ ପାଖରେ ଏବେ ସବୁ ରାସ୍ତା ବନ୍ଦ । ତାଙ୍କୁ ଲାଗିଲା ତାଙ୍କର ଏମିତି ଅବସ୍ଥା ପାଇଁ ଏକା ଭୀଷ୍ମହିଁ ଦାୟୀ । ସେ ସିଧା ଭୀଷ୍ମଙ୍କ ପାଖକୁ ଆସି କହିଲେ, ସଲ୍ୱ କିମ୍ବା ବିଚିତ୍ରବୀର୍ଯ୍ୟ କେହିବି ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିବାକୁ ଏବେ ଆଉ ଚାହାଁନ୍ତିନି । ତାଙ୍କୁ ଯେହେତୁ ଭୀଷ୍ମହିଁ ଅପହରଣ କରି ଆଣିଛନ୍ତି ନିୟମତଃ ସେ ହିଁ ତାଙ୍କୁ ଏବେ ବିବାହ କରନ୍ତୁ ଓ ପତ୍ନୀର ମର୍ଯ୍ୟାଦା ଦିଅନ୍ତୁ ।

Young man who vowed not to marry kidnapping of the princess ବିବାହ ନ କରିବାର ଶପଥ ନେଇଥିବା ଯୁବକଙ୍କ ରାଜକନ୍ୟା ଅପହରଣ

ଅମ୍ବାଙ୍କ ଯୁକ୍ତି ଶୁଣି ଭୀଷ୍ମ କହିଲେ, ହଁ ସତ କଥା ମୁଁ ତୁମକୁ ଅପହରଣ କରି ଆଣିଥିଲି । କିନ୍ତୁ ମୁଁ ନିଜେ ବିବାହ କରିବାକୁ ତୁମ ତିନି ଭଉଣୀଙ୍କୁ ଆଣିନଥିଲି । ଆଣିଥିଲି ମୋ ସାନ ଭାଇ ସହ ବିବାହ ଦେବାକୁ । କିନ୍ତୁ ତୁମେ ତ ନିଜେ ମନା କଲ ଓ ସଲ୍ୱଙ୍କୁ ବିବାହ କରିବା ପାଇଁ ଏଠୁ ଚାଲିଗଲ । ମୁଁ କିନ୍ତୁ ତୁମକୁ ବିବାହ କରିପାରିବିନି । ଅନେକ ଆଗରୁ ମୁଁ ଶପଥ ନେଇସାରିଛି ଜୀବନ କାଳ ଭିତରେ କେବେବି ବିବାହ କରିବିନି । ତୁମକୁ ଏବେ ସଲ୍ୱ ଓ ବିଚିତ୍ରବୀର୍ଯ୍ୟ ଉଭୟେ ବିବାହ କରିବାକୁ ମନା କରୁଛନ୍ତି । ତେଣୁ ତୁମେ ଏବେ ମୁକ୍ତ । ଏତେ ବଡ ପୃଥିବୀରେ ତୁମେ ତୁମ ଇଚ୍ଛାରେ ଯାହାକୁ ଇଚ୍ଛା ତାକୁ ବିବାହ କରି ଘର ସଂସାର କରିପାର ।

ଭୀଷ୍ମଙ୍କ କଥା ଶୁଣିଲା ପରେ ଅମ୍ବା ବୁଝୁଥିଲେ ଆଗକୁ ବାଟ ଚାଲିବାକୁ ତାଙ୍କ ପାଖରେ ଆଉ କିଛି ବି ରାସ୍ତା ବାକି ନାହିଁ । ତାଙ୍କ ମନ କ୍ରୋଧରେ ଭରି ଯାଇଥାଏ । ସବୁଗୁଡା ରାଗ ତାଙ୍କର ଏବେ ଭୀଷ୍ମଙ୍କ ଉପରେ । ସେ ହିଁ ତାଙ୍କ ଜୀବନକୁ ପୋଡି ଜାଳି ଛାରଖାର କରିଦେଲେ ।

ଭୀଷ୍ମଙ୍କ ଉପରେ ପ୍ରତିଶୋଧ ନେବାକୁ ହେବ । କିନ୍ତୁ କେମିତି? ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ, କ୍ରୋଧ ଏବଂ ପ୍ରତିଶୋଧର ନିଆଁରେ କୁହୁଳି କୁହୁଳି ହସ୍ତିନାପୁରର ରାଜନଅରରୁ ବାହାରି ଆସିଲେ ଅମ୍ବା ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
Advertisment
Advertisment