• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅସୁରକ୍ଷିତ ନେପାଳ ଆକାଶ । କେବଳ ପୋଖରା ଟ୍ରାଜେଡି ନୁହେଁ, ବିଗତ ବର୍ଷ ମାନଙ୍କରେ ବାରମ୍ବାର ଏଭଳି ବିମାନ ଦୁର୍ଘଟଣା ନେପାଳରେ ଘଟିବା ପରେ ଚାରିଆଡ଼େ ଏନେଇ ଚର୍ଚ୍ଚା ।  ଏଠାରେ ୩୦ ବର୍ଷରେ ଘଟିଛି ୨୭ଟି ମର୍ମନ୍ତୁଦ ବିମାନ ଦୁର୍ଘଟଣା ।  ତେବେ କାହିଁକି ନେପାଳରେ ବିମାନ ଉଡ଼ାଣ ଅତି କାଠିକର ପାଠ? କାହିଁକି ଏହି ଦେଶ ବିମାନ ଦୁର୍ଘଟଣାପ୍ରବଣ?

ହିମାଳୟ ପାର୍ବତ୍ୟାଞ୍ଚଳରେ ଥିବା ଆମ ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ । ଏହା ପଛରେ ରହିଆସିଛି ଅନେକ କାରଣ । ତେବେ ସବୁଠୁ ବଡ଼ କାରଣ ହେଲା ନେପାଳର ଭୌଗୋଳିକ ଅବସ୍ଥିତି । ବିଶ୍ୱର ୧୪ଟି ଉଚ୍ଚ ଗିରିଶୃଙ୍ଗରୁ ୮ଟି ରହିଛି ନେପାଳରେ । ତେଣୁ ପାହାଡ଼ ପର୍ବତରେ ପରିପୂର୍ଣ୍ଣ ଅଞ୍ଚଳରେ ବିମାନ ଅବତରଣ କରାଇବା ଖୁବ୍ କାଠିକର ପାଠ । ଚାରିପଟେ ପର୍ବତ, ମଝି ଉପତ୍ୟକାରେ ଥାଏ ରନୱେ । ତାଛଡ଼ା ଅଚାନକ ବଦଳୁଥିବା ପାଣିପାଗ ବି ଆହୁରି ଜଟିଳ କରିଦିଏ ବିମାନ ଉଡ଼ାଣକୁ ।

କୁହୁଡ଼ି ଓ ବର୍ଷା ଯୋଗୁଁ ଭିଜିବିଲିଟି ବା ପାଇଲଟଙ୍କୁ ରନୱେ ଦେଖିବାରେ ସମସ୍ୟା ହୁଏ । ହଠାତ୍ ବିପରୀତ ଦିଗରୁ ପବନ ବହିଲେ ମଝି ଆକାଶରେ ଇଞ୍ଜିନ୍ ବନ୍ଦ ହୋଇଯିବାର ଆଶଙ୍କା ଥାଏ । ଏଥିପାଇଁ ପାଇଲଟଙ୍କ ଅଭିଜ୍ଞତା ଯେତିକି ଜରୁରୀ, ଉପସ୍ଥିତ ବୁଦ୍ଧି ବି ସେତିକି ଗୁରୁତ୍ୱପୂର୍ଣ୍ଣ । ସୂଚନା ଅନୁସାରେ ନେପାଳରେ ରହିଛି ବିଶ୍ୱର ସବୁଠୁ ବିପଜ୍ଜନକ ବିମାନବନ୍ଦର ଲୁକଲା ସ୍ଥିତ ଟେନଜିଙ୍ଗ୍-ହିଲାରି ଏୟାରପୋର୍ଟ ।

ସମୁଦ୍ରପତ୍ତନରୁ ୯ହଜାର ୩୮୩ ଫୁଟ୍ ଉଚ୍ଚରେ ଥିବା ଏହି ବିମାନବନ୍ଦରରେ ରହିଛି ଗୋଟିଏ ମାତ୍ର ରନୱେ । ତାର ଗୋଟିଏ ପଟେ କାନ୍ଥ, ଆରପଟେ ଗଭୀର ଖାଇ। ରନୱେର ଲମ୍ବ ମାତ୍ର ୫୨୬ ମିଟର । ସାମାନ୍ୟ ବିଚ୍ୟୁତି ବି ଆଣିପାରେ ଭୟଙ୍କର ବିପତ୍ତି । ସେଠାରେ ୨୦୦୮ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟେତି ଏୟାରଲାଇନ୍ସର ଏକ ବିମାନ । ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଲୁକଲା ଭଳି ଜମସମ୍, ସିମିକୋଟ୍, ଜୁମଲା ଓ ଡୋଲପା ଏୟାରପୋର୍ଟ ବି ଭାରି ବିପଦପୂର୍ଣ୍ଣ ... ।

ତେବେ କେବଳ ଭୂମିରୂପ କି ପାଣିପାଗ ନୁହେଁ, ନେପାଳରେ ପ୍ରାୟ ପ୍ରତିବର୍ଷ ଗୋଟିଏ ଲେଖାଏଁ ବିମାନ ଦୁର୍ଘଟଣା ହେବା ପଛରେ ଆହୁରି କିଛି କାରଣ ରହିଛି । ସେଗୁଡ଼ିକ ହେଉଛି, ଦୁର୍ବଳ ଭିତ୍ତିଭୂମି, ଦୁର୍ବଳ ନିରାପତ୍ତା ନିୟମ, ସ୍ୱଳ୍ପ ପ୍ରଶିକ୍ଷିତ ପାଇଲଟ୍ ଇତ୍ୟାଦି । ସେଠାରେ ବିମାନ ଏବଂ ରନୱେର ରକ୍ଷଣାବେକ୍ଷଣ ଠିକ୍ ଭାବେ କରାଯାଉନଥିବା ଏବଂ ପାଇଲଟଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ବିନା ବିମାନ ଉଡ଼ାଇବାକୁ ଅନୁମତି ମିଳୁଥିବା ଅଭିଯୋଗ ହୁଏ ।

ଅଧିକାଂଶ ଦିନ ପାଇଲଟଙ୍କ ସମେତ ଅନ୍ୟ କ୍ରୁ ମେମ୍ବରଙ୍କୁ କାର୍ଯ୍ୟ ଅବଧିଠୁ ଅଧିକ ସମୟ ଯାଏଁ ବିମାନ ଉଡ଼ାଇବାକୁ ପଡ଼େ । ତେଣୁ ସେମାନେ କ୍ଳାନ୍ତ ଓ ଚାପଗ୍ରସ୍ତ ମଧ୍ୟ ରହିଥାନ୍ତି । ନେପାଳରେ ଚଳାଚଳ କରୁଥିବା ବିମାନ ମଧ୍ୟରୁ ଅଧିକାଂଶ ପୁରୁଣାକାଳିଆ ଟେକ୍ନୋଲୋଜି ବିଶିଷ୍ଟ । ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଥିବାରୁ ବିମାନ ଗୁଡ଼ିକରେ ଆଧୁନିକ ରାଡାର୍ କିମ୍ବା ଜିପିଏସ୍ ଟେକ୍ନୋଲୋଜି ଆଦିର ଅଭାବ ଦେଖାଯାଏ । ଏହିସବୁ କାରଣରୁ ୟୁରୋପୀୟ ସଂଘ ନେପାଳ ବିମାନକୁ ନିଜ ଆକାଶରେ ପ୍ରବେଶ କରିବା ଉପରେ ନିଷେଧାଦେଶ ଜାରି କରିଛି ।