• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ରହୁଥିବା କ୍ୱାର୍ଟର୍ସରେ ରୋଷେୟାଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ଓ ପରେ ରାତି ଅଧିଆ ବ୍ୟବଚ୍ଛେଦ ପଛର ରହସ୍ୟକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଗଣମାଧ୍ୟମରେ ଏସମ୍ପର୍କରେ ଖବର ବି ପ୍ରକାଶ ପାଉଛି । ଅଥଚ ନା ମନ୍ତ୍ରୀ ନା ଝାରସୁଗୁଡ଼ା ପୋଲିସ, କେହି କିଛି ସ୍ପଷ୍ଟ କରୁନାହାଁନ୍ତି । ରୋଷେୟା ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ସମସ୍ତେ ନୀରବ ରହୁଥିବାରୁ ଘଟଣା ଆହୁରି ରହସ୍ୟମୟ ଲାଗୁଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବ୍ୟକ୍ତିଗତ କର୍ମଚାରୀଙ୍କ କ୍ୱାର୍ଟର୍ସର ରୋଷେୟା କାହିଁକି କଲେ ଆତ୍ଜହତ୍ୟା ? ରୋଜଗାର କରି ଗରୀବ ପରିବାର ମୁହଁରେ ଦାନା ଦେଉଥିବା ୨୨ ବର୍ଷିୟ ଯୁବକ ଲଳିତ ସାହୁଙ୍କ ମୃତ୍ୟୁ ପଛର ସତ କଣ ? ନବ ଦାସଙ୍କ ଷ୍ଟାଫ କ୍ୱାର୍ଟରରୁ ମୃତଦେହ ଉଦ୍ଧାରର କେଇ ସମୟ ଭିତରେ ତରବରିଆ ଭାବେ କାହିଁକି ରାତାରାତି କରାଗଲା ବ୍ୟବଚ୍ଛେଦ ?

ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ନା ପୋଲିସ ମୁହଁ ଖୋଲୁଛି ନା ମନ୍ତ୍ରୀ ନବ ଦାସ । ଫଳରେ ଆତ୍ମହତ୍ୟା ପଛର ରହସ୍ୟକୁ ନେଇ ସନ୍ଦେହ ଘେରରେ ଥିବା ବିରୋଧୀ ଘେରିଛନ୍ତି ମନ୍ତ୍ରୀଙ୍କୁ । ଢେଙ୍କାନାଳ ଡେଙ୍ଗବୋରାଇ ଗାଁକୁ ଯାଇ ବିଜେପି ନେତ୍ରୀ ଅଞ୍ଜଳି ବେହେରା ମୃତକ ଲଳିତ ସାହୁଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ରାତି ଅଧିଆ ବ୍ୟବଚ୍ଛେଦ ଓ ତରବରିଆ ଶବ ସତ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାସହ କହିଛନ୍ତି, ମୃତ ଲଳିତଙ୍କ ଘରକୁ ମନ୍ତ୍ରୀଙ୍କ ଡ୍ରାଇଭର ଜଗିରହୁଛନ୍ତି । କେବଳ ଅଞ୍ଜଳି ନୁହଁନ୍ତି, ଝାରସୁଗୁଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ସମାନ ପ୍ରଶ୍ନ ଉଠାଇବା ସହ ଲଳିତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁରେ ଆଉ କିଛି ରହସ୍ୟ ଅଛି, ତାହାର ତଦନ୍ତ ଦାବି କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ସେହିପରି ବିଜେପିର ଆଉ କିଛି କର୍ମୀ ବେହେରାମାଲ୍‌ଠାରେ କୁଶ ପୁତ୍ତଳିକା ଦାହ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିଜେଡି ଏହାର ଜବାବ ରଖିଛି ।

 

ରୋଜଗାର ପାଇଁ ଯାଇଥିଲେ ୨୨ ବର୍ଷିୟ ଲଳିତ ସାହୁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ମାନଙ୍କ ପାଇଁ ରୋଷେଇ କରୁଥିଲେ । ଏ ବାବଦକୁ ପାରିଶ୍ରମିକ ପାଉଥିଲେ ୮ହଜାର ଟଙ୍କା । ସେହି ପାଉଣାରୁ ନିଜେ କିଛି ରଖୁଥିଲେ, ବଳକା ସବୁ ଡେଙ୍ଗବୋରାଇରେ ରହୁଥିବା ପରିବାର ପାଖକୁ ପଠାଉଥିଲେ । ତେବେ ଏକ ଭାଇରାଲ୍ ଭିଡ଼ିଓରେ ତାଙ୍କ ବାପାଙ୍କ କହିବା କଥା, ମୃତ୍ୟୁ ପୂର୍ବରୁ ୭/୮ ଦିନ ଧରି ପୁଅ ମାନସିକ ଚାପରେ ରହୁଥିଲେ ।

ପୁଅର ମାନସିକ ଅବସ୍ଥା ଦେଖି ଗାଁକୁ ଫେରି ଆସିବାକୁ ବି କହିଥିଲେ ଲଳିତଙ୍କ ବାପା । କିନ୍ତୁ, ଲଳିତ ରାଜି ହୋଇନଥିଲେ । ଦୁର୍ଭାଗ୍ୟକୁ ଝାରସୁଗୁଡ଼ା ସରବାହାଲରେ ଗତ ୧୭ ସଂଧ୍ୟାରେ ଝୁଲନ୍ତା ଅବସ୍ଥାରେ ଲଳିତଙ୍କ ମିଳିଥିଲା ମୃତଦେହ । ତାପରଦିନ ଲଳିତଙ୍କ ଭାଇଙ୍କୁ ଧରି ମନ୍ତ୍ରୀଙ୍କ କିଛି ଲୋକ ମୃତଦେହକୁ ନେଇ ଗାଁରେ ପହଞ୍ଚିଥିଲେ । ତେବେ କାହିଁକି ମାନସିକ ଚାପରେ ଥିଲେ ଲଳିତ ସାହୁ ? କିଏ ତାଙ୍କୁ ଏଭଳି ମାନସିକ ଚାପ ଦେଲା ଯେ, ଜୀବନ ହାରିବା ଯାଏଁ କଥା ଗଲା ? ରାତାରାତି ବ୍ୟବଛେଦ ପଛର ଉଦ୍ଦେଶ୍ୟ କଣ ? ଏ ସମ୍ପର୍କରେ ନା ପୋଲିସ କିଛି କହିବାକୁ ଚାହୁଁଛି, ନା ପ୍ରତିକ୍ରିୟା ରଖୁଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ପିଟୁସି: ଭାଗିରଥୀ ସାହୁ, ଓଟିଭି ପ୍ରତିନିଧି, ଝାରସୁଗୁଡ଼ା 
ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ, ଝାରସୁଗୁଡ଼ାରୁ ଭାଗିରଥୀ ସାହୁ ଏବଂ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି ା