Advertisment

ମିଳୁନି ରଥ ନିର୍ମାଣ ପାଇଁ କାଠ; ଚିନ୍ତାରେ ସେବକ

ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ।

author-image
Pramod Behera
undefined

Not getting wood for Three Cart of Puri

ଫେଲ୍ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ। ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ସଂଶୟ ବଢୁଥିବାବେଳେ ଏଭଳି ଗଛ ଲଗାଇବାକୁ ଜଗନ୍ନାଥ ପ୍ରେମୀଙ୍କ ପାଖକୁ ନିଜେ ଗଜପତି ମହାରାଜା ଯିବେ ବୋଲି ଜଣାପଡ଼ିଛି।

Advertisment

ପ୍ରତିବର୍ଷ ବଡ଼ଦାଣ୍ଡରେ ପୁଣ୍ୟ ରଥତ୍ରୟଙ୍କୁ ଦେଖି କେତେ ପୁଲକିତ ହୁଏ ଭକ୍ତ ତାହା ଅବର୍ଣ୍ଣନୀୟ। ହେଲେ ଆଗକୁ କିନ୍ତୁ ସେଇ ତିନି ରଥର ନିର୍ମାଣକୁ ନେଇ ଚିନ୍ତାରେ ପଡ଼ିଲେଣି ମହାରଣା। ଯୁଗ ଯୁଗ ଧରି ମହାପ୍ରଭୁଙ୍କ ନୂଆ ରଥ ଗଢ଼ା ପରମ୍ପରାରେ ସୃଷ୍ଟି ହେବନି ତ ସମସ୍ୟା? କାରଣ ଧିରେ ଧିରେ ଦୁର୍ଲଭ ହେଲାଣି ଫାଶୀ, ଅସନ ଓ ଧଉରା ଭଳି କାଠ। ତିନି ରଥର ଚକ, ତୁମ୍ବ ଓ ପହି ନିର୍ମାଣରେ ମୁଖ୍ୟତଃ ଲାଗୁଥିବା ଫାଶି କାଠ ପାଇଁ ନୟାଗଡ଼ରୁ ବୌଦ୍ଦ ଯାଏଁ ଗଛ ଖୋଜି ଖୋଜି ନୟାନ୍ତ ହେଲେଣି ଭୋଇ ଓ ମହାରଣା ସେବକ।

ପରମ୍ପରା ମୁତାବକ ପ୍ରତିବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ନୂଆ କାଠର ଆବଶ୍ୟକତା ପଡ଼ିଥାଏ, ଯାହାମଧ୍ୟରୁ ଫାଶି କାଠ ମୁଖ୍ୟ, ଅସନ ଓ ଧଉରା ବି ଜରୁରୀ। ତିନି ରଥର ତୁମ୍ବ ପାଇଁ ୬ରୁ ୭ ଫୁଟ୍ ଓ ପହି ପାଇଁ ୭ରୁ ୮ ଫୁଟ୍ ଗୋଲେଇର ଫାଶି କାଠ ଆଗ ଦରକାର। ଭୋଇ ସେବକମାନେ ଏଭଳି ଗଛ ଖୋଜି ଖୋଜି ଗଂଜାମ ଯାଏଁ ଗଲେଣି। ଯେହେତୁ ଏଭଳି ଗଛଟିଏ ଉତାରିବାକୁ ଅତିକମ୍‌ରେ ୭୦ରୁ ୮୦ ବର୍ଷ ଲାଗେ, ତେଣୁ ଏ କାଠ ନ ମିଳିଲେ, ଆଗକୁ ବନ୍ଦ ହୋଇ ଯାଇପାରେ ନୂଆ ରଥ ନିର୍ମାଣ, ଯାହାକୁ ନେଇ ବଢିଛି ଚିନ୍ତା।

Advertisment

ଏମିତିକି ନିଜେ ଗଜପତି ମହାରାଜା ବି ଏଥିପାଇଁ ଅଣ୍ଟା ଭି଼ଡ଼ିଲେଣି। ଆଗାମୀ ରଥଯାତ୍ରା ପରେ ଗାଁ ଗାଁ ବୁଲି ଜଗନ୍ନାଥପ୍ରେମୀଙ୍କୁ ଏସବୁ ଗଛ ଲଗାଇବାକୁ ସଚେତନ କରିବା ସହ ବୃକ୍ଷଦାନ ପାଇଁ ନିବେଦନ କରିବେ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର।

ତେବେ ଏଠି ପ୍ରଶ୍ନ ଉଠେ କାହିଁକି ନୂଆ ରଥ ନିର୍ମାଣକୁ ନେଇ ବଢୁଛି ସଂଶୟ? କାହିଁକି ରଥ ନିର୍ମାଣ ପାଇଁ କାଠ ମାଗିବାକୁ ଭକ୍ତଙ୍କ ପାଖକୁ ଯିବେ ଗଜପତି? ବହୁ ଆଗରୁ ତ ଫାଶି, ଧଉରା ଓ ଅସନ ଭଳି ଦରକାରୀ କାଠର ଆବଶ୍ୟକତା ପୂରଣ ଲାଗି ବ୍ୟବସ୍ଥା ହୋଇଛି। ଏମିତିକି ୨୦୦୨ ମସିହାରୁ ଜଗନ୍ନାଥ ବନ ପ୍ରକଳ୍ପ ବି କାର୍ଯ୍ୟକାରୀ ହେଉଛି? ହେଲେ ତା’ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। କେଉଁଠି ପ୍ରକଳ୍ପ ଅଞ୍ଚଳ ପଡିଆ ପଡିଛି ତ ପୁଣି କେଉଁଠି ଲାଗିଛି ୟୁକାଲିପଟାସ ଗଛ।

ତାହାଲେ ଖୋର୍ଦ୍ଧା, ନୟାଗଡ଼ ଓ ବୌଦ୍ଦ ଭଳି ଫରେଷ୍ଟ ଡିଭିଜନ୍‌ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସୃଷ୍ଟି ହୋଇଥିବା ବନ ପ୍ରକଳ୍ପ ଗଲା କୁଅଆ? ଆର୍‌ଟିଆଇ ତଥ୍ୟ କହୁଛି, ୨୦୦୩ ମସିହାରୁ ଖୋର୍ଦ୍ଧା ବନଖଣ୍ଡରେ ୨୧ଟି ସ୍ଥାନରେ ବୃକ୍ଷ ରୋପଣ ହୋଇଥିଲା। ବିଭିନ୍ନ ସ୍ଥାନରେ ୯୧ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ଗଛ ଲାଗିଥିଲା ଓ ତା’ର ରକ୍ଷଣାବେକ୍ଷଣ ବାବଦରେ ୨୨ଲକ୍ଷ ୪୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ୨୦ବର୍ଷ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏଣେ ରଥ ନିର୍ମାଣ ପାଇଁ କାଠ ଅଭାବ କଥା ଶୁଣି ଖୋର୍ଦ୍ଧା ଓ ଟାଙ୍ଗି ରେଞ୍ଜ୍‌ରେ କିଛି ଜଗନ୍ନାଥ ପ୍ରେମୀ ନିଜ ବାଡ଼ିରେ ଥିବା ପୁରୁଣା ଶିମିଳି ଓ ଲିମ୍ବ ଭଳି ବୃକ୍ଷ ଦାନ କରିବାକୁ ଦେଖାଇଛନ୍ତି ଆଗ୍ରହ।

Odisha News Puri Ratha Jatra Ratha Yatra
Advertisment
Advertisment