• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ୟା ପାଣି ଘେରରେ ରହିଛି ରାଜଧାନୀ ଉପକଣ୍ଠ । ସୁନ୍ଦରପଦା ଏବଂ ବାଲିପାଟଣା ଅଂଚଳରେ ସ୍ଥିତି ସୁଧୁରିବାର ନାଁ ନେଉନି । ସୁନ୍ଦରପଦାରେ ତିନି ଦିନ ହେଲା ଜଳବନ୍ଦୀ ଆପାର୍ଟମେଂଟ୍ ବାସିନ୍ଦା । ଦୟା ଓ ଭାର୍ଗବୀ ନଦୀର ପଛୁଆ ପାଣି ପଶି ସ୍ଥିତି ବେହାଲ । ସେପଟେ ବାଲିପାଟଣାରେ ବନ୍ୟା ପାଣି ଭିତରେ ବୁଡି ରହିଛି ୫ଟି ପଂଚାୟତର ଅଧିକାଂଶ ଗାଁ ।

ସହରୀ ବନ୍ୟା, ଆପାର୍ଟମେଂଟ ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ଘରଦ୍ୱାର ବୁଡିଛି ରୋଷେଇ ଘରେ ଭାସୁଛି କଂସା ବାସନ । ଜିନିଷପତ୍ର, ଲୁଗାପଟା ଉପରେ ରଖି ଲୋକେ ଘର ଛାଡିଛନ୍ତି । ଆମେ କହୁଛୁ ଭୁବନେଶ୍ୱର ସହର ଉପକଣ୍ଠ ସୁନ୍ଦରପଦା କଣ୍ଟିଲୋ ଅଂଚଳର କଥା । ଦୟାନଦୀର ପଛୁଆ ପାଣି ପଶି ଅଂଚଳରେ ଅଣ୍ଟାଏ ପାଣି, ଗାଡି ମୋଟର, ଘରଦ୍ୱାର ସବୁ ବୁଡି ରହିଛି । ବନ୍ୟା ପାଣି ଘେରରେ ରହିଛି ଆପାର୍ଟମେଂଟର ପ୍ରଥମ ଫ୍ଲୋର୍ । କିଛି ଲୋକ ଉପର ଫ୍ଲୋରରେ ଅଛନ୍ତି ଏବଂ ଅନ୍ୟମାନେ ଘରେ ତାଲା ପକାଇ ଚାଲିଯାଇଛନ୍ତି ସୁରକ୍ଷିତ ସ୍ଥାନକୁ ।

ତେବେ ଏଠାରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ତିନି ଦିନ ହେଲା ହନ୍ତସନ୍ତ ହେଉଛନ୍ତି । ବିଜୁଳି ନଥିବାରୁ ପିଇବା ପାଣି ନାହିଁ । ଖାଦ୍ୟ ପାଇଁ ନିଇତି ପାଣିରେ ବୁଡି ବାହାରକୁ ଯିବାକୁ ପଡୁଛି ସହର ଉପକଂଠରେ ଥିଲେ ବି ବନ୍ୟା ପାଣିରେ ଜଳବନ୍ଦୀ ହୋଇ ରହିଛନ୍ତି ପ୍ରଧାନସାହି ପଂଚାୟତର କଣ୍ଟିଲୋ ଏବଂ କୁହା ବାସିନ୍ଦା ।

ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ । ଭାର୍ଗବୀ ନଦୀର ଉଛୁଳା ପାଣି ପଶିଛି ପାଂଚଟି ପଂଚାୟତରେ ଅଧିକାଂଶ ଗାଁ ଜଳବନ୍ଦୀ । ପମ୍ପାଲୋ, କୁରୁଞ୍ଜିପୁର ଓ ରାଜସ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଏସବୁ ପଂଚାୟତରେ ଥିବା ଟିଙ୍କିପଡା, ବେଲମରା, ଗଡିଆ, ଜରଡ଼ା ଓ ଡେଙ୍ଗ ଗାଁରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି ।

ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି । ସେପଟେ ବଢିପାଣିରେ ବୁଡ଼ି ରହିଛି ଶହ ଶହ ହେକ୍ଟର ଚାଷ ଜମି । ଯାହା ରୁଆରୁଇ ହୋଇଥିଲା ସବୁ ପାଣିରେ ଭାସିଯାଇଛି । ତିନି ଦିନ ହେଲା ବନ୍ୟା ପାଣି ଘେରରେ ରହିଛନ୍ତି ରାଜଧାନୀ ଉପକଣ୍ଠ ବାସିନ୍ଦା । ଅପେକ୍ଷା କରିଛନ୍ତି କେବେ ପାଣି କମିବ ଏବଂ ସବୁ ସ୍ୱାଭାବିକ ହେବ ।