• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କେତେ ବେଳେ ହାତରେ ବସୁଛି ତ ଆଉ କେତେବେଳେ ଗଛରେ ତ ପୁଣି କେତେବେଳେ ତାରରେ ଝୁଲୁଛି । କିଏ ତାକୁ ଅଙ୍ଗୁର ଦେଉଛି, ଆଉ କିଏ ଫଳ ରସ ପିଆଇ ଦେଉଛି । ସିଏ ତାକୁ ଅତି ଶ୍ରଦ୍ଧାର ସହ ପିଉଛି । ଆଉ ଏଇ ପରିବାରର ଲୋକ ତାକୁ ନିଜର ପୁଅ ପରି ପାଳୁଛନ୍ତି । ଆଜି କି କାଲି ନୁହେଁ ବରଂ ୧୨ ବର୍ଷ ହେଲାଣି ଏମିତି ଘରେ ପୁଅ ପରି ରହୁଛି ବାଦୁଡି । 

ମଣିଷ ପ୍ରେମରେ ବାଦୁଡ଼ି । ପୂରା ପରିବାର ସଦସ୍ୟଙ୍କ ସହ ରହିଛି ଆତ୍ମୀୟତା । ଏମିତି ଘରର ସାନ ଝିଅ ତାକୁ ନିଜ ଭାଇ କହୁଛି...ପ୍ରତିବର୍ଷ ତା’ ଦେହରେ ରାକ୍ଷୀ ବାନ୍ଧୁଛି । ଆଜିର ଦୁନିଆରେ ଯେଉଁଠି ମଣିଷ ସମ୍ପର୍କର ମାନେ ବୁଝୁନି ସେଇଠି ଏହି ନୀରିହ ପକ୍ଷୀଟି ବୁଝିଛି ସମ୍ପର୍କର ମାନେ କଣ? ସେଇଥି ପାଇଁ ତ ମଣିଷ ସହ ବସିଛି ମିତ ।

ବାଲେଶ୍ଵର ଖଇରା ବ୍ଲକ ଓଷଙ୍ଗ ଗାଁର ଅମୂଲ୍ୟ ବେହେରା । ଆଜକୁ ୧୨ବର୍ଷ ତଳେ ଗୋଟିଏ ଛୋଟ ବାଦୁଡ଼ିକୁ ଘର ଅଗଣାରୁ ପାଇଥିଲେ । ମାଆ ବାଦୁଡ଼ି ତାର ଛୁଆକୁ ସାଙ୍ଗରେ ନେଇ ଯାଉଥିବା ବେଳେ ଛୁଆ ବାଦୁଡିଟି ଅମୂଲ୍ୟଙ୍କ ଘର ଆଗରେ ଖସି ପଡିଥିଲା । ପରେ ଅମୂଲ୍ୟ ତାକୁ ଉଦ୍ଧାର କରିବା ପରେ ସ୍ନେହ,ମମତା, ଭଲପାଇବା ଡୋରିରେ ବାନ୍ଧି ଦେଇଥିଲେ । ବାସ୍‌ ସେହି ଦିନଠାରୁ ଆଜିଯାଏଁ ଘରେ ରହୁଛି ବାଦୁଡ଼ି ।

ଜାଣିଆଶ୍ଚର୍ଯ୍ୟ ହେବେ କି ଘରେ ଯଦି କାହାକୁ ନଦେଖୁଛି ଚିଁ ଚିଁ ଶବ୍ଦ କରୁଛି । ଆଉ ତା’ ପାଟି ଶୁଣିବା ପରେ ପରିବାର ଲୋକ ଯେଉଁଠି ଥିଲେ ବି ଧାଇଁ ଆସୁଛନ୍ତି । ବାସ୍‌ ପରିବାର ଲୋକଙ୍କୁ ଦେଖିବା ପରେ ବାଦୁଡି ଖୁସି ହେଉଛି...ପାଟି କରିବା ବନ୍ଦ କରିଦେଉଛି । ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି ।

ଅମୂଲ୍ୟ ପେଷାରେ ଜଣେ ଚାଷୀ । ବିଲରେ ଚାଷ କଲେ ପରିବାର ପେଟକୁ ଦାନା ଯିବ । ତେଣୁ ସକାଳୁ ସଂଜ ଯାଏଁ ବିଲରେ କାମ କରନ୍ତି ଅମୂଲ୍ୟ ସତ, ହେଲେ ବାଦୁଡି ପ୍ରତି କେବେ ହେଲେ ସେ ଅବହେଳା କରନ୍ତି ନାହିଁ । ପ୍ରତିଦିନ ବଜାରରୁ ତା’ ପାଇଁ ଫଳ ଆଣୁଛନ୍ତି, ତାକୁ ପୁଣି ନିଜ ହାତରେ ଖୁଆଇ ଦେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଦୁଡି ସାଧାରଣତଃ ରାତିରେ ବୁଲୁଥିବାର ଦେଖାଯାଏ ହେଲେ ଇଏ ଦିନରେ ବି ବୁଲୁଛି । ଯାହାକୁ ଦେଖିବାକୁ ଅମୂଲ୍ୟଙ୍କ ଘରେ ସ୍ଥାନୀୟ ଲୋକଙ୍କ ବେଶ୍‌ ଭିଡ ଜମେ ।

ଦର୍ଶକବନ୍ଧୁ ଆଜିର ଏ ସ୍ୱାର୍ଥପର ଦୁନିଆରେ କେହି କାହାକୁ ପଚାରୁ ନାହାନ୍ତି । ଏମିତିକି ମାଆକୁ ପୁଅ ପଚାରୁନଥିବା ଦେଖାଯାଉଛି...ହେଲେ ମଣିଷ ପ୍ରେମରେ ବାଦୁଡି ଯେମିତି ପଡିଛି ଯାହାକୁ ନେଇ ଏବେ ଚର୍ଚ୍ଚା ।

 

  • Reported by:
  • Niranjan Behera