Advertisment

Retired Out Strategy in Cricket: କ’ଣ ଏହି ‘ରିଟାୟର୍ଡ ଆଉଟ୍’... T-20 କ୍ରିକେଟ୍‌ରେ କାହିଁକି ପାଲଟିଛି ରଣନୈତିକ ଅସ୍ତ୍ର ?

‘ରିଟାୟର୍ଡ ଆଉଟ୍‌’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟି-୨୦ କ୍ରିକେଟ୍‌ରେ ରଣନୈତିକ ଅସ୍ତ୍ର ହୋଇଛି ଏହି କ୍ରିକେଟ୍ ନିୟମ । ତେବେ ‘ରିଟାୟର୍ଡ ଆଉଟ୍‌’ ନିୟମ କ’ଣ? ‘ରିଟାୟର୍ଡ ନଟ୍‌ଆଉଟ୍‌’ ଏହାଠାରୁ କେତେ ଭିନ୍ନ?

author-image
Biswajit Mohanty
ଅଦ୍ୟତନ ହୋଇଛି
ରିଟାୟର୍ଡ ଆଉଟ୍ କ’ଣ

ରିଟାୟର୍ଡ ଆଉଟ୍ କ’ଣ

କ୍ରିକେଟ୍‌ରେ କୌଣସି ବ୍ୟାଟର୍ ଆଉଟ୍ ହେବା ସାଧାରଣ କଥା; କିନ୍ତୁ ଯଦି କୌଣସି ବ୍ୟାଟର୍ ସ୍ୱଇଚ୍ଛାରେ ପଡ଼ିଆ ଛାଡ଼ି ଚାଲିଯାଆନ୍ତି କିମ୍ବା ‘ରିଟାୟର୍ଡ ଆଉଟ୍‌’ ହେବା ପାଇଁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ଚର୍ଚ୍ଚା ହେବା ସ୍ୱାଭାବିକ । ଟେଷ୍ଟ କ୍ରିକେଟ୍ ଇତିହାସରେ ମାତ୍ର ଗୋଟିଏ ମ୍ୟାଚ୍‌ରେ ଏହି ନିୟମର ଉପଯୋଗ ହୋଇଛି । ତେବେ ଘରୋଇ ଟି-୨୦ ଲିଗ୍ - ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୫ରେ ଦୁଇ ଖେଳାଳି ‘ରିଟାୟର୍ଡ ଆଉଟ୍‌’ ହେବା ପରେ ଏହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି ।

Advertisment

‘ରିଟାୟର୍ଡ ଆଉଟ୍‌’ ହେବା କ୍ରିକେଟ୍‌ରେ ବିରଳ ଘଟଣା । ବିଶେଷକରି ଟି-୨୦ କ୍ରିକେଟ୍‌ରେ ଟିମ୍‌ଗୁଡ଼ିକ ମ୍ୟାଚ୍‌ର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିୟମକୁ ‘ରଣନୈତିକ ଅସ୍ତ୍ର’ ରୂପରେ ବ୍ୟବହାର କରୁଛନ୍ତି । ଟେଷ୍ଟ ଓ ଆଇପିଏଲ୍‌ରେ ଏ ଯାବତ କେଉଁ କେଉଁ ଟିମ୍ ଏହି ରଣନୀତିକୁ ଆପଣାଇଛନ୍ତି, ସେ ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେ ଜାଣିବା ‘ରିଟାୟର୍ଡ ଆଉଟ୍‌’ କ’ଣ ଏବଂ ‘ରିଟାୟର୍ଡ ନଟ୍‌ଆଉଟ୍‌’ ଏହାଠାରୁ କେତେ ଭିନ୍ନ?

