• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରି ଦୁଃଖ । ଏମିତି ଅପମାନ କାହାକୁ ବି ଦିଆନଯାଉ । ଆମ ସମାଜ କେଉଁ ଆଡ଼କୁ ଗତି କରୁଛି । ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ର ନାରା ଦେଉଛନ୍ତି ସେହି ଦେଶରେ ଏଭଳି ବ୍ୟବାହାର ଆଦୌ ଗ୍ରହଣୀୟ ନୁହେଁ । ଯେଉଁଠି ଚାଷୀଙ୍କୁ ଦେଶର ମେରୁଦଣ୍ଡ କୁହାଯାଉଛି ସେଇଠି ଚାଷୀଙ୍କୁ ଏଭଳି ଅପମାନ ଅତ୍ୟନ୍ତ ଚିନ୍ତା ଜନକ । ଏ ଶିକ୍ଷିତ ସମାଜ ଯଦି ଜଣେ ଚାଷୀକୁ ସମ୍ମାନ ଦେଇ ଶିଖି ନାହିଁ, ତେବେ ଏହି ଧିକ୍‌ ଏଭଳି ସମାଜକୁ । ଧିକ୍‌ ଏଭଳି ଶିକ୍ଷାକୁ । ଧିକ୍ ଏଭଳି ଆଧୁନିକରଣକୁ । ଆଉ ଧିକ୍‌ ଏଭଳି ଟେକ୍ନୋଲୋଜିକୁ ।

ଆପଣ ଭାବୁଥିବେ, ଆମେ ହଠାତ୍‌ ଏସବୁ କ’ଣ କହିଯାଉଛୁ । ଥରେ ଭାଇରାଲ ହେଉଥିବା ସେହି ଭିଡିଓକୁ ଦେଖିଲେ ଆପଣଙ୍କ ମତାମତ ବି ଠିକ୍ ଏମିତି ହିଁ ଆସିବ । ଆଉ ଆପଣଙ୍କ ମନ ବି ବ୍ୟଥିତ ହେବ ।

ବେଙ୍ଗାଲୁରୁ ସହରର ଏହି ଘଟଣା । ଜଣେ ଚାଷୀ ମୁଣ୍ଡରେ କିଛି ଲୁଗାପଟା ଗଣ୍ଠିଲି ମୁଣ୍ଡାଇ ମେଟ୍ରୋ ଷ୍ଟେସନ୍‌ରେ ପହଞ୍ଚିଥିଲେ । ସେ ପିନ୍ଧିଥିବା ପୋଷାକ ମଳି ହୋଇଯାଇଥିଲା । ଦେଖିଲେ ଲାଗୁଥିଲା ବୟସ ସେଇ ୬୫ ରୁ ୭୦ ଭିତରେ ହେବ । ହେଲେ ଏହି କାରଣରୁ ତାଙ୍କୁ ମେଟ୍ରୋ ଷ୍ଟେସନ୍‌ ଭିତରେ ପଶିବାକୁ ଦେଇନଥିଲେ ଦାୟିତ୍ୱରେ ଥିବା କର୍ମଚାରୀ ।

ଯେଉଁ ଦେଶରେ ଚାଷୀଙ୍କ ପାଇଁ ସରକାର ନାନା ପ୍ରକାର ଯୋଜନା କରୁଛନ୍ତି, ଚାଷୀଙ୍କ ଉନ୍ନତି କିଭଳି ହେବ ସେନେଇ ସବୁବେଳେ ଚେଷ୍ଟା କରୁଛନ୍ତି, ସେହି ଦେଶରେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । କେବଳ ପୋଷାକ ମଳି ହୋଇଥିଲା ବୋଲି ତାଙ୍କୁ ମେଟ୍ରୋରେ ବସିବାକୁ ଦେଲେନି କର୍ମଚାରୀ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଏହି ଅଧୁନିକ ଯୁଗରେ ଲୋକଙ୍କର ମାନସିକତା କିଭଳି ରହିଛି ।

ବେଙ୍ଗାଲୁରୁର ରାଜାଜି ନଗର ମେଟ୍ରୋ ଷ୍ଟେସନ୍‌ରେ ଏଭଳି ଘଟଣା ଘଟିଛି । ଷ୍ଟେସନ୍‌ ବାହାରେ ଥିବା ସିକ୍ୟୁରିଟି ଗାର୍ଡ ଉକ୍ତ ଚାଷୀଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ଯାହାକି ଭାଇରାଲ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ଚାଷୀ ଜଣଙ୍କ ହିନ୍ଦି ଭାଷାରେ ସିକ୍ୟୁରିଟି ଅଧିକାରୀଙ୍କୁ ବୁଝାଇବାକୁ ବି ଚେଷ୍ଟା କରିଥିଲେ । ହେଲେ ତାଙ୍କ କଥାକୁ କେହି ଖାତିର କରିନଥିଲେ । ଜଣେ ନୁହେଁ ସେଠାରେ ଅନେକ ସିକ୍ୟୁରିଟି ଅଧିକାରୀ ଥିଲେ, ଏମିତିକି ସାଧାରଣ ଲୋକ ବି ଥିଲେ । କିଛି ଲୋକ ଏହା ଦେଖି ଚୁପ୍‌ ରହିଥିବା ବେଳେ କିଛି ଲୋକ ଏହାକୁ ନାପସନ୍ଦ କଲେ ଆଉ ଦଃଖ ପ୍ରକାଶ କଲେ । ହେଲେ ସେହି ଚାଷୀଙ୍କ ପାଇଁ କେହି ବି ସେଠାରେ ଲଢ଼ିବାକୁ ଆଗକୁ ଆସିଲେନି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ, ବିଭାଗ ପକ୍ଷରୁ ଉକ୍ତ ସୁରକ୍ଷା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସବୁଠାରୁ ବଡ଼ କଥା ହେଲା, ଚାଷୀଙ୍କ ପାଖରେ ଟିକଟ ଥାଇ ବି ତାଙ୍କୁ ଭିତରକୁ ଯିବାକୁ ଦେଇନଥିଲେ ସିକ୍ୟୁରିଟି ।

ଶେଷରେ ଦୁଇ ଜଣ ବ୍ୟକ୍ତି ସେଠାରେ ସିକ୍ୟୁରିଟିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ଗଣ୍ଠିଲିରେ କେବଳ ଲୁଗାପଟା ରହିଛି । ଏହାଦ୍ୱାରା କାହାରିକୁ କିଛି କ୍ଷତି ହେବ ନାହିଁ । ଚାଷୀ ଜଣକ କାହା ପ୍ରତି ବିପଦ ନୁହନ୍ତି । ଏମିତିକି ଏଭଳି ପୋଷାକ ପିନ୍ଧିବା ଦ୍ୱାରା ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ୍‌ର କୌଣସି ନିୟମ ଉଲଂଘନ ହେଉନି ବୋଲି ସିକ୍ୟୁରିଟିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଆଉ ତାପରେ ଚାଷୀଙ୍କୁ ମେଟ୍ରୋରେ ଯିବାର ଅନୁମତି ଦେଇଥିଲେ ସିକ୍ୟୁରିଟି ଅଧିକାରୀ । ଏହି ଘଟଣାରେ ଜଣଙ୍କୁ ନିଲମ୍ବନ କରାଯାଇଛି ।