• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନଈ ବଢ଼ିର ଦୁର୍ଦ୍ଦଶା କେତେ ଯନ୍ତ୍ରଣାଦାୟକ, କେବଳ ଅନୁଭବି ହିଁ ଜାଣେ । ପାଣି ଘେରରେ ଥାଇ ବି ଶୋଷ ମେଣ୍ଟେନି କି ସଂକ୍ରାମକ ରୋଗରେ ସଢୁଥିଲେ ବି ମେଡିକାଲ ଯାଇ ହୁଏନି । ଭଙ୍ଗା ଦଦରା ଘରେ କେମିତି ଭୋକ ଉପାସରେ ବିପନ୍ନଙ୍କ ଦିନ କଟୁଛି, ତାହାର ମାଳ ମାଳ ଚିତ୍ର ଏବେ କ୍ୟାମେରାରେ କଏଦ ହୋଇଛି । ସବୁଠି ପୀଡ଼ିତମାନେ ସାହାଯ୍ୟ ପାଇଁ ଭୋଟ୍‌ବେଳେ ଆପଣାର ସାଜିଥିବା ନେତାଙ୍କୁ ଖୋଜୁଛନ୍ତି, ହେଲେ କାହାରି ଦେଖାନଥିବା ଅଭିଯୋଗ କରୁଛନ୍ତି ।

ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ । କଟକ ତିଗିରିଆର କୋଇଲିକନ୍ୟା ଗାଁ ବନ୍ୟାରେ ପ୍ଲାଷ୍ଟିକ ଡ୍ରମ୍‌ରେ ଦେଶୀ ଡଙ୍ଗା ତିଆରି କରି ଭେଳାରେ ପିଲାଛୁଆଙ୍କୁ ଧରି ଆସୁଥିବା ମହିଳାମାନଙ୍କୁ ଭେଟିଥିଲୁ । ସେ କହିଥିଲେ ଛୋଟ ପିଲା ଜ୍ୱରରେ କମ୍ପୁଛି, ପ୍ରଶାସନ ଡଙ୍ଗା ଦେଉନି, ବାଧ୍ୟ ହୋଇ ଜଣେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଏମିତି ଭେଳା କରି ମେଡିକାଲ ଯାଉଛୁ । ନେତା, ପ୍ରଶାସନିକ ଅଧିକାରୀ କି ସ୍ୱାସ୍ଥ୍ୟ କର୍ମଚାରୀ କାହାରି ଏବେଳରେ ଦେଖା ନାହିଁ ।

ବାଙ୍କୀ ଏନଏସିର ମନ୍ତ୍ରୀ ସାହିରେ ବ୍ୟାପିଲାଣି ଚର୍ମ ରୋଗ । ପିଲାଙ୍କ ଦେହ ସାରା ଫୋଟକା ଭଳି ଫଳି ଯାଉଥିବାର ଦେଖିବାକୁ ମିଳିଛି । ସେମିତି ବଡ଼ଲୋକଙ୍କ ଦେହସାରା ବି ଯାଦୁ ଭଳି ଫଳି ଯାଉଛି । ଦୁଷିତ ବନ୍ୟା ପାଣିରୁ ଏଭଳି ହେଉଥିବା ଅନୁମାନ କରାଯାଉଥିଲେ ବି ପ୍ରତିକାର ପାଇଁ କାହାରି ନଜର ନାହିଁ । ସେମିତି ବନ୍ୟା ଘେରରେ ଥିବା ଗାଁ ଲୋକମାନେ ପିଲାମାନଙ୍କୁ ଯଥା ସମୟରେ ଟିକାକରଣ ପାଇଁ ମଧ୍ୟ ନେଇ ଯାଇପାରୁ ନାହାନ୍ତି ।

 

ଘରେ ପାଣି, ବାହାରେ ପାଣି ହେଲେ ଶୋଷ କିନ୍ତୁ ମେଣ୍ଟୁନି । କୂଅ-ନଳକୂଅ ସବୁ ବୁଡ଼ିଛି । ଯେଉଁ ବନ୍ୟା ପାଣି ଘରେ ସୁଅ କାଟୁଛି, ତାକୁ ହିଁ ସଂଗ୍ରହ କରି କପଡ଼ାରେ ଛାଣି ପିଇବା ପାଇଁ ସାଇତିବାକୁ ପଡୁଛି । ପୁରୀ ଜିଲ୍ଲା କଣାସ ଅଞ୍ଚଳର ଅନେକଙ୍କ ଘରେ ଲହଡ଼ି ଭାଙ୍ଗୁଛି । ଦୂଷିତ ବନ୍ୟାଜଳକୁ ହିଁ ପିଇବାକୁ ସମସ୍ତେ ବାଧ୍ୟ ହେଉଥିବାବେଳେ ଘାରିଲାଣି ପେଟ ରୋଗ ଭୟ । ସବୁ ବନ୍ୟାଞ୍ଚଳରେ ଏବେ ପିଇବା ପାଣିର ସମସ୍ୟା ବଡ଼ ଉତ୍କଟ ।

ନଈ ବଢ଼ିର ଦୃଶ୍ୟ ସଂଗ୍ରହ କରୁଥିବାବେଳେ ଯଦି ସବୁଠୁ ଅଧିକ କିଏ କଲବଲ ହେଉଥିବାର ଚିତ୍ର ସାମ୍ନାକୁ ଆସୁଛି, ତ ସେମାନେ ହେଲେ ଛୋଟ ଛୋଟ ପିଲା ଓ ବୃଦ୍ଧ ବୃଦ୍ଧା ଦୃଶ୍ୟ । କେନ୍ଦ୍ରାପଡ଼ା ଜିଲ୍ଲାର ଆୟତ୍ତପୁର ଗାଁ କରାଣ୍ଡିଆ ନଦୀରେ ଘାଇ ଯୋଗୁଁ ୪ଦିନ ହେଲା ବନ୍ୟା ଘେରରେ ରହିଛି । ଏହି ଗାଁ ୩ଦିନ ଖାଡ଼ା ଉପାସ ରହିବା ପରେ ଏ ବୃଦ୍ଧାଙ୍କର ମୁହଁରେ ଆଜି ପଡ଼ିଛି ଗଣ୍ଡେ ଶୁଖିଲା ମୁଢ଼ି । ନବଜାତକ ହୁଅନ୍ତୁ କି ଛୋଟ ଛୋଟ ଶିଶୁ, ସେମାନଙ୍କ ପାଇଁ ବି ଖାଦ୍ୟର ଘୋର ଅଭାବ । ପାଣି ଘେରରେ ଥିବାରୁ ଶିଶୁଖାଦ୍ୟ ମିଳୁନି । ଆଉ ଗୋଟିଏ ପାଲଟଣା ଘରେ ଭୋକ ଉପାସରେ ରହିଥିବା ଜଣେ ମହିଳାଙ୍କୁ ଭେଟିବାକୁ ଯିବାବେଳେ ତାଙ୍କ ଥାଳିରେ ଥିଲା ଗଣ୍ଡେ ଶୁଖିଲା ଭାତ ସାଙ୍ଗକୁ କିଛି ଶାଗ, ଆଉ ଖଣ୍ଡେ ଜହ୍ନି ଭଜା । ପେଟ ପୋଡ଼ି ଯାଉଛି ଯେତେବେଳେ, ରାଗ ତ ଆସିବ । ଭୋଟ ନେଇ ବିପଦବେଳେ ଅଦୃଶ୍ୟ ନେତାଙ୍କ ଉପରେ ଖୁବ୍ ବର୍ଷିଥିଲେ ମହିଳା ।