ରିଟାୟର୍ଡ ଆଉଟ୍ ନିୟମ କ’ଣ

ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ନିୟମାନୁଯାୟୀ, ଯଦି କୌଣସି ବ୍ୟାଟର୍ ଅମ୍ପାୟାର୍‌ଙ୍କ ବିନା ଅନୁମତିରେ ପଡ଼ିଆ ଛାଡ଼ିଥା’ନ୍ତି ଏବଂ ବିପକ୍ଷ ଅଧିନାୟକ ତାଙ୍କୁ ପୁଣି ଡକାଇବାକୁ ଅନୁମତି ଦିଅନ୍ତି ନାହିଁ, ତା’ହେଲେ ତାଙ୍କୁ ‘ରିଟାୟର୍ଡ ଆଉଟ୍‌’ ବିବେଚନା କରାଯାଏ । ଏହି ନିୟମାନୁଯାୟୀ, କୌଣସି ବ୍ୟାଟର୍ ଇନିଂସ୍‌ର ଯେକୌଣସି ସମୟରେ ରିଟାୟର୍ ହୋଇପାରିବେ । ଥରେ ଜଣେ ବ୍ୟାଟର୍ ସ୍ୱଇଚ୍ଛାରେ ରିଟାୟର୍ ହୋଇଗଲେ, ସେ ମ୍ୟାଚ୍‌ରେ ସେତେବେଳ ଯାଏଁ ନିଜ ଇନିଂସ୍‌କୁ ଆରମ୍ଭ କରିପାରିବେନି ଯେତେବେଳ ଯାଏଁ ବିପକ୍ଷ ଅଧିନାୟକ ଏହାର ଅନୁମତି ନ ଦେଇଛନ୍ତି । କୌଣସି ସ୍ଥିତିରେ ଯଦି ବ୍ୟାଟର୍ ବ୍ୟାଟିଂ ପାଇଁ ପ୍ରତ୍ୟାବର୍ତ୍ତନ ନ କରନ୍ତି, ତା’ହେଲେ ତାଙ୍କୁ ‘ରିଟାୟର୍ଡ ଆଉଟ୍‌’ ଘୋଷଣା କରାଯାଇଥାଏ । ରେକର୍ଡରେ ଏହାକୁ ଆଉଟ୍ ବିବେଚନା କରାଯାଏ । ‘ରିଟାୟର୍ଡ ଆଉଟ୍‌’ର ୱିକେଟ୍ କୌଣସି ବୋଲର୍‌ଙ୍କ ଖାତାକୁ ଯାଇ ନ ଥାଏ । ଆନ୍ତର୍ଜାତିକ କ୍ରିକେଟ୍‌ର ଏହି ନିୟମ ଆଇପିଏଲ୍‌ରେ ବି ଲାଗୁ ହୋଇଛି ।

Advertisment

ରିଟାୟର୍ଡ ଆଉଟ୍ ଠାରୁ କେତେ ଭିନ୍ନ ରିଟାୟର୍ଡ ନଟ୍‌ଆଉଟ୍‌

ଆଘାତ ଲାଗିବା ଖେଳର ଅଂଶବିଶେଷ । ବ୍ୟାଟର୍ ନେଟ୍‌ରେ ଅଭ୍ୟାସ କରୁଥିବା ସମୟରେ କିମ୍ବା ମ୍ୟାଚ୍ ସମୟରେ ଆହତ ହୋଇପାରନ୍ତି । ଯଦି କୌଣସି ଖେଳାଳି ଅଭ୍ୟାସ ସମୟରେ ଆହତ ହୁଅନ୍ତି, ତା’ହେଲେ ଆଘାତର ଆକଳନ କରାଯିବା ପରେ ସେ କିଛି ଦିନ ପାଇଁ ବିଶ୍ରାମ ନେଇପାରିବେ । ତେବେ ଯଦି ବ୍ୟାଟର୍ ମ୍ୟାଚ୍ ସମୟରେ ଆହତ ହୁଅନ୍ତି, ତା’ହେଲେ କ’ଣ ହେବ? ସେତେବେଳେ ‘ରିଟାୟର୍ଡ ହର୍ଟ’ (ଅଫିସିଆଲ୍ ଶବ୍ଦ ‘ରିଟାୟର୍ଡ ନଟ୍‌ଆଉଟ୍‌’) ନିୟମ ଲାଗୁ ହୋଇଥାଏ । ‘ରିଟାୟର୍ଡ ଆଉଟ୍‌’ ଠାରୁ ଏହା ଭିନ୍ନ । ଯଦି କୌଣସି ବ୍ୟାଟର୍ ଆଘାତ, ଅସୁସ୍ଥତା କିମ୍ବା କୌଣସି ଅପରିହାର୍ଯ୍ୟ ପରିସ୍ଥିତିବଶତଃ ରିଟାୟର୍ ହୁଅନ୍ତି, ତା’ହେଲେ ତାଙ୍କୁ କିଛି ସମୟ ପାଇଁ ‘ରିଟାୟର୍ଡ ହର୍ଟ’ ରୂପରେ ଚିହ୍ନିତ କରାଯାଏ । ସେ ଅମ୍ପାୟାର୍‌ଙ୍କ ଠାରୁ ଅନୁମତି ନେଇ ପଡ଼ିଆ ଛାଡ଼ିଥା’ନ୍ତି ।

