• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡ୍ରାଗନ୍‌ର ନାଲି ଆଖିକୁ ନ ଡରି ତାତି ଉଠିଛି ତାଇଓ୍ୱାନ୍ । ଚୀନ୍‌ର ଚାଲାକିକୁ ପାନେ ଦେବା ପାଇଁ ଏବେ ଯେସାକୁ ତେସା ନୀତି ଆପଣାଇଛି ଦ୍ୱୀପ ଦେଶ ତାଇୱାନ୍ । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା । ଚୀନର ପିଏଲ୍ଏର ପ୍ରତିଟି ଘାତକୁ ପ୍ରତିଘାତ କରି ସାବାଡ୍ କରିବାକୁ ଏବେ ସମରାଭ୍ୟାସ ଆରମ୍ଭ କରିଛି ତାଇୱାନ୍ ।

ଯେସାକୁ ତେସା ନୀତିରେ ଚୀନ୍‌ର ଚାଲାକିକୁ ନାକାମ୍ କରିବାକୁ ଏବେ ଅଣ୍ଟା ଭିଡ଼ିଛି ତାଇୱାନ । ଶତ୍ରୁ ଦେଶ ଚାଇନାର ପିପୁଲ୍ସ ଲିବରେସନ ଆର୍ମୀ-ପିଏଲ୍ଏର ନାଲି ଆଖିକୁ ଡରି ନଯାଇ ଦୁନିଆ ଆାଗରେ ସମରାଭ୍ୟାସ ଜରିଆରେ ଦେଖାଇଛି ନିଜର ଶକ୍ତି ଓ ସାମର୍ଥ୍ୟ । ବୁଧବାର ଚମତ୍କାର ସମରାଭ୍ୟାସ କରିଛି ତାଇଓ୍ୱାନ୍‌ର ବାୟୁସେନା । ଅତ୍ୟାଧୁନିକ ଲଢୁଆ ବିମାନ ସହ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛି ତାଇୱାନୀ ବାୟୁସେନା । ଆକାଶର ଛାତି ଚିରି ତାଇୱାନୀ ବାୟୁସେନାର F-16 ଯୁଦ୍ଧ ବିମାନ ଗର୍ଜିଛି । ଏ ଗର୍ଜନ ପରୋକ୍ଷରେ ଚୀନକୁ ଚେତାବନୀ ଯେ, ଆକ୍ରମଣ କଲେ ପଛଘୁଞ୍ଚାର ପ୍ରଶ୍ନ ଉଠୁନି ଚୀନ୍, ତାଇୱାନକୁ ନିଜର ବୋଲି ଦାବି କରି ଏହାର ସୀମାରେ ସମରାଭ୍ୟାସ ନାଁରେ ଯୁଦ୍ଧ ପ୍ରସ୍ତୁତିକୁ ଜୋରଦାର କରିଛି । ବିଶେଷ କରି ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲେସିଙ୍କ ତାଇୱାନ୍ ଗସ୍ତ ପରେ ରାଗ ଗର ଗର ରେଡ୍ ଆର୍ମୀ ଏହି ଦ୍ୱୀପ ଭୁଖଣ୍ଡକୁ ସମରାଭ୍ୟାସ ଆଳରେ ଡରାଇବା ଆରମ୍ଭ କରିଛି । ଏବେ କିନ୍ତୁ ନିଜର ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ତାଇୱାନ୍ ।

