• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରର ବହୁଚର୍ଚ୍ଚିତ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ବଢିଲା ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ଅଡୁଆ । ଆତ୍ମହତ୍ୟାର ଅଢ଼େଇ ମାସ ପରେ ପୋଲିସ ରୁଜୁ କରିଛି ମାମଲା, ତାହା ପୁଣି ହାଇକୋର୍ଟଙ୍କ ଛାଟ ବାଜିବା ପରେ ।

ଜାନୁଆରି ୩୧ରେ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା । ଏପ୍ରିଲ ୧୯ ତାରିଖରେ ହେଲା ଏଫ୍ଆଇଆର୍ । ଏତଲା ପାଇଁ କମିଶନରେଟ ପୋଲିସକୁ ଲାଗି ଗଲା ୨ ମାସ ୧୯ ଦିନ । ସୌମ୍ୟରଂଜନ ଆତ୍ମହତ୍ୟା କରିବାର ପାଖାପାଖି ୩ ମାସ ହେବା ପରେ ଗତକାଲି ଏତଲା ଦାୟର କରିଛି ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପୋଲିସ । ତାହା ପୁଣି ହାଇକୋର୍ଟଙ୍କ ଛାଟ ବାଜିବା ପରେ ।

ପୋଲିସ ପାଖକୁ ଦୌଡ଼ି ଦୌଡ଼ି ନ୍ୟାୟ ପାଇଁ କେତେ ହାରି ଗୁହାରି କରିବା ସତ୍ତ୍ୱେ ଯେତେବେଳେ କିଛି ଲାଭ ହେଲାନି, ତେଣୁ ଫେବ୍ରୁଆରି ୨୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌମ୍ୟଙ୍କ ପରିବାର । ୩ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତଥାପି ପୋଲିସ ଆକ୍ସନ୍ ଶୂନ । ତେଣୁ ମାର୍ଚ୍ଚ ୨୫ରେ ସୌମ୍ୟଙ୍କ ପରିବାର ହାଇକୋର୍ଟରେ ପୋଲିସ ବିରୋଧରେ କରିଥିଲେ ଅଦାଲତ ଅବମାନନା ଅଭିଯୋଗ ।

 

ଏପ୍ରିଲ ୧୧ରେ ଏହାର ଶୁଣାଣି କରି ମେ’ ୯ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ଭୁବନେଶ୍ୱର ଡିସିପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏତେ ପରେ ଯାଇ ଗତକାଲି ଅର୍ଥାତ ଏପ୍ରିଲ ୧୯ ତାରିଖରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ଧାରା ୩୦୬ ଓ ୩୪ରେ ମାମଲା ରୁଜୁ କରିଛି ଇନ୍‌ଫୋସିଟି ଥାନା ପୋଲିସ । ଏତଲାର ନକଲ ବି ସୌମ୍ୟଙ୍କ ପରିବାରକୁ ପ୍ରଦାନ କରିଛି । ସୌମ୍ୟଙ୍କ ମାଆ ଓ ଭଉଣୀ କହିଛନ୍ତି, ‘ପୁଅର ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ମର୍ଡର । ଏଥିପାଇଁ ଦାୟୀ ସୋନାଲି ଓ ତାଙ୍କ ମାଆ । ଉଭୟ ମାଆ ଝିଅଙ୍କୁ ଗିରଫ କରାଯାଉ ।’

ଭୁବନେଶ୍ୱର କାନନ ବିହାରରେ ରହୁଥିବା ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଥିଲେ । ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ସୋନାଲି ନନ୍ଦଙ୍କ କଥା । ସୌମ୍ୟଙ୍କ ଆତ୍ମହତ୍ୟା ପରେ ତାଙ୍କ ସହିତ ସୋନାଲିଙ୍କ କଥାବାର୍ତ୍ତାର ଏକ ଅଡିଓ ଭାଇରାଲ ହୋଇଥିଲା । ସୋନାଲିଙ୍କ ମାଆ ଓ ସୌମ୍ୟଙ୍କ କଥାବାର୍ତ୍ତାର ବି ଏକ ଅଡିଓ ଆସିଥିଲା ସାମ୍ନାକୁ । ସେଥିଲେ ସୌମ୍ୟ ଆତ୍ମହତ୍ୟା କଥା କହୁଥିବା ବେଳେ ସୋନାଲିଙ୍କ ମାଆ କହୁଥିଲେ, କିଛି ଫରକ ପଡ଼ିବନି । ଏତେ ସତ୍ତ୍ୱେ ପୋଲିସ ଏତଲା ମଧ୍ୟ କରିନଥିଲା ।

ତେବେ ଏଠି ପ୍ରଶ୍ନ କାହାର ଚାପ ପଡ଼ିଥିଲା କି ପୋଲିସ ଉପରେ ? କେଉଁ କାରଣ ପାଇଁ କିଛି ପଦକ୍ଷେପ ନେଉନଥିଲା ଇନ୍‌ଫୋସିଟି ଥାନା ପୋଲିସ ? ଏତେ ଦିନ ପରେ ଠିକ୍‌ରେ ତଦନ୍ତ ହୋଇପାରିବ ତ ? ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିବ ତ ? ବର୍ତ୍ତମାନ ନ୍ୟାୟ ପ୍ରକ୍ରିୟାର ମୂଳଦୁଆ ପଡ଼ିଥିବା ବେଳେ ସୌମ୍ୟଙ୍କ ପରିବାରର ଓକିଲ ପୋଲିସର ପଦକ୍ଷେପ ଉପରେ ନଜର ରଖିଛନ୍ତି । ମେ’ ୯ ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ।