/odishatv-khabar/media/post_attachments/uploadimage/library/16_9/16_9_0/Corona_1650471721.jpg)
Corona
ଗତକାଲି ସାମାନ୍ୟ କମିବା ପରେ, ଆଜି ପୁଣି ୨ ହଜାର ଟପିଛି ଦେଶର ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତ ବଢ଼ିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବିଗୁଡ଼ୁଥିବା ଦେଖି, ମାସ୍କ ବାଧ୍ୟତାମୂଳକ କରାଯାଇଛି । ଦେଶର R ଭାଲ୍ୟୁ ୧ ଟପିବା ପରେ, ଚିନ୍ତା ଦ୍ୱିଗୁଣିତ ହୋଇଛି ।
ତେବେ ଓଡ଼ିଶାରେ ଏଯାଏଁ ବଢ଼ିନି, ହେଲେ କେତେବେଳେ ବି ବଢ଼ିଯାଇପାରେ । ତେଣୁ କରୋନା ସଂକ୍ରମଣ ବୃଦ୍ଧି ପ୍ରତି ଆଗୁଆ ସତର୍କ ରହିବାକୁ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି । ସବୁ ଜିଲ୍ଲାପାଳ, ସିଡିଏମ୍ଓ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ-
-ନୂଆ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଓ କ୍ଲଷ୍ଟର୍ ଆଉଟ୍ବ୍ରେକ୍ ଉପରେ ନଜର ରଖ
-ହସ୍ପିଟାଲ ଭିତ୍ତିଭୂମି ପ୍ରସ୍ତୁତିର ନିୟମିତ ସମୀକ୍ଷା କର
-ସଂକ୍ରମଣ ବହୁଳ ଦେଶ ଓ ରାଜ୍ୟରୁ ଆସୁଥିବା ଲୋକଙ୍କ ହିସାବ ରଖ
-ଟେଷ୍ଟିଂ- ଟ୍ରାକିଂ- ଟ୍ରିଟ୍ମେଣ୍ଟ ସହିତ ଟିକାକରଣ ଉପରେ ଗୁରୁତ୍ୱ ଦିଅ
-ଜନଗହଳି ସ୍ଥାନରେ ମାସ୍କ, ସାମାଜିକ ଦୂରତା ଆଦି ସୁନିଶ୍ଚିତ କର ।
ଏହାସହ, ଯଦି ସଂକ୍ରମଣ ବଢ଼େ, ତେବେ ଜିଲ୍ଲା ସ୍ତରରେ କଣ୍ଟିନ୍ଜେନ୍ସି ଆକ୍ସନ ପ୍ଲାନ ବା ଜରୁରୀକାଳୀନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ କରୋନାରେ ଜଣଙ୍କ ଜୀବନ ଯାଇଛି ।
ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର ଓ ମିଜେରାମ । ଏଇ ୫ଟି ରାଜ୍ୟକୁ କରୋନା କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର । ଗତ ୨୪ ଘଣ୍ଟାରେ ଦେଶରେ ୨ ହଜାର ୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲିର ତଥ୍ୟଠାରୁ ଏହା ୬୫ ପ୍ରତିଶତ ଅଧିକ । ପଜିଟିଭିଟି ରେଟ୍ ବି ୦.୪୯ ପ୍ରତିଶତ ବଢ଼ିଛି । ହେଲେ ତାଠୁ ଅଧିକ ଚିନ୍ତାର ବିଷୟ ହେଉଛି R-ଭାଲ୍ୟୁ । ଗତ ସପ୍ତାହରେ ଦେଶରେ R-ଭାଲ୍ୟୁ ୧.୦୭ ଥିଲା ଏବଂ ଗତ ଜାନୁଆରୀ ପରେ ପ୍ରଥମ ଥର ପାଇଁ ଏହା ୧ ଉପରକୁ ଯାଇଛି ବୋଲି ଚେନ୍ନାଇର କିଛି ଗବେଷକ ଦାବି କରିଛନ୍ତି । ଯାହାକି ଅଚାନକ ସଂକ୍ରମଣ ବୃଦ୍ଧିର ପ୍ରାରମ୍ଭିକ ସୂଚନା ବୋଲି କୁହାଯାଇପାରେ । ତେବେ ଏହା ଚତୁର୍ଥ ଲହର ନୁହେଁ ବୋଲି ଆଶ୍ୱସ୍ତ କରିିଛନ୍ତି ICMRର ପୂର୍ବତନ ବୈଜ୍ଞାନିକ ।
ସେପଟେ ଦିଲ୍ଲୀ ସ୍ଥିତି ତ ଧିରେ ଧିରେ ଡରାଇବାକୁ ଲାଗିଲାଣି । ସେଠି ଗତ ଫେବୃଆରୀ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୬ଶହ ଟପିଛି । ପୂର୍ବରୁ ସ୍କୁଲ ପାଇଁ ଆଡ୍ଭାଇଜରି ଜାରି କରିବା ସହ ହସ୍ପିଟାଲ ଗୁଡ଼ିକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ସରକାର । ଆଉ ଆଜି କୋଭିଡ୍ ସ୍ଥିତି ସମୀକ୍ଷା ପରେ, ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ କରିବାକୁ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-DDMA ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସର୍ବସାଧାରଣ ସ୍ଥାନରେ ମାସ୍କ ନଲଗାଇଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ତେବେ ଦିଲ୍ଲୀରେ ଏବେ ପାଇଁ ସ୍କୁଲ ବନ୍ଦ ହେବାର ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)