ତାଇୱାନ୍ ସେନା ନିଜର ପାହାଡ଼ି ପୂର୍ବ ତଟରେ ଥିବା ହୁଲିଏନ ଏୟାରବେସ୍‌ରେ ଯୁଦ୍ଧାଭ୍ୟାସ କରିଛି । ସମରାଭ୍ୟାସରେ ସାମିଲ ହୋଇଛି GDF-006 ଆଣ୍ଟି ଏୟାରକ୍ରାଫ୍ଟ ଗନ୍, ତିଏନ୍ କଙ୍ଗ୍-ଥ୍ରୀ ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ, ଭୂ-ପୃଷ୍ଠରୁ ମହାକାଶ ନିକ୍ଷେପ ହେଉଥିବା ମିସାଇଲ ସିଷ୍ଟମ ଇତ୍ୟାଦି । ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ସୁନ୍ ଲି ଫାଙ୍ଗ୍ ମିଡିଆକୁ ପ୍ରତିକ୍ରିୟା ଦେଇ ଚୀନର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ସେପଟେ ଚର୍ଚ୍ଚା ହେଉଛି ଯେ, ଚୀନ୍ ସହ ଏଭଳି ମୁହାଁମୁହିଁ ସ୍ଥିତି, ତାଇୱାନ୍ ସେନା ପାଇଁ ନିଜର ସାମରିକ ଦକ୍ଷତା ଓ ନିପୁଣତା ବୃଦ୍ଧି ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ଅଟେ । ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ, ଆମେ ଏହି ଅବସରର ଉପଯୋଗ ସେହି ସବୁ ପ୍ରଶିକ୍ଷଣର ପରୀକ୍ଷଣ କରିବୁ ଯାହା ଆମେ ସାଧାରଣରେ କରିଥାଉ ଆଉ ଏହାରି ମାଧ୍ୟମରେ ଆମେ ଆମର ବର୍ତ୍ତମାନର ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିବୁ ଯାହା ଆମ ଯୁଦ୍ଧନୀତି, ଯୁଦ୍ଧ କୌଶଳକୁ ସମୃଦ୍ଧ କରିବାକୁ ଉଦ୍ଧିଷ୍ଟ ।

ଜଳପଥ ହେଉ କି ଆକାଶ ପଥ ତାଇୱାନ୍‌ର ସୀମା ଚାରିପଟେ ପଇଁତରା ମାରୁଛି ପିଏଲ୍ଏର ଲଢୁଆ ବିମାନ । ଭୟଙ୍କର ଗର୍ଜନ କରି ଆକାଶର ଛାତି ଚିରି ଚିନି ସେନାର ବିମାନ ଘୁରି ବୁଲୁଥିବାର ଦୃଶ୍ୟ ଖୋଦ୍ ଚାଇନା ଆର୍ମୀ ପକ୍ଷରୁ ରେକର୍ଡ କରାଯାଇଛି । ତାଇୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗ୍-ଓ୍ୱେନ୍ କହିଛନ୍ତି ଯେ, ଆମେ ଆଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରୁନାହୁଁ । ହୁଏଲିନ୍ ଏୟାରବେସ୍ ଏକ ପାହାଡ଼ିଆ ଅଞ୍ଚଳରେ ଥିବା କେବଳ ଏକ ହ୍ୟାଙ୍ଗର ଅଟେ । ଏଠାରେ କେବଳ ଦୁଇ ଜଣ ପାଇଲଟ ରୁହନ୍ତି । କିନ୍ତୁ କୌଣସି କ୍ଷଣରେ ଅପ୍ରୀତିକର ସ୍ଥିତି ଦେଖାଦେଲେ, ମାତ୍ର ୬ ମିନିଟ ଭିତରେ ସେମାନେ ଆକାଶ ମାର୍ଗରେ ନିଜ ପୋଜିସନ୍ ନେଇପାରନ୍ତି । ସେପଟେ ବୁଧବାରର ସମରାଭ୍ୟାସରେ ଅନ୍ୟତମ ପ୍ରମୁଖ ଲଢୁଆ ବିମାନ ଭାବେ F-16V ଦେଖିବାକୁ ମିଳିଛି । ଏପରିକି ଚୀନ୍‌ର ଲଢୁଆ ବିମାନର ସମ୍ମୁଖିନ ହେବା ପାଇଁ ୬୬ଟି ନୂଆ F-16Vକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନର J- 20 କୁ ମାତ ଦେବାକୁ ବି ସକ୍ଷମ ଥିବା ତାଇୱାନ୍ ପ୍ରକାଶ କରିଛି ।

