/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740074254.jpg)
Teacher Protest For Salary
ଜଣେ ଶିକ୍ଷକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଛନ୍ତି । ବଲାଙ୍ଗୀର ଜିଲ୍ଲା ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ଦରମା ନମିଳିବାରୁ ମଜୁରି କରିବାକୁ ଛୁଟି ମାଗିଥିଲେ । ସେ ମୂଲ ଲାଗି ଯିବେ ବୋଲି ଏକ ଦରଖାସ୍ତ ଲେଖିଥିଲେ । ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।
ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ପ୍ରଭୁଦତ୍ତ ଆଜି ଭିନ୍ନ ଭାବେ ପ୍ରତିବାଦ କରିଛନ୍ତି । ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି । ସକାଳୁ ଜମିକୁ ଯାଇ ଫସଲରେ ପାଣି ମଡ଼ାଇବା ସହ କୋଡ଼ାଖୋସା ବି କରିଛନ୍ତି । ଶେଷରେ ଏହି ସହକାରୀ ଶିକ୍ଷକ ମଜୁରୀ ବାବଦରେ ୩୦୦ ଟଙ୍କା ନେଇଛନ୍ତି ।
ଅଭିଯୋଗ ଅନୁସାରେ, ପ୍ରଭୁଦତ୍ତ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଶିକ୍ଷକ । ବିଇଓଙ୍କ ଅବହେଳା କାରଣରୁ ଗଲା ତିନି ମାସ ହେଲା ତାଙ୍କୁ ଦରମା ମିଳିନି । ସେଥିପାଇଁ ସେ ଆର୍ଥିକ ଅନଟନ କାରଣରୁ ମଜୁରୀ କାମ କରିବାକୁ ଛୁଟି ମାଗିଥିଲେ । ଏଥିପାଇଁ ପ୍ରଧାନ ଶିକ୍ଷକଙ୍କ ମଞ୍ଜୁରୀ ପରେ ଆଜି ସେ ବିଲରେ ମୂଲ ଲାଗିଛନ୍ତି । ଖାଲି ପ୍ରଭୁଦତ୍ତ ନୁହଁନ୍ତି ପୁଇଁନ୍ତଲା ବ୍ଳକରେ ଏକ୍ସ କ୍ୟାଡରର ୭୨ ଜଣ ଶିକ୍ଷକ ବି ତିନିମାସର ଦରମା ପାଇନାହାନ୍ତି ।
ସୂଚନା ଅନୁସାରେ, ଶିକ୍ଷକଙ୍କ ପାଇଁ ଡି.ଜି. ଗଭ୍ ସଫ୍ଟୱୟାର ମାଧ୍ୟମରେ ଡିସେମ୍ବରରେ ଟଙ୍କା ଆସିଥିଲା । ହେଲେ ଆକାଉଣ୍ଟାଣ୍ଟ ମାନେ ଆନ୍ଦୋଳନରେ ଥିବାରୁ ଅନ୍ୟ କର୍ମଚାରୀଙ୍କ ସହାୟତାରେ ଦରମା କାମ କରାଇବାକୁ ଓସେପା ତରଫରୁ ଡିଇଓମାନଙ୍କୁ ଏହି ଚିଠି ଲେଖା ଯାଇଥିଲା । ଶିକ୍ଷକଙ୍କ ଦରମା ଯେପରି ବନ୍ଦ ନହେବ ସେଥିପାଇଁ ବିଇଓଙ୍କୁ ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ । କିନ୍ତୁ ପୁଇଁନ୍ତଲା ଏବଂ ବଲାଙ୍ଗିର ବ୍ଳକ ଦାୟିତ୍ବରେ ଥିବା ବି.ଇ.ଓ ଲୋକନାଥ ସୁନା ଏହାକୁ ପାଳନ କରିନଥିଲେ । ତାଙ୍କ ଅବହେଳା ପାଇଁ ଟଙ୍କା ଫେରିଯାଇଥିଲା ।
ସେପଟେ ନୂତନ ଭାବେ ଯୋଗ ଦେଇଥିବା ଶିକ୍ଷକ ପାଞ୍ଚ ମାସ ହେଲା ଦରମା ପାଇନାହାନ୍ତି । ଏନେଇ ଅଭିଯୋଗ ପରେ ବିଇଓଙ୍କୁ ଡିଇଓ ତାଗିଦ୍ କରିଥିବା ସୂଚନା ମିଳିଛି । ଏହାସହ ଶୀଘ୍ର ଦରମା ଦେବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ମିଳିବ ଶିକ୍ଷକଙ୍କ ଦରମା ଟଙ୍କା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)