• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଫିସରେ ବିଳମ୍ବରେ ପହଞ୍ଚିବାରୁ ଚାକିରି ହରାଇଲେ ମହିଳା । ନିର୍ଦ୍ଧାରିତ ସମୟର ୩ ମିନିଟ ପରେ ପହଞ୍ଚିବା ପରେ କଠୋର ପଦକ୍ଷେପ ନେଲା କମ୍ପାନୀ । ସାମାନ୍ୟ ବିଳମ୍ବ ପାଇଁ ମହିଳା କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପରେ ଅନ୍ୟ କର୍ମଚାରୀ ମାନେ ଚିହିଙ୍କି ଉଠିଛନ୍ତି । କଫି ଚେନ୍‌ ଚଳାଉଥିବା ଆମେରିକୀୟ କମ୍ପାନୀ ଷ୍ଟାରବକ୍ସ ଏଥିପାଇଁ ବିବାଦ ଘେରକୁ ଆସିଛି । ପୂର୍ବରୁ ଶ୍ରମିକ ସଂଗଠନ ଗଠନ ଦାବିରେ କର୍ମଚାରୀଙ୍କ ସହ ତୁତୁ ମେମେ ସୃଷ୍ଟି ହୋଇଥିଲା । ଆଉ ଏବେ ମହିଳା କର୍ମଚାରୀଙ୍କୁ ବାହାର କରିବା ପରେ ବିବାଦ ବଢ଼ିଯାଇଛି ।

ଲେବର ୟୁନିୟନ୍‌ ପାଇଁ ଦାବି କରୁଛନ୍ତି କର୍ମଚାରୀ

ବିସିସିଆଇର ରିପୋର୍ଟ ଅନୁଯାୟୀ, ଷ୍ଟାରବକ୍ସ ଦ୍ୱାରା ବରଖାସ୍ତ ହୋଇଥିବା କର୍ମଚାରୀଙ୍କ ନାମ ଜୋସେଲିନ୍ ଚୁକିଲାନ୍କି (Joselyn Chuquillanqui)। ଜୋସେଲିନ୍ ବିଗତ ସାତ ବର୍ଷ ଧରି ଷ୍ଟାରବକ୍ସରେ କାମ କରୁଛନ୍ତି । ହେଲେ ଅଫିସ୍‌ରେ ପହଞ୍ଚିବା ପାଇଁ ତିନି ମିନିଟ୍ ବିଳମ୍ବ କରିଥିବା ଦର୍ଶାଇ ତାଙ୍କୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ସହ ସମ୍ପର୍କ ଭଲ ନଥିବା ବେଳେ କମ୍ପାନୀ ଏପରି ପଦକ୍ଷେପ ନେବା ପରେ ବୋବାଲ୍‌ ସୃଷ୍ଟି ହୋଇଛି । ଆମେରିକାରେ ଷ୍ଟାରବକ୍ସର ୨୦୦ରୁ ଅଧିକ ଷ୍ଟୋର୍‌ର କର୍ମଚାରୀମାନେ ଲେବର ୟୁନିୟନ୍‌ ଗଠନ ପାଇଁ ଭୋଟ୍ ଦେଇଛନ୍ତି । ହେଲେ ଷ୍ଟାରବକ୍ସ ଶ୍ରମିକ ଲେବର ୟୁନିୟନ୍‌ ଗଠନ ସପକ୍ଷରେ ନାହିଁ । କମ୍ପାନୀ ଏହାକୁ ବିରୋଧ କରୁଛି ।

ଜୋସେଲିନଙ୍କୁ କାହିଁକି ବାହାର କରାଗଲା ?

୨୮ ବର୍ଷୀୟ ଜୋସେଲିନ୍ ଷ୍ଟାରବକ୍ସରେ ଚାକିରିକୁ ବେଶ୍‌ ଭଲ ପାଉଥିଲେ । ଡ୍ୟୁଟି ପରେ ସେ ତାଙ୍କ ଭଣଜାଙ୍କର ଯତ୍ନ ନେବା ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ପାଉଥିଲେ । ହେଲେ କରୋନା ମହାମାରୀ ସମୟରେ ଜୋସେଲିନ୍ ସିକ୍‌ ଲିଭ୍‌ ଦେବା ପାଇଁ ଦାବି କରିଥିଲେ । କିଛି କର୍ମଚାରୀଙ୍କ ସମର୍ଥନରେ ଶ୍ରମିକ ସଂଗଠନ ଗଠନ କରିବାକୁ କମ୍ପାନୀ ନିକଟରେ ଦାବି ରଖିଥିଲେ । ତେବେ ସେହି କାରଣ ପାଇଁ ରାଗ ରଖି ବର୍ତ୍ତମାନ କମ୍ପାନୀ ତାଙ୍କୁ ଚାକିରିରୁ ବିଦା କରିଥିବା ଅନ୍ୟ କର୍ମଚାରୀ ଅଭିଯୋଗ କରିଛନ୍ତି ।

ହଇରାଣ କରୁଥିଲେ ସିନିୟର

ତେବେ ସିକ୍‌ ଲିଭ୍‌ ପାଇଁ ଦାବି କରିବା ପର ଠାରୁ ଜୋସେଲିନଙ୍କୁ ହଇରାଣ କରୁଥିଲେ ତାଙ୍କ ସିନୟର । ଟିକିଏ ଟିକିଏ କଥାରେ ତାଙ୍କୁ ଗାଳିଗୁଲଜ କରୁଥିଲେ । ଥରେ ସେ ଷ୍ଟୋର ରୁମ୍‌ ଚାବିକୁ କୌଣସି ସ୍ଥାନରେ ରଖି  ଭୁଲିଯାଇଥିଲେ । ସେ ତୁରନ୍ତ ଏନେଇ ମ୍ୟାନେଜରକୁ  ଜଣାଇଥିଲେ । ପରେ ଷ୍ଟୋର ଭିତରେ ଚାବି ମିଳିଲା, କିନ୍ତୁ ଏହା ପରେ ମଧ୍ୟ କମ୍ପାନୀ ଜୋସେଲିନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବର୍ତ୍ତମାନ ତିନି ମିନିଟର ବିଳମ୍ବକୁ ଦର୍ଶାଇ କମ୍ପାନୀ ତାଙ୍କୁ କାମରୁ ବରଖାସ୍ତ କରିଛି ।