• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଝାଟିମାଟି ଘର...କେଉଁ ଘର ଉପରେ ପାଲ ଟଣାଯାଇଛି ତ ଆଉ କେଉଁ ଘର ଉପରେ କିଛି ପଡ଼ିନି । ନୂଆଣିଆ ଚାଳଘରର ଅବସ୍ଥା ଦେଖିଲେ ସ୍ପଷ୍ଟ ଜଣାପଡୁଛି ସେମାନେ ଆର୍ଥିକସ୍ତରରେ କେତେ ଶବଳ? ହେଲେ ବି ପାଲଟଣା ଘର ହିଁ ତାଙ୍କର ଏବେ ସାହାଭରସା । ସେଇଠି ରୋଷେଇ ହେଉଛି, ପିଲାମାନେ ଖେଳୁଛନ୍ତି ପୁଣି ରାତି ହେଲେ ସମସ୍ତେ ଶୋଉଛନ୍ତି । ଆଉ ସରକାରୀ ସାହାଯ୍ୟକୁ ସତେ ଯେମିତି ଚାତକ ପରି ଚାହିଁ ବସିଛନ୍ତି ।

ସ୍ଥିତି ଏମିତି ହେଲାଣି ଯେ ଗୋଟିଏ ବେଲାରେ ୪-୫ ଜଣ ପିଲା ଏକାଠି ବସି ଭାତ ଖାଉଛନ୍ତି । ତିଅଣ ପୁଣି କ’ଣ ତାହା କହିବାର ଆବଶ୍ୟକତା ନାହିଁ । ଦିକିଦିକି ଚୁଲିରେ ମାଆ ଯାହା ରାନ୍ଧିକି ଦେଉଛି ତାହା ସେମାନଙ୍କ ଲାଗି ଅମୃତ ସମାନ । ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ତୁଲୁଣ୍ଡୁପାଲି ଝରାପଡାରେ । ସେହି ଅଂଚଳରେ ୧୦୦ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି । ହେଲେ ସରକାରୀ ସହାୟତା ସେମାନଙ୍କ ଲାଗି ସତେ ଯେମିତି ସାତସପନ ହୋଇଯାଇଛି ।

ଝରାପଡାରେ ରହୁଥିବା ୨୬ ପରିବାରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ସମସ୍ୟା ଏବେ ସାଙ୍ଘାତିକ । ବର୍ଷବର୍ଷ ହେଲାଣି ସେମାନଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା । ଜାଣିଆଶ୍ଚର୍ଯ୍ୟ ହେବେ କି, ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ଲାଗି କି କି ଯୋଜନା ରହିଛି ତାହା ବି ସେମାନଙ୍କୁ ଜଣାନାହିଁ । ଆଜିକା ଦିନରେ ବି ଗାଁସାରା ଲୋକ ପର ଦୁଆରେ ମଜୁରୀ ଖଟନ୍ତି, ଯେତିକି ଯାହା ରୋଜଗାର ହେଲା ସେତିକିରେ ପରିବାର ଚଳାନ୍ତି । ଯେଉଁଦିନ କାମ ମିଳିଲା ସେଦିନ ପେଟକୁ ଦାନାଯିବ ନହେଲେ ଭୋକ ଉପାସରେ ଦିନ କଟିବ ।

ସମସ୍ୟା ଏତିକିରେ ସରିନି ବରଂ ପିଇବା ପାଣି ଟୋପାଏ ସେମାନଙ୍କ ପାଖରେ ପହଞ୍ଚିନାହିଁ । ସେଇଥି ଲାଗି ତ ମଇଳା ପାଣି ପିଇ ମେଣ୍ଟାଉଛନ୍ତି ଶୋଷ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଲାଣି କିନ୍ତୁ ସେମାନେ ଆଜି ବି ସୂର୍ଯ୍ୟ ଅସ୍ତ ହେଲେ ଘରୁ ବାହାରିବାକୁ ଡରନ୍ତି । କାରଣ ପାଦେ ପାଦେ ବିଷାକ୍ତ ସାପର ଭୟ ରହିଛି । ଏତେ ସବୁ ସମସ୍ୟାରେ ଆଦିବାସୀ ପରିବାର ଛନ୍ଦି ହୋଇଥିଲେ ବି ପ୍ରଶାସନ ଆଖିକୁ ଦିଶୁନି କି ସାହାଯ୍ୟ କରିବାକୁ ପହଞ୍ଚୁନି । ତେଣୁ ଭଗବାନଙ୍କ ଭରସାରେ ସେମାନେ ବଞ୍ଚୁଛନ୍ତି ।

୧୦୦ ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାରକୁ କାହିଁକି ଏଯାଏଁ ସରକାରୀ ସହାୟତା ମିଳୁନାହିଁ ସେନେଇ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି , ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀମାନେ ଯିବେ । ଆଉ କେମିତି ତାଙ୍କୁ ସରକାରୀ ସହାୟତା ମିଳିବ ସେନେଇ ବ୍ୟବସ୍ଥା କରାଯିବ ।

 

  • Reported by:
  • Dilip Sahoo