ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ । ବିଧେୟକକୁ ମିଳିଲା ରାଜ୍ୟପାଳଙ୍କ ସ୍ବୀକୃତି । ଏପ୍ରିଲ ୨ ତାରିଖରେ ବିଧାନସଭାରେ ରାତିତମାମ ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକକୁ ପାରିତ କରାଯାଇଥିଲା । ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ବୀକୃତି ଲାଭ କରିବା ପରେ ସାରା ରାଜ୍ୟରେ ଏହି ଅଧିନିୟମ ଲାଗି ହୋଇଛି । ବିଧେୟକ ଲାଗୁ ହେବା ଦ୍ୱାରା ଉଚ୍ଚଶିକ୍ଷା ବିକାଶ ଦିଗରେ ଏହା ଯୁଗାନ୍ତକାରୀ ପଦକ୍ଷେପ ହେବ ।
Also Read
ଅଧିକ ପଢ଼ନ୍ତୁ: ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ କାମ; ପାଣି ପାଇଁ ଛଟପଟ ୩୦ ପଂଚାୟତ...
ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦକ୍ଷ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ସୁନିଶ୍ଚିତ କରାଯାଇପାରିବ । ସେହିଭଳି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନଙ୍କ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କରାନଯାଇ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷାବିତଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ହିଁ କରାଯିବ। ଏଥିସହିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଏବଂ ବିଷୟ ଭିତ୍ତିକ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକମାନଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରାଯାଇପାରିବ । ବିଶ୍ୱବିଦ୍ୟାଳୟର କୁଳପତି ମନୋନୟନ ପ୍ରକ୍ରିୟା ଅଧିକ ପାରଦର୍ଶୀ, ସ୍ୱଚ୍ଛ ଓ ଦକ୍ଷତା ଆଧାରିତ ହୋଇପାରିବ ।
ଏଥିସହିତ କୁଳପତିଙ୍କ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ଆଧାରରେ ଜଣେ ପ୍ରବୀଣ ଶୈକ୍ଷିକ ନେତୃତ୍ୱଙ୍କୁ କୁଳପତି ଭାବେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ପ୍ରଶାସନରେ ସିନେଟର ପୁନଃ-ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରାଯାଇଛି। ଏଥିସହ ସୁଦୃଢ଼ ଭିତ୍ତିଭୂମି ଓ ସୁଦୃଢ଼ ଶିକ୍ଷା ବ୍ୟବସ୍ଥାର ସୁନିଶ୍ଚିତତା ବଢିଛି ।