• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭଙ୍ଗାଦଦରା ଘର..ଉପରେ ପୁଣି ଢଙ୍କା ଯାଇଛି ପାଲ । ଅବସ୍ଥା ଏମିତି ଯେ ବାହାରେ ଯାଉଥିବା ଲୋକ ବି ଘରେ କିଏ କଣ କରୁଛି ଜାଣିପାରିବେ । କାନ୍ଥ ଅବସ୍ଥା ଏମିତି ଯେ ହାତ ମାରୁମାରୁ ତାହା ଗଳିପଡ଼ିବ । ଆଉ ଏମିତି ଅବସ୍ଥାରେ ଅତି ଦୟନୀୟ ଅବସ୍ଥାରେ ରହୁଛି ଗୋଟିଏ ପରିବାର । କେତେବେଳେ ଜୋରରେ ପବନ ହେଲେ କାଳେ ପାଲ ଉଡିଯିବ ସେଥିପାଇଁ ଇଟାପଥର ସବୁ ଥୋଇ ଦିଆଯାଇଛି । କିନ୍ତୁ ଦୁଃଖର କଥା ସେମାନଙ୍କୁ ଏଯାଏଁ ମିଳିପାରିନି ଘର ।

ନୂଆପଡ଼ା ଖଡ଼ିଆଳ ବ୍ଲକ ସରଧାପୁର ଗ୍ରାମ ପଞ୍ଚାୟତ ଅଞ୍ଚଳପୁର ଗାଁର ପଙ୍କଜ ଜଗତଙ୍କ ଘରର । ପରିବାର କହିଲେ, ସିଏ ନିଜେ ଓ ତାଙ୍କ ଦୁଇ ପୁଅ ଝିଅ । ରୋଗରେ ପଡି ସ୍ତ୍ରୀ ଚାଲିଯିବା ପରେ ଏହି ଘରେ କଷ୍ଟେମଷ୍ଟେ ରହୁଛନ୍ତି ସେ । ଦୁଃଖ ଏତିକିରେ ସରିନି ଭଙ୍ଗାଦଦରା କୁଡ଼ିଆ ଘରେ ନିଜର ଦିବ୍ୟାଙ୍ଗ ଝିଅକୁ ସେ ରଖିବାକୁ ବାଧ୍ୟ ହେଉଛନ୍ତି । ଡାକ୍ତର ଦେଖାଇବାକୁ ଇଚ୍ଛା ତ ଅଛି ହେଲେ ପାଖରେ ଟଙ୍କା ନାହିଁ ।

ଘର ଖଣ୍ଡେ ନଥିବାରୁ ୫ ବର୍ଷ ହେଲାଣି  ଭଙ୍ଗାଘରେ ରହୁଛନ୍ତି ପରିବାର । ସ୍ଥିତି ଏମିତି ଯେ ସେହି ଘରେ ରହିଲେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦିଶୁଛନ୍ତି । ଖରା ଦିନରେ ସିନା ଯାହା ଯେମିତି ଚଳିଯାଉଛି ବର୍ଷା ଦିନରେ ହାଲତ ପୂରା ଖରାପ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ଲାଗି ବାରମ୍ବାର ନେହୁରା ହେଲେଣି କିନ୍ତୁ ପ୍ରଶାସନ ତାଙ୍କୁ ଏଯାଏଁ ଦେଇପାରିଲାନି ଖଣ୍ଡେ ପକ୍କାଘର ।

ଖାଲି ଘର ନୁହେଁ ବରଂ ବୟସ ୬୫ ପାର୍‌ ହୋଇଥିବା ପରେ ବି ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜିକା ମହରଗ ଯୁଗରେ ଝିଅକୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା ଆଉ ୧୫ କିଲୋ ଚାଉଳରେ ପୂରା ମାସଟାଯାକ ଚଳୁଛନ୍ତି ସେହି ପରିବାର । ଏତେ ଦୁଃଖରେ ରହୁଥିବା ପଙ୍କଜଙ୍କୁ ଘର ସହ ସରକାରୀ ସୁବିଧା ସୁଯୋଗ ନମିଳିବା ନିହାତି ଦୁର୍ଭାଗ୍ୟଜନକ । ତେବେ ତାଙ୍କ ଅସହାୟତା ସମ୍ପର୍କରେ ଆମେ ବ୍ଲକ୍‌ ଅଧ୍ୟକ୍ଷାଙ୍କୁ ଜଣାଇବା ପରେ ସେ କହିଛନ୍ତି ଖୁବଶୀଘ୍ର ତାଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

(ଖଡିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ)