• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟୁସୁ ମୁନିଙ୍କୁ ମନେ ପକାଇବା ପାଇଁ ଟୁସୁ ପୂଜା । ମହାନ୍ତ ପରିବାର ଲୋକେ ଏହି ଟୁସୁ ପୂଜା ପାଳନ କରିଥାନ୍ତି । ଘରେ ଘରେ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସହ ବିଭିନ୍ନ ପ୍ରକାର ପିଠାମଡା ପ୍ରସ୍ତୁତ କରିଥାନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ନାରା ସାହିରେ ଚାଲିଛି ଟୁସୁ ମୁନିଙ୍କ ପୂଜା । ଘରେ ଘରେ ମକର ପୂର୍ବରୁ ଲିପାପୋଛା କରି ପୂଜା ଦିନ ନୂଆ ଲୁଗା ପରିଧାନ କରି ଏହି ଟୁସୁ ପୂଜାକୁ ପାଳନ କରିଛନ୍ତି ।

ଏକଜୁଟ ହୋଇ ବାରିପଦାରୁ ଟୁସୁ ମୂର୍ତ୍ତି ଆଣି ଏକ ବିମାନ କରି ସାଜସଜ୍ଜା କରାଯାଇଛି । ଲୋକ କଥା ରହିଛି ଯେ, ଟୁସୁ ନାମକ ଜଣେ ଯୁବତୀ ମହାନ୍ତ ପରିବାରର ଯୁବତୀ ଥିଲେ । ତାଙ୍କୁ ଅନ୍ୟ ସମ୍ପ୍ରଦାୟରେ ପରିବାର ଲୋକ ବାହାଘର ସ୍ଥିର କରିବା ଓ ସେ ଅନ୍ୟ ସମ୍ପ୍ରଦାୟର ର୍ନିଯାତନା ସହି ନପାରି ମକର ଦିନ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେଣୁ ମହାନ୍ତ ପରିବାର ଲୋକ ସେହିଦିନକୁ ମନେ ପକାଇବା ପାଇଁ ଏହି ଟୁସୁ ପୂଜା କରି ଆସୁଛନ୍ତି । ଏହି ଟୁସୁ ପୂଜାକୁ ଗାଁ ଲୋକେ ମକର ଠାରୁ ତିନି ଦିନ ଧରି ପାଳନ କରିଥାନ୍ତି ।

ଟୁସୁ ପରବ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମୁଖ୍ୟତଃ କୁରୁମୀ ଓ ବାକି ସମ୍ପ୍ରଦାୟଙ୍କ ଦ୍ୱାରା ପାଳିତ ଏକ କୃଷିଭିତ୍ତିକ ପର୍ବ । ପୁଷ୍‌ ପରବ ବା ମକର ପର୍ବରେ ଆହୂତ ଦେବୀ ଟୁସୁ ମୁନୀଙ୍କର ପୂଜାର୍ଚ୍ଚନା କରାଯାଏ । ଟୁସୁ କୃଷିଭିତ୍ତିକ ସଂସ୍କୃତି ଦେବୀ । ମୁଖ୍ୟତଃ କୁମାରୀ କନ୍ୟାଗଣ ଟୁସୁଦେବୀଙ୍କର ମୃଣ୍ମୟୀ ମୂର୍ତ୍ତିଙ୍କୁ ପୌଷ ମାସରେ ପୂଜାକରନ୍ତି । ପ୍ରତ୍ୟହ ଟୁସୁ ସଙ୍ଗୀତ ବୋଲିଥାନ୍ତି । ଏହି ସଂଗୀତର ବିଷୟବସ୍ତୁ ଟୁସୁଦେବୀଙ୍କର ଲୀଳାଖେଳା, ଟୁସୁଦେବୀ ସଂପର୍କିତ ଓ ଝୁମର ସ୍ୱରର ଲୋକଗୀତ ।

ପାରମ୍ପରିକ ରୀତିରେ ପିଠାପଣା ଅଥବା ମିଷ୍ଟାନ୍ନ ଟୁସୁଦେବୀଙ୍କୁ ସମର୍ପଣ କରାଯାଏ । ଟୁସୁଦେବୀଙ୍କର ପ୍ରିୟ ଫୁଲ ଗେଣ୍ଡୁ । କୁମାରୀମାନେ ଏହି ଫୁଲ ଦେବୀଙ୍କୁ ଅର୍ପଣ କରି ସନ୍ତୁଷ୍ଟ କରାନ୍ତି । ଗାଁ ମୁଖିଆ, ଦେଶ ପଧାନ ବା ମାହାନ୍ତଙ୍କ ଗୃହ ଟୁସୁଦେବୀଙ୍କ ପୂଜା ଆରାଧନାସ୍ଥଳୀ । ଟୁସୁଦେବୀ ମାସେ ପର୍ଯ୍ୟନ୍ତ ପୂଜା ପାଆନ୍ତି । ମକର ସଂକ୍ରାନ୍ତି ଦିନ ଦେବୀ ବିସର୍ଜନ ହୁଅନ୍ତି । ମକର ପର୍ବ ତିନିଦିନ ବ୍ୟାପୀ ପ୍ରଥମ ଦିନ ‘ବାଉଣ୍ଡି’ ପରଦିବସ ‘ମକର’ ଏବଂ ଶେଷ ଦିବସ ‘ଆଖାନ’ । ‘ବାଉଣ୍ଡି’ (ପୌଷ ମାସନ୍ତ) ରାତି ସାରା ଟୁସୁ ସଙ୍ଗୀତ ବୋଲାଯାଏ । କୁମାରୀ କନ୍ୟାଗଣ ଟୁସୁ ଦେବୀଙ୍କ ସହିତ ଘରକୁ ଘର ବୁଲି ବିସର୍ଜନ ଦିନ ସକାଳ ଯାଏ ଟୁସୁଗୀତ ଗାନ କରନ୍ତି । ଟୁସୁ ଦେବୀ ଏକ ସ୍ୱତନ୍ତ୍ର ଧରଣର ବିମାନ ‘ଚଉଡଲ’ ଆରୋହଣ କରି ଜଳକୁ ଗମନ କରନ୍ତି । କୁମାରୀମାନେ ବିଦାୟ ସଙ୍ଗୀତ ବୋଲନ୍ତି ।