• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଲାବେଳୁ ସେ ସ୍ୱପ୍ନ ଦେଖିଥିଲେ ଡାକ୍ତର ହେବେ..ରୋଗୀଙ୍କ ସେବା କରିବେ...ଲୋକଙ୍କ ଜୀବନ ବଞ୍ଚାଇବେ । ଖାଲି ସ୍ୱପ୍ନ ଦେଖିଥିଲେ ତାହା ନୁହେଁ ବରଂ ତାହାକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା ବି କରିଥିଲେ । ଆଜିକା ସମୟରେ ଡାକ୍ତରୀ ପାଠପଢିବା ବି କୋଉ କମ୍‌ କଷ୍ଟ କି? ହେଲେ ନିଜର ଅଧ୍ୟବସାୟ ବଳରେ ନିଜର ଲକ୍ଷ୍ୟ ହାସଲ କରିଛନ୍ତି, ଡାକ୍ତରୀ ପାଇଛନ୍ତି ବରଗଡ଼ର ଛତ୍ରପତି ପ୍ରଧାନ । ହେଲେ ଏବେ ପାଠ ପଢାରେ ଅର୍ଥ ସାଜିଛି ବାଧକ ।

ବରଗଡ ଭେଡେନ ବ୍ଲକରେ ରହିଛି ମାନପୁର ଗାଁ । ଆଉ ଏହି ଗାଁରେ ରହିଛି ଛତ୍ରପତିଙ୍କ ଘର । ଅବସ୍ଥା ଦେଖିଲେ ସମସ୍ତେ ବୁଝିପାରିବେ ସେମାନଙ୍କର ଆର୍ଥିକ ସ୍ଥିତି କେତେ ସୁଧାର ? କ୍ୟାବିନ୍‌ ପରି ଘରଟିଏ ଅଛି, ଆଉ ସେଥିରେ ରହୁଛନ୍ତି ପୂରା ପରିବାର । ଘର ପାଖକୁ ଲାଗି ଜଳଖିଆ ଦୋକାନଟିଏ ଅଛି...ସକାଳୁ ସଂଜ ପର୍ଯ୍ୟନ୍ତ ଖଟିଲେ ଟଙ୍କା ୨୦୦ ରୋଜଗାର ହେବା ଭାରି କଷ୍ଟ । ହେଲେ ସେହି ଦୋକାନରୁ ହିଁ ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର ।

ଏମିତି ସ୍ଥିତିରେ ବି ପୁଅ କେମିତି ପାଠ ପଢିବ, ନିଜ ସ୍ୱପ୍ନ ପୂରଣ କରିବ ସେହି ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ । ପକୁଡ଼ି ଛାଣିଲା ବେଳକୁ ଦୁଃଖରେ ଆଖିରୁ ଲୁହ ଝରିଯାଉଛି ହେଲେ ବି ମନୋବଳକୁ ଦୃଢ କରି ପକୁଡି ଛାଣି ବିକ୍ରି କରୁଛନ୍ତି ଛତ୍ରପତିଙ୍କ ମାଆ ପଦ୍ମା । ବର୍ତ୍ତମାନ ପଦ୍ମାଙ୍କ ସାନ ପୁଅ ମାମୁଁ ଘରେ ରହି ପାଠ ପଢୁଥିବା ବେଳେ ବଡ଼ ପୁଅ ଛତ୍ରପତି ଏସସିବି ମେଡିକାଲରେ ପାଠ ପଢୁଛନ୍ତି । ହେଲେ ଆବଶ୍ୟକୀୟ ହେଉଥିବା ଟଙ୍କା ପଦ୍ମାବତୀ ଯୋଗାଡ କରିପାରୁନାହାନ୍ତି । ଏମିତି ବି ସମୟ ଆସେ ପୁଅ ଫୋନ୍‌ କରି ମାଆଙ୍କୁ ଟଙ୍କା ମାଗେ..ହେଲେ ମାଆ ଅଣ୍ଟିରେ ଥାଏ ମାତ୍ର ୩୦ କି ୫୦ ଟଙ୍କା । ତଥାପି ଯୋଗାଡ କରି କିଛି ଟଙ୍କା ପଠାଏ, ପୁଅକୁ ଲକ୍ଷ ପୂରଣ କରିବାକୁ ପ୍ରେରଣା ଦିଅନ୍ତି ପଦ୍ମାବତୀ ।

ଛତ୍ରପତି ପିଲାଟି ଦିନରୁ ମେଧାବୀ ଛାତ୍ର ଅଟନ୍ତି । ବାପା ଦିନ ମଜୁରିଆ ହୋଇଥିବାରୁ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷରେ କଷ୍ଟ ହୋଇପଡ଼େ । ତେଣୁ ମାଆ ମଧ୍ୟ ଘର ପାଖରେ ଜଳଖିଆ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ସେମାନେ ଏତେ ଗରିବ ଯେ ନିଜର ବୋଲି ଡିହଟିଏ ନାହିଁ । ସେଇଥି ପାଇଁ ତ ସରକାରୀ ଯୋଜନା ମିଳୁଥିବା ଘର ବି ସେମାନଙ୍କ ଲାଗି ସାତ ସପନ ହୋଇଛି ।

ଜାଣିଆଶ୍ଚର୍ଯ୍ୟ ହେବେ କି, ଏତେ ଅଭାବ ପରେ ବି...ଛତ୍ରପତି ଯୁକ୍ତ ଦୁଇ ପରେ BDS ପାଇ SCB ରେ ପାଠ ପଢୁଥିଲେ । ୨ ବର୍ଷ ପଢିବା ପରେ MBBS ପାଇଁ ଚେଷ୍ଟା କରିଥିଲେ, ଭଲ ରାଙ୍କ ବି ପାଇଲେ । ହେଲେ ଆର୍ଥିକ ପ୍ରତିବନ୍ଧକ ତାଙ୍କ ବାଟ ହୁଡ଼ିଥିଲା । ଟଙ୍କା ଅଭାବ ନେଇ ସେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଜଣାଇଥିଲେ । ପୂରା ଘଟଣା ଜାଣିବା ପରେ ୨୫ ହଜାର ଟଙ୍କା ଛତ୍ରପତିଙ୍କୁ ସେ ସାହାଯ୍ୟ କରିଛନ୍ତି ।

ହେଲେ ଛତ୍ରପତିଙ୍କ ସ୍ୱପ୍ନ ପୂରଣ ପାଇଁ ଦରକାର ଆହୁରି ଅଧିକ ଟଙ୍କା । ତେଣୁ ସାହାଯ୍ୟ ଅପେକ୍ଷାରେ ପୂରା ପରିବାର । ଯଦି ଆପଣ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ..
Padma pradhan

A/c No-35859694571

IFSC- SBIN0003379

 

  • Reported by:
  • Deepak Sharma