• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିନ୍ଧୁ ରାଜିନାମାକୁ ନେଇ ତେଜିଲା ଭାରତ-ପାକିସ୍ତାନ ଜଳ କଳି । ସିନ୍ଧୁ ଜଳ ସନ୍ଧିର ଉଲ୍ଲଂଘନ କରିଥିବା ଦର୍ଶାଇ ପାକିସ୍ତାନକୁ ନୋଟିସ୍ ପଠାଇଛି ଭାରତ । ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଜଳ ଭାଗବଣ୍ଟାକୁ ନେଇ ୬ ଦଶନ୍ଧି ତଳେ ସ୍ୱାକ୍ଷର ହୋଇଥିଲା ରାଜିନାମା, ଯାହାକୁ କୁହାଯାଉଛି ସିନ୍ଧୁ ଜଳ ସନ୍ଧି ବା ଇଣ୍ଡସ୍ ଓ୍ୱାଟର୍ ଟ୍ରିଟି । ପାକିସ୍ତାନ ଏହାର ନବମ ଅନୁଚ୍ଛେଦର ଉଲ୍ଲଂଘନ କରିଛି ଏବଂ ପାକିସ୍ତାନର ପଦକ୍ଷେପ ରାଜିନାମାର କାର୍ଯ୍ୟକାରିତା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ତେଣୁ ଭାରତ ପାକିସ୍ତାନକୁ ନୋଟିସ୍ ପଠାଇବାକୁ ବାଧ୍ୟ ହୋଇଛି ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ୨୦୧୫ରେ ଭାରତର କିଶନଗଙ୍ଗା ଓ ରାତଲେ ଜଳ ବିଦ୍ୟୁତ ପ୍ରକଳ୍ପର ବୈଷୟିକ ଦିଗକୁ ନେଇ ଆପତ୍ତି ଉଠାଇଥିଲା ପାକିସ୍ତାନ । ଜଣେ ତୃତୀୟ ପକ୍ଷ ବିଶେଷଜ୍ଞଙ୍କ ଜରିଆରେ ଏହାର ସମାଧାନ ଚାହିଁଥିଲା , ହେଲେ ୨୦୧୬ରେ ହଠାତ୍ ନିଜର ଏହି ଆବେଦନକୁ ପ୍ରତ୍ୟାହାର କରି ମଧ୍ୟସ୍ଥତା କୋର୍ଟରେ ବିବାଦର ଫୈସଲା ହେଉ ବୋଲି ଚାହିଁଥିଲା ଇସ୍ଲାମାବାଦ । ଏହି ଏକତରଫା ନିଷ୍ପତ୍ତି ହିଁ ଟ୍ରିଟିର ନବମ ଅନୁଚ୍ଛେଦର ଉଲ୍ଲଂଘନ ବୋଲି ଦର୍ଶାଇ ଗତ ୨୫ ତାରିଖରେ ଭାରତ ପାକିସ୍ତାନକୁ ନୋଟିସ୍ ପଠାଇଛି ।

ମିଳିତ ସହମତିରେ ସମାଧାନର ରାସ୍ତା ଖୋଜିବା ଉପରେ ଭାରତ ୨୦୧୭ରୁ ୨୦୨୨ ମସିହା ଯାଏଁ ଚେଷ୍ଟା ଚଳାଇଥିଲେ ବି, ପାକିସ୍ତାନ ଏହାକୁ କର୍ଣ୍ଣପାତ କରିନଥିଲା । ୫ଟି ବୈଠକରେ ଯୋଗ ଦେଇଥିଲେ ମଧ୍ୟ ଚୁପ୍ ରହିଥିଲେ ପାକିସ୍ତାନ ପକ୍ଷ । ତେଣୁ ଶେଷରେ ବାଧ୍ୟ ହୋଇ ନୂଆଦିଲ୍ଲୀ ନୋଟିସ୍ ପଠାଇଛି ଏବଂ ଅନ୍ତଃସରକାରୀ ଆଲୋଚନା ପାଇଁ ପାକିସ୍ତାନକୁ ୯୦ ଦିନର ମହଲତ ଦେଇଛି ... ।

୧୯୬୦ ମସିହା ସେପ୍ଟେମ୍ବର ୧୯ ଇଣ୍ଡସ୍ ଓ୍ୱାଟର୍ ଟ୍ରିଟି ବା ସିନ୍ଧୁ ଜଳ ରାଜିନାମା କରାଚିରେ ସ୍ୱାକ୍ଷର ହୋଇଥିଲା । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନଙ୍କ ମଧ୍ୟରେ ସିନ୍ଧୁ ଓ ତାର ଉପନଦୀର ଜଳ ଭାଗବଣ୍ଟାକୁ ନେଇ ଏହି ରାଜିନାମା ହୋଇଥିବା ବେଳେ ଏହାର ମଧ୍ୟସ୍ଥତା କରିଥିଲା ବିଶ୍ୱ ବ୍ୟାଙ୍କ୍ । ସନ୍ଧି ପ୍ରାବଧାନ ଅନୁସାରେ, ଭାରତକୁ ସତେଜ, ବ୍ୟାସ ଓ ରାବୀ ନଦୀର ଜଳ ଦିଆଗଲା ଏବଂ ପାକିସ୍ତାନକୁ ମିଳିଲା ସିନ୍ଧୁ, ଝେଲମ୍ ଓ ଚେନାବ୍ ନଦୀର ଜଳ । ତେବେ ଏହି ସନ୍ଧି ବ୍ୟବସ୍ଥାର ପରିଣାମ, ଭାରତକୁ ଇଣ୍ଡସ୍ ରିଭର୍ ସିଷ୍ଟମର ୨୦ ପ୍ରତିଶତ ଜଳ ମିଳୁଥିବା ବେଳେ, ପାକିସ୍ତାନକୁ ମିଳେ ୮୦ ପ୍ରତିଶତ ଜଳ ।

ଏହି ଜଳକୁ ପରିବହନ, ବିଦ୍ୟୁତ ଉତ୍ପାଦନ ଓ କୃଷିକାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ ସମ୍ପୃକ୍ତ ଦେଶ । ରାଜିନାମାରେ ଉଭୟ ଦେଶର ଜଳ ଆୟୁକ୍ତଙ୍କ ମଧ୍ୟରେ ବର୍ଷକୁ ୨ ଥର ବୈଠକ ଏବଂ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପାଇଁ ନିୟମ ରହିଛି । ତେବେ ପାକିସ୍ତାନ ଗତ ୫ଟି ବୈଠକରେ ଚୁକ୍ତିର ନବମ ଅନୁଚ୍ଛେଦ ଉପରେ ଆଲୋଚନା କରିବାକୁ ମନା କରିଦେଇଥିଲା । ତେଣୁ ବାଧ୍ୟ ହୋଇ ପାକିସ୍ତାନକୁ ନୋଟିସ୍ ପଠାଇଛି ଭାରତ ... ।

ବିଗତ ବର୍ଷମାନଙ୍କରେ ତିକ୍ତତର ହୋଇଛି ଭାରତ-ପାକିସ୍ତାନ ସଂପର୍କ । ଆତଙ୍କୀ ଅନୁପ୍ରବେଶ, ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ବିଶ୍ୱ ସମୁଦାୟ ଆଗରେ ଭାରତ ବିରୋଧରେ ବିଷୋଦଗାର ଜାରି ରଖିଛିଆମ ପଡ଼ୋଶୀ ଦେଶ ତେଣୁ । ଏହାର ବଦଲା ନେବାକୁ ଭାରତ କାଳେ ହାତରେ ନମାରି ଭାତରେ ମାରିବ, ଅର୍ଥାତ୍ ସିନ୍ଧୁ ନଦୀ ଜଳକୁ ବ୍ୟବହାର କରି ପାକିସ୍ତାନରେ ବନ୍ୟା କିମ୍ବା ମରୁଡ଼ି ସ୍ଥିତି ସୃଷ୍ଟି କରିବ; ସେଥିପାଇଁ ଭୟଭୀତ ଅଛି ଘୋର ଅର୍ଥିକ ସଂକଟଗ୍ରସ୍ତ ପାକିସ୍ତାନ ... ।