/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740066982.jpg)
ଦିଲ୍ଲୀରେ ରେଖା ରାଜ୍
ଦିଲ୍ଲୀରେ ଚାଲିଲା ‘ରେଖା’ ରାଜ୍ । ବିଜେପି ଲାଗି ନୂଆ ଇତିହାସ ରଚି ରାଜ୍ୟର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ରେଖା ଗୁପ୍ତା । ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମାଙ୍କ ସହ ରେଖାଙ୍କ ୬ ଜଣିଆ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛି । ଏଥିସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଉ ନେଉ ଆକ୍ସନ ମୋଡକୁ ଆସିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଯମୁନା ଘାଟକୁ ଆସି ପ୍ରଦୂଷଣ ସ୍ଥିତିର ସମୀକ୍ଷା କରିବା ଯମୁନା ଆଳତୀ ବି କରିଛନ୍ତି । ଆଉ ଏବେ ଅପେକ୍ଷା ରେଖାଙ୍କ ପ୍ରଥମ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଉପରେ ।
ଦିଲ୍ଲୀରେ ବିଜେପି ପାଇଁ ରେଖା ରଚିଲେ ନୂଆ ଇତିହାସ । ୨୭ ବର୍ଷ ପରେ କମଳ ଖେଳିଲା, ବିଜେପି ହାତକୁ ଶାସନ ଫେରିଲା । ଐତିହାସିକ ରାମଲୀଳା ମୈଦାନ... ବିକଶିତ ଦିଲ୍ଲୀ ଶପଥ ସମାରୋହ ନାଁରେ ଭବ୍ୟ ଉତ୍ସବ...ଆଉ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ, ବିଜେପି ଓ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କଠୁ ନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଭଳି ଦଳର ତୁଙ୍ଗ ନେତା ଓ ମନ୍ତ୍ରୀଙ୍କ ଗହଣରେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ଏଥିସହ ଦିଲ୍ଲୀକୁ ମିଳିଛି ଚତୁର୍ଥ ଏବଂ ସୁଷମା ସ୍ବରାଜଙ୍କ ପରେ ବିଜେପିର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ଲଜ୍ଜା, ଇଣ୍ଟରନେଟରେ ବିକ୍ରି ହେଉଛି ମହିଳାଙ୍କ ଗାଧୁଆ ଭିଡିଓ
ସେହିପରି ଉପରାଜ୍ୟପାଳ ଭି.କେ. ସକସେନାଙ୍କଠୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମାଙ୍କ ସହ ରେଖାଙ୍କ ୬ ଜଣିଆ ମନ୍ତ୍ରିମଣ୍ଡଳ । ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ତାଙ୍କରି ନିଜ ଗଡ଼ରେ ଧୂଳି ଚଟାଇଥିବା ପରବେଶଙ୍କ ସହ ଆଶିଷ ସୁଦ, ମନଜିନ୍ଦର ସିଂ ସିର୍ସା, ରବିନ୍ଦର ଇନ୍ଦରାଜ ସିଂ, କପିଲ ମିଶ୍ରା ଓ ପଙ୍କଜ ସିଂ ।
ମଧ୍ୟାହ୍ନରେ ଶପଥ, ଅପରାହ୍ଣରେ କାର୍ଯ୍ୟଭାର ଗ୍ରହଣ । ଦିଲ୍ଲୀ ନିର୍ବାଚନ ପ୍ରଚାରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବାଙ୍କ ସହ ବହୁ ବରିଷ୍ଠ ନେତାଙ୍କ ସହ ସଚିବାଳୟ ଯାଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ରେଖା ଗୁପ୍ତା । ଏହି ଅବସରରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟ କର୍ମଚାରୀଙ୍କ ପକ୍ଷରୁ ଉଛ୍ବସ୍ବିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀ ଚଉକିରେ ବସୁ ବସୁ ବଡ଼ ଘୋଷଣା କରିଥିଲେ ରେଖା। କହିଥିଲେ, ଆମ ସରକାର ବିକଶିତ ଦିଲ୍ଲୀ ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାମ କରିବ, ଦିଲ୍ଲୀବାସୀଙ୍କୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରା କରାଯିବ। ।
ଆଉ ଇଏ ଦାୟିତ୍ବ ନେବାର ପ୍ରଥମ କେଇ ଘଣ୍ଟାରେ ଆକ୍ସନ୍ ମୋଡରେ ଦିଲ୍ଲୀ ସରକାର । ଯେଉଁ ଯମୁନା ପ୍ରଦୂଷଣ ରୋଷରୁ ଦିଲ୍ଲୀ ବାଜି ପଲଟିଲା, ଯେଉଁ ସ୍ବଚ୍ଛ ଯମୁନା ବିଜେପି ପାଇଁ ବଡ଼ ନିର୍ବାଚନୀ ମୁଦ୍ଦା ଥିଲା, ରେଖା ରାଜ୍ ଆରମ୍ଭ ହେଉ ହେଉ ଆଜି ଯମୁନା ଘାଟ ଯାଇ ପ୍ରଦୂଷଣ ପ୍ରସଙ୍ଗରେ ସ୍ଥିତି ସମୀକ୍ଷା କରିବା ସହ ଯମୁନା ଆଳତୀ ବି କରିଛନ୍ତି ମୁଖ୍ୟମନ୍ତ୍ରୀ ।
ହେଲେ କେବଳ ଏଇ ସ୍ବଚ୍ଛ ଯମୁନା ପ୍ରସଙ୍ଗ ନୁହେଁ, ପ୍ରାୟ ତିନି ଦଶନ୍ଧି ପରେ ଜାତୀୟ ରାଜଧାନୀକୁ ଫେରିଥିବା ବିଜେପି ଏବଂ ରେଖା ସରକାର ଆଗରେ ଚ୍ୟାଲେଞ୍ଜ୍ ବି କମ୍ ନୁହେଁ । ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହେଲା ନିର୍ବାଚନୀ ପ୍ରତିଶ୍ରୁତି ପୂରା କରିବା । ସେ ଭିତରୁ ବଡ଼ ପ୍ରତିଶ୍ରୁତି ହେଉଛି ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ସୁଦ୍ଧା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ । ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା ଗଠନ କରିବା ନୂଆ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ। ଏଥିସହ ଆପ୍ ସରକାରର ମାଗଣା ବିଦ୍ୟୁତ୍, ପାଣି, ବସ୍ ଯାତ୍ରା ଭଳି ମାଗଣା ଯୋଜନା ପ୍ରତିଶ୍ରୁତିକୁ ଜାରି ରଖିବା ଏବଂ ନୂଆ ଯୋଜନା ଆଣିବା ଲାଗି ସମ୍ଭାବ୍ୟ ଆର୍ଥିକ ବୋଝ ପରିଚାଳନା ବି ଅନ୍ୟ ଏକ ଚ୍ୟାଲେଞ୍ଜ୍। ସେହିପରି ବର୍ଷ ବର୍ଷ ଧରି ବାୟୁ ପ୍ରଦୂଷଣ ସମସ୍ୟାରେ ଜୁଝି ହେଉଥିବା, ଏପରିକି ୨୦୨୪ରେ ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହରର ଅପବାଦ ମୁଣ୍ଡାଇଥିବା ଦିଲ୍ଲୀବାସୀଙ୍କୁ ଏଥିରୁ ମୁକ୍ତି ଦେବା ବି ରେଖା ସରକାର ସାମ୍ନାରେ ବଡ଼ ଆହ୍ବାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)