• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯୁଗ ବଦଳିଛି, ତାସହ ବଦଳିଛି ମଣିଷର ପୁରୁଣା କାଳିଆ ବିଚାର । ତଥାପି ଆଜି ବି କେଉଁଠି ନା କେଉଁଠି ମଣିଷକୁ ଜାବୁଡ଼ି ଧରିଛି କୁସଂସ୍କାର । କେଉଁଠି ରୋଗକୁ ଭୟ କରି ମଣିଷକୁ ମଣିଷ ଘୃଣା କରିବା ସହ ରୋଗୀକୁ ଜୀବନ ଥାଉ ଥାଉ ମଶାଣିରେ ଛାଡ଼ିଦେଉଛି ତ ଆଉ କେଉଁଠି ଜାତିବାଦର ଘୃଣ୍ୟ ମାନସିକତାରୁ ମଲା ପରେ ବି ସମ୍ମାନ ପାଉନି ମା'ଟିଏ । ଏଭଳି ଦୁଇଟି ହୃଦୟ ବିଦାରକ ଚିତ୍ର ଦେଖିଚୁ, ଯାହା ସଭ୍ୟ ସମାଜକୁ ଲଜ୍ଜିତ କଲାଭଳି । ଉଭୟ ଘଟଣା ସଂପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ତତ୍ପର ହୋଇଛି ସ୍ଥାନୀୟ ପ୍ରଶାସନ ।

ୟେ ବି ଜଣେ ବୃଦ୍ଧା ମାଆଟିଏ । ଆମ ସମସ୍ତଙ୍କ ଭଳି ମଣିଷଟିଏ । ହେଲେ ସେହି ମା'ଙ୍କ ଏମିତି କଣ ଦୋଷ ଯେ ଆଜି ଏମିତି ଦଣ୍ଡ ଭୋଗିବାକୁ ପଡ଼ିଛି । ମଶାଣିରେ ତାଙ୍କୁ ରାତି ତମାମ କାଟିବାକୁ ପଡ଼ିଛି । ବନ୍ୟାର ବୀଭିଷିକା ଭିତରେ ଜରିପାଲରେ ତିଆରି କୁଡ଼ିଆ ଭିତରେ ରହିବାକୁ ପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ଗାଁର ବୃଦ୍ଧାଙ୍କ ନାଁ ଚଞ୍ଚଳା ସାହୁ । ଗୋଡ଼ରେ ଘା ହୋଇଛି ତାଙ୍କର । ସଠିକ ସମୟରେ ଚିକିତ୍ସା ହୋଇନପାରିବାରୁ ସେହି ଘା କ୍ରମେ କ୍ୟାନସରର ରୂପ ନେଇଛି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ବି ଧାରକରଜ କରି ଅନେକ ଡାକ୍ତରୀ ଔଷଧ କଲେଣି । ତଥାପି ଭଲ ହେଉନାହାଁନ୍ତି । ଏକଥା ଜାଣିବା ପରେ ତୁରନ୍ତ ଚଞ୍ଚଳାଙ୍କୁ ନେଇ ମଶାଣିରେ ଛାଡ଼ିଦେବାକୁ ଚେତାବନୀ ଶୁଣାଇଥିଲେ ଜାତିଭାଇ । ଆଉ ସେହି ଭୟରେ ଗତକାଲି ଅପରାହ୍ନରେ ଚଞ୍ଚଳାଙ୍କ ପୁଅ ଚଞ୍ଚଳାଙ୍କୁ ଆଣି ଛାଡ଼ିଦେଇଥିଲେ ଗାଁଠୁ ୨ କିଲୋମିଟର ଦୂର ମହାନଦୀ ମଶାଣିରେ ।

ମୃତ୍ୟୁ ହେଲେ ମଣିଷ ଯାଏ ମଶାଣିକୁ । ହେଲେ ଏଠି ଜୀଇଁ ଥାଉ ଥାଉ ମଶାଣିକୁ ଗଲା ମଣିଷ । ଖବର ପାଇବା ପରେ ରାତାରାତି ଚଞ୍ଚଳାଙ୍କ ପାଖରେ ପହଞ୍ଚିଥିଲା ଓଟିଭି । ଗାଁର କିଛି ଲୋକଙ୍କୁ ଧରି ପହଞ୍ଚିଥିଲେ ଓଟିଭି ପ୍ରତିନିଧି । ଅସହାୟ ବୃଦ୍ଧାଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ । ତାଙ୍କ ଠାରୁ ସବିଶେଷ ସୂଚନା ପାଇବା ପରେ ଆମ ପ୍ରତିନିଧି ଉଲୁଣ୍ଡା ବିଡ଼ିଓ ହେମସାଗର ଭୋଇଙ୍କୁ ଜଣାଇଥିଲେ । ବିଡ଼ିଓ ରାତି ପ୍ରାୟ ୧୨ଟାରେ ଏକ ଆମ୍ବୁଲାନ୍ସ ପଠାଇ ଚଞ୍ଚଳାଙ୍କୁ ଉଦ୍ଧାର କରିବା ସହ ସୋନପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଇଥିଲେ । 

 

କୋରାପୁଟ ଜିଲ୍ଲା ଜୟପୁର ବୈରାଗୀମଠ ଗାଁରେ ବି ଦୁର୍ଦ୍ଦଶା ଭୋଗିଛି ମା'ଟିଏ । ହେଲେ ବଂଚିଥିବା ବେଳେ ନୁହେଁ, ମଲା ପରେ ବି ସାମାଜିକ ବାଚ୍ଛନ୍ଦର ଶୀକାର ହୋଇଛନ୍ତି । ମିଳିଲାନି ଜାତି ଭାଇଙ୍କ ଚାରିକାନ୍ଧ । ଶେଷରେ କୋକେଇରେ ଟଣା ହୋଇଗଲେ ମଶାଣି ଯାଏଁ । ହୁଏତ ଏ କଥା ଆପଣଙ୍କୁ ବିଚଳିତ କରିପାରେ ।ମୃତକ ହେଉଛନ୍ତି ବୈରାଗୀମଠର ମୁକ୍ତା ପରଜା । ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସ ତଳେ ମୁୂକ୍ତାଙ୍କ ପୁଅ ମଙ୍ଗଳା ଭିନ୍ନ ଏକ ଜାତିରେ ଖାଦ୍ୟ ଖାଇଥିଲେ । ଏହି ଭୁଲ୍ ପାଇଁ ସେଦିନଠୁ ଜାତିଭାଇ କୌଣସି ଭୋଜିଭାତରେ ସାମିଲ କରୁନଥିଲେ । ଦୁର୍ଭାଗ୍ୟକୁ ମଙ୍ଗଳାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା ଗତ ମଙ୍ଗଳବାର ଦିନ । ତଥାପି କାନ୍ଧ ଦେବାକୁ କେହି ଜାତି ଭାଇ ଆସିଲେନି । ଶେଷରେ ପୁଅ ମଙ୍ଗଳା ଏବଂ ବୋହୂ କୋକେଇରେ ମୃତଦେହକୁ ଭିଡ଼ିଭିଡ଼ି ନେଇ ମଶାଣିରେ ଅନ୍ତିମ ସତ୍କାର କରିଥିଲେ ।   

ରିପୋର୍ଟର- ରବୀନ୍ଦ୍ର ହୋତା ଏବଂ ଟି. ଗୌରୀଶଙ୍କର