• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷ ଟାର୍ଗେଟ୍‌ରେ ମାରିଉପୋଲ । ଆକ୍ରମଣ ନୁହେଁ ତ, ସତେ ଯେମିତି ଜାରି ରହିଛି ଗଣହତ୍ୟା । ଏଯାଏଁ ପ୍ରାଣ ହରାଇଲେଣି ପ୍ରାୟ ୩ ହଜାର ସାଧାରଣ ଲୋକ । ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା । ଯେଉଁଠି ଆଶ୍ରୟ ନେଇଥିଲେ ବହୁ ଶିଶୁଙ୍କ ସମେତ ହଜାରେରୁ ଅଧିକ ଲୋକ । ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।

ଆକାଶମାର୍ଗରୁ ଯେପରି ହମ୍‌ଲା ନହୁଏ, ସେଥିପାଇଁ ଥିଏଟର୍ ବିଲ୍ଡିଂର ଉଭୟ ପଟେ ଋଷୀୟ ଭାଷାରେ, ସେଠାରେ ପିଲାମାନେ ଅଛନ୍ତି ବୋଲି ଲେଖାଯାଇଥିଲା । ତଥାପି ଋଷ ସେନା ସେଠାରେ ଆକ୍ରମଣ କରିଥିବା ୟୁକ୍ରେନ୍ ଅଭିଯୋଗ କରିଛି । ୟୁକ୍ରେନ୍‌ର ଦକ୍ଷିଣ ପୂର୍ବରେ ଥିବା ବନ୍ଦର ନଗରୀ ମାରିଉପୋଲ ଦଖଲ କଲେ, ଋଷ ପାଇଁ ବିବାଦୀୟ କ୍ରିମିଆ ଅଞ୍ଚଳକୁ ବାଟ ଫିଟିଯିବ । ସେପଟେ ଏହି ସହରରେ ହସ୍ପିଟାଲ, ସ୍କୁଲ ଓ ଜନବସତି ଅଞ୍ଚଳକୁ ଋଷର ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍ ଯୁଦ୍ଧ ଅପରାଧ ବୋଲି ଆଖ୍ୟା ଦେଇଛନ୍ତି ।

ଋଷ-ୟୁକ୍ରେନ୍ ଯୁଦ୍ଧ ୨୨ ଦିନରେ ପହଞ୍ଚିଛି । ଆମେରିକା ଆକଳନ କରିଛି ଯେ, ଋଷର ୭ ହଜାର ଓ ୟୁକ୍ରେନ୍‌ର ୨ରୁ ୪ ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି । ଖାରକିଭ୍‌ରେ ଏକ ସ୍କୁଲ୍ ଉପରେ ବୋମା ପଡ଼ିଥିବା ବେଳେ, ଚେର୍ନିବ୍‌ରେ ବ୍ରେଡ୍ ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ୧୦ଜଣ ଲୋକ ଗୁଳିର ଶିକାର ହୋଇଛନ୍ତି । ୯ ଋଷୀୟ ସୈନ୍ୟଙ୍କୁ ଫେରାଇ ମେଲିଟିପୋଲ ମେୟରଙ୍କୁ ଉଦ୍ଧାର କରିଛି ଜେଲେନ୍‌ସ୍କି ସରକାର । ୟୁକ୍ରେନ୍ ଆକ୍ରମଣରେ ଜଣେ ଋଷୀୟ ମେଜର୍ ଜେନେରାଲ୍ ପ୍ରାଣ ହରାଇଛନ୍ତି ।

 

ଅନ୍ୟପକ୍ଷରେ ଋଷ ଆକ୍ରମଣରେ ଜଣେ ୟୁକ୍ରେନୀୟ ସାଂସଦଙ୍କ ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁ ଘଟିଛି । ତେଣେ ବ୍ରିଟେନ୍ କହିଛି ଯେ, ଉଭୟ ଜଳ, ସ୍ଥଳ ଓ ଆକାଶରେ ଋଷ ସେନାର ଅଗ୍ରଗତି ସପ୍ତାହେ ହେଲାଣି ମନ୍ଥର ହେବାରେ ଲାଗିଛି । ସେପଟେ ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍‌ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛି । ICJରେ ଋଷ ସପକ୍ଷରେ ୨ଟି ଓ ବିରୋଧରେ ୧୩ଟି ଭୋଟ୍ ପଡ଼ିଥିବା ବେଳେ, ଭାରତୀୟ ବିଚାରପତି ଜଷ୍ଟିସ୍ ଦଲବୀର ଭଣ୍ଡାରୀ ଋଷ ବିରୋଧରେ ଭୋଟ୍ ଦେଇଥିଲେ ।