କିନ୍ତୁ ‘ରିଟାୟର୍ଡ ଆଉଟ୍‌’ ବ୍ୟାଟର୍‌ଙ୍କ ବିପରୀତ ‘ରିଟାୟର୍ଡ ହର୍ଟ’ ବ୍ୟାଟର୍ ସୁସ୍ଥ ହୋଇ ପୁଣିଥରେ ବ୍ୟାଟିଂ କରିବାକୁ ଆସିପାରିବେ । ତେବେ ସେ ଯେକୌଣସି ସମୟରେ ନିଜ ଇନିଂସ୍ ଆରମ୍ଭ କରିପାରିବେ ନାହିଁ । ଯଦି କୌଣସି ୱିକେଟ୍ ପଡ଼େ କିମ୍ବା ଅନ୍ୟ କୌଣସି ବ୍ୟାଟର୍ ରିଟାୟର୍ ହୁଅନ୍ତି, ତା’ହେଲେ ସେ ପୁଣି ବ୍ୟାଟିଂ କରିବାକୁ ଆସିପାରିବେ । ସମ୍ପୃକ୍ତ ବ୍ୟାଟର୍ ଆଉ ବ୍ୟାଟିଂ କରିବାକୁ ନ ଆସିଲେ, ଏହାକୁ ରେକର୍ଡରେ ‘ରିଟାୟର୍ଡ ନଟ୍‌ଆଉଟ୍‌’ ରୂପରେ ଉଲ୍ଲେଖ କରାଯିବ । ‘ରିଟାୟର୍ଡ ହର୍ଟ’ କୌଣସି ରଣନୈତିକ ନିଷ୍ପତ୍ତି ନୁହେଁ । ପରିସ୍ଥିତି ବ୍ୟାଟର୍‌ଙ୍କୁ ରିଟାୟର୍ ହେବା ପାଇଁ ବାଧ୍ୟ କରେ, ହେଲେ ସେ ଫିଟ୍ ହେବା ସ୍ଥଳେ ଟିମ୍‌ର ଇନିଂସ୍ ଶେଷ ହେବା ପୂର୍ବରୁ ପୁଣି ବ୍ୟାଟିଂ କରିବାକୁ ଆସିପାରିବେ ।

ଗୋଟିଏ ଟେଷ୍ଟରେ ଦୁଇ ବ୍ୟାଟର୍ ରିଟାୟର୍ଡ ଆଉଟ୍‌

ଟେଷ୍ଟ କ୍ରିକେଟ୍‌ରେ ଏ ଯାବତ ମାତ୍ର ଗୋଟିଏ ମ୍ୟାଚ୍‌ରେ ‘ରିଟାୟର୍ଡ ଆଉଟ୍‌’ ଘଟଣା ଦେଖିବାକୁ ମିଳିଛି । ତେବେ କୌତୂହଳର ବିଷୟ ହେଉଛି ଯେ ସେହି ଟେଷ୍ଟରେ ଗୋଟିଏ ଇନିଂସ୍‌ରେ ଜଣେ ନୁହନ୍ତି, ଦୁଇ ଜଣ ବ୍ୟାଟର୍ ‘ରିଟାୟର୍ଡ ଆଉଟ୍‌’ ହୋଇଥିଲେ । ଏହି ମ୍ୟାଚ୍ ୨୦୦୧ରେ କଲମ୍ବୋ ଠାରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ  ଖେଳାଯାଇଥିଲା । ଶ୍ରୀଲଙ୍କାର ପ୍ରଥମ ଇନିଂସ୍‌ରେ ବ୍ୟାଟର୍ ମାର୍ଭନ ଅଟାପଟ୍ଟୁ ଓ ମାହେଲା ଜୟବର୍ଦ୍ଧନେ ରିଟାୟର୍ଡ ଆଉଟ୍ ହୋଇଥିଲେ । ଅଟାପଟ୍ଟୁ ୨୦୧ ରନ୍ ଓ ଜୟବର୍ଦ୍ଧନେ ୧୫୦ ରନ୍ କରିବା ପରେ ଅନ୍ୟ ବ୍ୟାଟର୍‌ମାନଙ୍କୁ ବ୍ୟାଟିଂ ସୁଯୋଗ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ ।

