• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ? ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାଓ୍ୱଲ୍ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ଏସସିଓ ବୈଠକରେ ଯୋଗଦେବାକୁ ଡାକିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଚୀନକୁ ବି ଏହି ବୈଠକକୁ ଡକାଯାଇଛି । ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଭାରତ ସହ ଶାନ୍ତି ଆଲୋଚନା ଚାହାଁନ୍ତି ବୋଲି କହୁଥିବା ବେଳେ, ବିଲାଓ୍ୱଲଙ୍କ ଆଭିମୁଖ୍ୟ କଣ ରହିବ, ତାକୁ ନେଇ ପ୍ରଶ୍ନ ଉଠିଛି ... ।

ଆାସନ୍ତା ମେ ୪ ଓ ୫ ତାରିଖରେ ଗୋଆରେ ଆୟୋଜନ ହେବାକୁ ଯାଉଛି ସାଂଘାଇ କୋପରେସନ୍ ଅର୍ଗାନାଇଜେସନ୍ ବା SCO ବୈଠକ । ଏଥିପାଇଁ ସମସ୍ତ SCO ସଦସ୍ୟଙ୍କୁ ବିଧିବ୍ୟବସ୍ଥା ମୁତାବକ ନିମନ୍ତ୍ରଣ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ପାକିସ୍ତାନ ଓ ଚୀନକୁ ବି ଯାଇଛି ଡାକରା । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ୍ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗ୍ୟାଙ୍ଗଙ୍କୁ ଏସସିଓ ବୈଠକର ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ଡକାଯାଇଛି ।

ଭାରତକୁ ଗତ ସେପ୍ଟେମ୍ବରରେ ଏସସିଓର ଅଧ୍ୟକ୍ଷତା ଭାର ମିଳିଥିବା ବେଳେ ଇସ୍ଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ଜରିଆରେ ପାକ୍ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋଙ୍କୁ ନିମନ୍ତ୍ରଣ ପଠାଇଛି ନୂଆଦିଲ୍ଲୀ । ତେବେ ଏହି ନିମନ୍ତ୍ରଣ କେବଳ ସୌଜନ୍ୟମୂଳକ ବୋଲି ଚର୍ଚ୍ଚା ହେଉଛି । କାରଣ ଇଏ ସେହି ବିଲାଓ୍ୱଲ୍ ଭୁଟ୍ଟୋ ଯିଏ ଗତବର୍ଷ ଡିସେମ୍ବରରେ ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିଲେ ଅଶୋଭନୀୟ ଟିପ୍ପଣୀ । ସେ ମୋଦିଙ୍କୁ ଗୁଜରାଟର କଂସେଇ ବୋଲି କହିବା ପରେ ଏହାକୁ ଅତି ନୀଚ୍ଚ ମନ୍ତବ୍ୟ ବୋଲି କହିଥିଲା ନୂଆଦିଲ୍ଲୀ ... ।

ଭାରତ ପକ୍ଷରୁ ପାକିସ୍ତାନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବି ନିମନ୍ତ୍ରଣ ପତ୍ର ପଠାଯାଇଥିବା ସୂଚନା ମିଳିଛି । ଗତ ମାର୍ଚ୍ଚରେ ଏସସିଓ ସଦସ୍ୟ ରାଷ୍ଟ୍ରଙ୍କୁ ମୁଖ୍ୟ ବିଚାରପତି ସ୍ତରୀୟ ବୈଠକ ହେବ । ତେବେ ପାକିସ୍ତାନରୁ ଆମନ୍ତ୍ରିତ ପ୍ରତିନିଧି ମାନେ ଭାରତ ଆସିବେ କି ନାହିଁ, ସେନେଇ ଇସ୍ଲାମାବାଦ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଗତମାସ ମୁମ୍ବାଇରେ ଅନୁଷ୍ଠିତ ଏସସିଓ ଫିଲ୍ମ ଫେଷ୍ଟିଭାଲରେ କେବଳ ପାକିସ୍ତାନକୁ ଛାଡ଼ି ବାକି ସବୁ ଦେଶ ଭାଗ ନେଇଥିଲେ ।

ତେଣୁ ବିଲାଓ୍ୱଲ୍ ଭାରତକୁ ଆସିବା ସମ୍ଭାବନା କମ୍ ଥିବା ବେଳେ, ଯଦି ସେ ଭାରତ ଆସନ୍ତି, ତେବେ ଏହା ବିଗତ ୧୨ ବର୍ଷରେ ପ୍ରଥମ ହେବ । କାରଣ ୨୦୧୧ରେ ଶେଷ ଥର ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଭାବେ ଭାରତକୁ ଆସିଥିଲେ ହିନା ରବାନୀ ଖାର୍ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି ଦିନ ତଳେ ଭାରତ-ପାକିସ୍ତାନ ସଂପର୍କ ସୁଧାରିବାକୁ ଗ୍ରୀନ୍ ସିଗନାଲ ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । କହିଥିଲେ ଭାରତ ସହ ଯୁଦ୍ଧ କରି ଆମେ ଉଚିତ୍ ଶିକ୍ଷା ପାଇଛୁ, ଏବେ ଶାନ୍ତି ଆଲୋଚନା ଚାହୁଁ । ତେଣୁ ସତରେ ପାକିସ୍ତାନ ଶାନ୍ତି ଆଲୋଚନା ଚାହୁଁଛି କି ନାହିଁ ତାହା ବିଲାଓ୍ୱଲଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରିବ ... ।

ଭାରତ, ଚୀନ୍, କାଜାକିସ୍ତାନ, କିର୍ଗିଜସ୍ତାନ, ରୁଷ, ପାକିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଏସସିଓର ସଦସ୍ୟ ରାଷ୍ଟ୍ର ହୋଇଥିବା ବେଳେ, ଏଥିରେ ଇରାନ୍ ମଧ୍ୟ ଯୋଡ଼ି ହୋଇଛି ... ।