• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପରିଶ୍ରମ କରି ପାଠ ପଢ଼ି ଯିଏ ମାଟ୍ରିକ ପରୀକ୍ଷା ଦିଏ ସେହି ଛାତ୍ରଛାତ୍ରୀ ଏବଂ ତାଙ୍କ ଅଭିଭାବକ ହିଁ ଜାଣନ୍ତି, ମାଟ୍ରିକର ମୂଲ୍ୟ କେତେ। କିନ୍ତୁ ବ୍ୟବସ୍ଥା ଆଜି ବିଗାଡ଼ି ଦେଉଛି ପରୀକ୍ଷାର୍ଥୀଙ୍କ ମାନସିକ ସ୍ଥିତିକୁ। କାରଣ ମାଟ୍ରିକ ପରୀକ୍ଷାର ପିଛା ଛାଡୁନି ଭାଇରାଲ୍ ଭୂତ। ରୋଗ ଭଳି ଜାବୁଡ଼ି ଧରିଛି, ମାଟ୍ରିକ ପରୀକ୍ଷା ଆସିବା କ୍ଷଣି ପ୍ରତିବର୍ଷ ମାଡ଼ି ବସୁଛି।

ସେଦିନ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା ଆଉ ଆଜି ଥିଲା ଗଣିତର ପାଳି। କେନ୍ଦୁଝରରେ ଦୁଇ ଦୁଇଟି ସେଟର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ମୋବାଇଲକୁ ମୋବାଇଲ୍ ଘୁରି ବୁଲିଥିଲା। ଭାଇରାଲ ହୋଇଥିବା C ଓ D ସେଟର ପ୍ରଶ୍ନ ସହ ଆଜିର ପ୍ରଶ୍ନ ସବୁ ପୁରାପୁରି ମେଳ ଖାଇଯାଉଥିବା କହିଛନ୍ତି ପରୀକ୍ଷାର୍ଥୀ। 

ଗୋଟିଏ ସ୍କ୍ରିନ୍ ସଟ, ଯାହାକି ସକାଳ ୬ଟା ୨୦ ମିନିଟରେ ନିଆଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଏହା କେଉଁ କେନ୍ଦ୍ରରୁ ଭାଇରାଲ୍ ହୋଇଛି ତାହା କିନ୍ତୁ ଜଣାପଡୁନାହିଁ। ପରୀକ୍ଷା ଆରମ୍ଭ ପୂର୍ବରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଆଶଙ୍କା କରି କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମତାମତ ନେବାକୁ ବାରମ୍ବାର ଚେଷ୍ଟା କରିଥିଲେ ଆମ କେନ୍ଦୁଝର ପ୍ରତିନିଧି। କିନ୍ତୁ ନା ସେ ଫୋନ୍ ରିସିଭ୍ କରିଥିଲେ ନା ଅଫିସରେ ଥିଲେ।

ତେବେ ପରୀକ୍ଷା ଚାଲିଥିବାବେଳେ କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ କିନ୍ତୁ, ପ୍ରଶ୍ନପତ୍ର ଭାଇରାଲ୍ କଥାକୁ ସ୍ୱୀକାର କରିଥିଲେ । ଅଥଚ ବୋର୍ଡ କର୍ତ୍ତୃପକ୍ଷ ମାନିବାକୁ ନାରାଜ। 

ମାଟ୍ରିକ ପରୀକ୍ଷାରେ କଡ଼ା ସୁରକ୍ଷା ସହ AI ସର୍ଭେଲାନ୍ସ ଆଦି କେତେ କଥା କୁହାଯାଉଛି। କିନ୍ତୁ ଜାରି ରହିଛି ଭାଇରାଲ୍ ସହ ବିଭ୍ରାଟର ପର୍ବ। ଯାହାକୁ ନେଇ ହଟଚମଟ ଲାଗିରହିଛି। ସେପଟେ ବିଗତ ବର୍ଷଗୁଡ଼ିକରେ ମାଟ୍ରିକ୍ ପରୀକ୍ଷା ବେଳେ ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରୁଥିବା ବେଳେ ଏଥର କିନ୍ତୁ ମନ୍ତ୍ରୀଙ୍କର ଦେଖା ହିଁ ନାହିଁ। ମାଟ୍ରିକ ପରୀକ୍ଷାରେ ଏଭଳି ଅବ୍ୟବସ୍ଥାକୁ ନେଇ ୨ ଦିନ ତଳେ ବିଜେପି ଯୁବ ମୋର୍ଚ୍ଚା, ଏବିଭିପି ଏବଂ କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଇବା ସହ ବିକ୍ଷୋଭ ବି କରାଯାଇଥିଲା । ତଥାପି ନା ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖୁଛନ୍ତି ନା ବିଭାଗୀୟ ସଚିବ।

ପ୍ରଶ୍ନ ଉଠୁଛି, କ୍ରମାଗତ ବିଭ୍ରାଟ ଆଉ ଭାଇରାଲ୍ ଅଭିଯୋଗ ଆସୁଥିଲେ ବି କାହିଁକି ସାମ୍ନାକୁ ଆସି ଉତ୍ତର ରଖୁନାହାନ୍ତି ମନ୍ତ୍ରୀ ? ମାଟ୍ରିକ୍ ପରୀକ୍ଷା କେବେ ହେବ ତ୍ରୁଟିଶୂନ୍ୟ ? କେବେ ହଟିବ ଏହି ଭାଇରାଲ୍ ରୋଗ ?

ସେପଟେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଅଜବ ଉତ୍ତର ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ସେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି। କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ସରିଛି। ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରଣ କରିଛି ଓଟିଭି। ଏପରିକି ଯେଉଁ ପିଲା ଭାଇରାଲ୍ ପ୍ରଶ୍ନପତ୍ର ଚିହ୍ନିଛନ୍ତି ସେମାନେ ବି ‘ଓଟିଭିର ପିଲା’ ବୋଲି କହିବାକୁ ପଛାଇ ନାହାନ୍ତି ବୋର୍ଡ ସଭାପତି।

ଏଠାରେ ଆମେ କହିରଖୁଛି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ଓଟିଭି ବିରୋଧରେ ଅଭିଯୋଗ ସଂପୂର୍ଣ୍ଣ ଅମୂଳକ ଓ ବିଭ୍ରାନ୍ତିକର। ଓଟିଭି କୌଣସି ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରଣ କରେ ନାହିଁ। ଯାହା ଘଟଣା ଘଟେ ତାକୁ ନିରପେକ୍ଷ ଭାବେ ରିପୋର୍ଟିଂ କରିବା ସହିତ ଖବର ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କର ପ୍ରତିକ୍ରିୟାକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରିବା ସାମ୍ବାଦିକତାର କର୍ତ୍ତବ୍ୟ। ଯାହା ଓଟିଭିର ଚାର୍ଟର ଅନୁଯାୟୀ ଆମେ ବର୍ଷ ବର୍ଷ ଧରି କରିଆସିଛୁ। ନା ତ ଓଟିଭିର କୌଣସି ରିପୋର୍ଟର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରିତ କରିଛନ୍ତି, ନା ସିଧାପ୍ରସାରଣରେ ଥିବା ପରୀକ୍ଷାର୍ଥୀମାନଙ୍କୁ ଶିଖାଇ କିଛି କହିବାକୁ ବାଧ୍ୟ କରାଯାଇଛି। ଏଭଳି ସ୍ଥଳେ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା ଦୁର୍ଭାଗ୍ୟଜନକ।

  • Reported by:
  • DEBASHISH MOHANTY

OTV is now on Whatsapp

Join and get latest news update delivered to you via whatsapp

Join Now