ଆଇପିଏଲ୍‌ରେ ରିଟାୟର୍ଡ ଆଉଟ୍ ହେଲେଣି ପାଞ୍ଚ ବ୍ୟାଟର୍‌

ଆଇପିଏଲ୍ ଇତିହାସରେ ଏ ଯାବତ ପାଞ୍ଚ ଜଣ ବ୍ୟାଟର୍ ‘ରିଟାୟର୍ଡ ଆଉଟ୍‌’ ହୋଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏହି ଲିଗ୍ ଇତିହାସରେ ‘ରିଟାୟର୍ଡ ଆଉଟ୍‌’ ହେବାରେ ପ୍ରଥମ ଖେଳାଳି ଥିଲେ । ୨୦୨୨ରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ବିପକ୍ଷରେ ଏଭଳି ନିଷ୍ପତ୍ତି ନେଇଥିଲେ । ଏହାପରେ ୨୦୨୩ରେ ପଞ୍ଜାବ କିଙ୍ଗ୍‌ସର ଅଥର୍ବ ତାଇଡ଼େ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଓ ଗୁଜରାଟର ସାଇ ସୁଦର୍ଶନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ‘ରିଟାୟର୍ଡ ଆଉଟ୍‌’ ହୋଇଥିଲେ । ଚଳିତ ସିଜନ୍‌ରେ ଏ ଯାବତ (ଏପ୍ରିଲ୍ ୧୦ ସୁଦ୍ଧା) ଭିନ୍ନ ଭିନ୍ନ ଟିମ୍‌ର ଦୁଇ ଖେଳାଳି ଏହି ନିୟମରେ ପାଭିଲିଅନ୍ ଫେରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ତିଲକ ବର୍ମା ଲକ୍ଷ୍ନୌ ବିପକ୍ଷରେ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍‌ସର ଡେଭନ୍ କନୱେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ‘ରିଟାୟର୍ଡ ଆଉଟ୍‌’ ହୋଇଥିଲେ ।

ଟି-୨୦ରେ ଟିମ୍‌ଗୁଡ଼ିକ ମ୍ୟାଚ୍‌ର ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନେଉଛନ୍ତି । କ୍ରିଜ୍‌ରେ ଥିବା ବ୍ୟାଟର୍‌ଙ୍କ ତୁଳନାରେ ଯଦି ଅନ୍ୟ କୌଣସି ବ୍ୟାଟର୍ (ଯିଏ ବ୍ୟାଟିଂ କରିବାକୁ ଆସି ନାହାନ୍ତି) ଉନ୍ନତ ଢଙ୍ଗରେ ପରିସ୍ଥିତିକୁ ସମ୍ଭାଳି ମ୍ୟାଚ୍‌କୁ ଜିତାଇବାରେ ସହାୟକ ହୋଇପାରିବେ ବୋଲି ଟିମ୍ ଆଶା କରେ, ତା’ହେଲେ ଏହି ରଣନୈତିକ ଅସ୍ତ୍ର ପ୍ରୟୋଗ କରାଯାଇଥାଏ । ଆଇପିଏଲ୍ ଭଳି ଅନ୍ୟ କେତେକ ଟି-୨୦ ଲିଗ୍‌ରେ ମଧ୍ୟ ‘ରିଟାୟର୍ଡ ଆଉଟ୍‌’ ଘଟଣା ଦେଖିବାକୁ ମିଳୁଛି । ବେଳେବେଳେ ଏହି ରଣନୈତିକ ନିଷ୍ପତ୍ତି ଫଳପ୍ରଦ ହୋଇ ନ ଥାଏ । ମୁମ୍ବାଇ ତିଳକଙ୍କ ସ୍ଥାନରେ ମିଚେଲ୍ ସାଣ୍ଟନର ଓ ଚେନ୍ନାଇ କନୱେଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜାଙ୍କୁ ପଠାଇଥିଲା, କିନ୍ତୁ ଉଭୟ ଟିମ୍ ମ୍ୟାଚ୍ ବଞ୍ଚାଇପାରି ନ ଥିଲେ ।

ICC IPL Indian Cricket Batters
Advertisment
Advertisment