• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦକ୍ଷିଣ ଆଫ୍ରିକା ଦେଶରେ ସର୍ବ ପ୍ରଥମେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଗଲା । ବର୍ତ୍ତମାନ ପରିସ୍ଥିତି ଏମିତି ଯେ, ଅଧିକାଂଶ ଦେଶ କରୋନା ଜାଲରେ ଫସି ଆଉଟୁ ପାଉଟୁ ହେଉଛନ୍ତି । ସେଠାରେ ହୁହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ । ତେଣୁ ଦେଶମାନେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗୁ କରୁଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା, ଦକ୍ଷିଣ ଆଫ୍ରିକାରେ ସର୍ବପ୍ରଥମେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଏହି ଦେଶ ମାତ୍ର ୫୦ ଦିନ ମଧ୍ୟରେ ଓମିକ୍ରନ୍‌ ଭ୍ୟାରିଆଣ୍ଟକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି । ଏହାମଧ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନେକ ହ୍ରାସ ପାଇଛି । ଏହା ସହିତ ଦକ୍ଷିଣ ଆଫ୍ରିକା ନାଇଟ୍‌ କର୍ଫ୍ୟୁକୁ ମଧ୍ୟ ଅପସାରଣ କରିଛି । ଖାଲି ସେତିକି ନୁହେଁ ଅନ୍ୟାନ୍ୟ ପ୍ରତିବନ୍ଧକକୁ ମଧ୍ୟ ହଟାଇବା ଆରମ୍ଭ କରିଛି ଏହି ଦେଶ । ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ବିଶ୍ୱକୁ ଆଶାର କିରଣ ଦେଖାଇଥିବା କୁହାଯାଉଛି । ଅନ୍ୟ ଦେଶମାନେ ମଧ୍ୟ ଏହାକୁ ଦେଖି ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।

ଦିନକରେ ୨୩ ହଜାରରୁ ଅଧିକ ସଂକ୍ରମିତ

ନଭେମ୍ବର ପ୍ରଥମ ସପ୍ତାହରେ ବୋତ୍ସୱାନା ଏବଂ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ର ପ୍ରଥମ କେସ୍ ଚିହ୍ନଟ ହୋଇଥିଲା । ପରେ ଏହାର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଲା । ଅକ୍ସଫୋର୍ଡ ୟୁନିଭରସିଟି ତଥ୍ୟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାରେ ଡିସେମ୍ବର ମଧ୍ୟଭାଗରେ ଦିନକୁ ହାରାହାରି ୨୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ । ଯାହାକି ସଂକ୍ରମଣକୁ ଶିଖରରେ ପହଞ୍ଚାଇଥିଲା । ଏଠାରେ ୯୫ ପ୍ରତିଶତ କରୋନା ନମୁନାରେ ଓମିକ୍ରନ୍‌ ଭ୍ୟାରିଏଣ୍ଟ ରହିଥିଲା ।

ଅଚାନକ ବଢ଼ିଲା ହଠାତ୍‌ କମିଲା

ଦକ୍ଷିଣ ଆଫ୍ରିକୀୟ ମେଡିକାଲ ରିସର୍ଚ୍ଚ କାଉନସିଲର ଫରିଦ ଅବଦୁଲ୍ଲା କହିଛନ୍ତି ଯେ, ଓମିକ୍ରନ୍ ସଂକ୍ରମଣ ହାର ସମସ୍ତଙ୍କୁ ଚକିତ କରିବ । କାରଣ ପ୍ରଥମ ୪ ସପ୍ତାହରେ ଏହାର ସଂକ୍ରମଣ ଶିଖରରେ ପହଞ୍ଚିଥିଲା, ଆଉ ଶେଷ ଦୁଇ ସପ୍ତାହରେ ଅଚାନକ ତଳକୁ ଖସିଥିଲା । ତେବେ ଓମିକ୍ରନ୍ ଭ୍ୟାରିଆଣ୍ଟ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇନାହିଁ ।

ଦୁଇ ସପ୍ତାହ ପରେ ଖସିଲା ସଂକ୍ରମଣ ହାର

ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ କେସ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ସଂକ୍ରମଣ ୩୦ ପ୍ରତିଶତ ହ୍ରାସ ପାଇଛି । ଏବେ ଗୋଟିଏ ଦିନରେ ହାରାହାରି ୧୧ ହଜାର ୫୦୦ କେସ୍ ସାମ୍ନାକୁ ଆସୁଛି । ତଥ୍ୟ କହୁଛି, ଗୋଟିଏ କିମ୍ବା ଦୁଇଟି ପ୍ରଦେଶ ବ୍ୟତୀତ ସମସ୍ତ ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଇଛି । ଏମିତିକି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

କଟକଣା ସଂକ୍ରମଣକୁ ରୋକିବାରେ ସଫଳ

ଓମିକ୍ରନ୍ କେସ୍ ବୃଦ୍ଧି ହେତୁ ଦକ୍ଷିଣ ଆଫ୍ରିକାରେ କଟକଣା କଡ଼ାକଡ଼ି କରାଯାଇଥିଲା । ଏଠାରେ ବିଳମ୍ବିତ ରାତିରୁ ଭୋର୍ ୪ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିଲା । ଏହାସହ ସଭା ସମିତି ଗୁଡ଼ିକ କଟକଣା ମଧ୍ୟରେ କରିବାକୁ ପରାମର୍ଶ ଦିଆଗଲା । ଖାଲି ସେତିକି ନୁହେଁ ରାତି ୧୧ଟା ପରେ ମଦ ଦୋକାନ ଖୋଲିବାକୁ ମଧ୍ୟ ବାରଣ କରାଯାଇଥିଲା । ଏହାସହିତ ଦକ୍ଷିଣ ଆଫ୍ରିକା ଟିକାକରଣ ଉପରେ ଜୋର ଦେଇଥିଲା । ଯାହାଦ୍ୱାରା ଲୋକଙ୍କ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଏବଂ ସଂକ୍ରମଣରେ ବ୍ରେକ୍‌ ଲାଗିପାରିବ ବୋଲି ଆଶା ଥିଲା ।