ଚୀନ୍‌ର ହରକତକୁ ଟକ୍କର ଦେବାକୁ ସମରାଭ୍ୟାସ ଆରମ୍ଭ କରିଛି ତାଇୱାନ୍ । ଆଉ ସେପଟେ ତାଇୱାନ୍ ସହ ଟ୍ରେଡ୍ ଡିଲ୍ ବା ବାଣିଜ୍ୟକ ସମ୍ପର୍କ ସ୍ଥାପନ ପାଇଁ ଆଗ୍ରହ ଦେଖାଇଛି ଆମେରିକା । ଏଥିପାଇଁ ଦୁଇ ଦେଶ ମଧ୍ୟରେ ପ୍ରାରମ୍ଭିକ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି । ଚୀନର ବିରୋଧ ସତ୍ତ୍ୱେ ବହୁ ବର୍ଷ ଧରି ପଡ଼ି ରହିଥିବା ଏହି ଟ୍ରେଡ୍ ଓ ଇକୋନମିକ୍ ଡିଲ୍ ହେବାକୁ ଯାଉଛି । ତାଇପେ ସ୍ଥିତ ଆମେରିକାନ ଇନଷ୍ଟିଚ୍ୟୁଟ ଇନ୍ ତାଇଓ୍ୱାନ୍-AIT ଏବଂ ଆମେରିକା ସ୍ଥିତ ତାଇପେ ଇକୋନମିକ୍ ଆଣ୍ଡ କଲ୍ଚରାଲ ରିପ୍ରେଜେଣ୍ଟଟିଭ୍ ଅଫିସ୍-TECRO ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏହି ପ୍ରୟାସ ଉଭୟ ତାଇଓ୍ୱାନ୍ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଅଧିକ ଘନିଷ୍ଠ କରିବ ବୋଲି ଆଶା କରାଯାଉଛି । ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଆମେରିକା ତାଇଓ୍ୱାନକୁ ସବୁ ପ୍ରକାର ସହଯୋଗ କରି, ଚୀନର ଷଡ଼ଯନ୍ତ୍ରକୁ ବ୍ୟର୍ଥ କରିବାକୁ ପ୍ରୟାସ କରୁଥିବା ଆଲୋଚନା ହେଉଛି ।

ତେଣେ ମିଳିଥିବା ଖବର ଅନୁସାରେ, ବ୍ରିଟେନର କିଛି ସାଂସଦ ମଧ୍ୟ ଖୁବଶୀଘ୍ର ତାଇୱାନ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି ଯେ, ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ବ୍ରିଟେନ୍ ସଂସଦର କିଛି ପ୍ରତିନିଧି ତାଇୱାନ୍ ଗସ୍ତ କରିବେ । ବର୍ଷ ଆରମ୍ଭରୁ ଏହି ଟିମ୍ ତାଇଓ୍ୱାନ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ, ଜଣେ ପ୍ରତିନିଧି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଗସ୍ତ ବାତିଲ ହୋଇଥିଲା । ପରେ ବର୍ଷ ଶେଷକୁ ତାରିଖ ସ୍ଥିର କରାଯାଇଛି । ଏହି ଗସ୍ତ କାର୍ଯ୍ୟକ୍ରମର କେବଳ ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଯେ, ତାଇୱାନକୁ ବ୍ରିଟେନ୍ ସହଯୋଗ ଓ ସମର୍ଥନ ଜଣାଇବା । ଲଣ୍ଡନ ଏବଂ ବେଜିଂ ମଧ୍ୟରେ ସମ୍ପର୍କରେ ଖଟାପଣ ଆସିବା ପରେ ଏବେ ଆମେରିକା ଭଳି ବ୍ରିଟେନ୍ ମଧ୍ୟ ତାଇୱାନକୁ ନିଜ ପ୍ରୟୋଗଶାଳା ଭାବି ସମର୍ଥନ ଦେବାକୁ ଆଗେଇ ଆସିଛି । 

କେବଳ ଆମେରିକା କି ବ୍ରିଟେନ୍ ନୁହେଁ ଜାପାନ ମଧ୍ୟ ଚୀନ୍ ଉପରେ ଖପ୍ପା ଅଛି । ତାଇୱାନ୍‌କୁ ନେଇ ଚୀନର ହସ୍ତକ୍ଷେପକୁ ଜାପାନ୍ କଡ଼ା ଭାଷାରେ ନିନ୍ଦା କରି ପ୍ରତିବାଦ ଜଣାଇଛି । ଏହାରି ମଧ୍ୟରେ ଉତ୍ତର ଚୀନ୍ ପ୍ରାନ୍ତରେ ଚୀନ୍ ଏବଂ ଜାପାନର ଉଚ୍ଚପଦସ୍ତ ଅଧିକାରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏକଦା ଜାପାନର ଶାସନରେ ଥିବା ତାଇୱାନକୁ ଏବେ ନିଜର ବୋଲି ଦାବି କରି ତା ସୀମାରେ ଚଲାଇଥିବା ସମରାଭ୍ୟାସକୁ ଯୁକ୍ତିଯୁକ୍ତ କହିବା ସହ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ବେଜିଂ ।