• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମହଙ୍ଗା ବଜାର ମାଡ଼, ବାଜିରେ ଲାଗୁଛି ଖାଉଟିଙ୍କ ଜୀବନ । ଦିନକୁ ଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର । ଖରିଫ ଋତୁରେ ଠିକ ଭାବେ ବର୍ଷା ନାହିଁ । ରବି ଫସଲ ମଧ୍ୟ ଆଶା ଓ ଆଶଙ୍କା ମଧ୍ୟରେ ରହିଛି । ଅସ୍ୱାଭାବିକ ଓ ନିଅଣ୍ଟିଆ ବର୍ଷା, ଚାଷ କାମକୁ ଗୁରୁତର ଭାବେ ପ୍ରଭାବିତ କରୁଛି ।

ଚଳିତ ବର୍ଷ କମ୍ ଜମିରେ ଚାଷ ହୋଇ ଥିବାରୁ ଗହମ, ଚାଉଳ, ଡାଲି ଆଦିର ଉତ୍ପାଦନ କମ ହୋଇଛି । ଏଣୁ ସାରା ଦେଶରେ ଖାଦ୍ୟ ଶସ୍ୟର ଦର ବେଲଗାମ ଭାବେ ବଢ଼ି ଚାଲିଛି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏହା ସରକାରଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଛି ।

ମୁଦ୍ରାସ୍ପୀତି ଉଚ୍ଚା ରହୁଥିବାରୁ ଲୋକଙ୍କ ଜୀବନ ଧାରଣମାନରେ ହ୍ରାସ ଘଟୁଛି । ପୁଷ୍ଟିକର ଖାଦ୍ୟ କିଣିବାରେ ଅକ୍ଷମ ହେଉଛନ୍ତି ସାଧାରଣ ଜନତା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ଅପପୁଷ୍ଟିର ଶିକାର ହେଉଛନ୍ତି ଛୋଟ ଛୋଟ ଶିଶୁ । ତେବେ ସହରାଞ୍ଚଳ ଶିଶୁମାନେ ମଧ୍ୟ ବାଦ ପଡ଼ି ନାହାନ୍ତି । ବଜାର ଦର ଅଧିକା ରହୁଥିବା ହେତୁ, ଡାଲି, ଅଣ୍ତା, ମାଛ, କ୍ଷୀର ଆଦି କିଣିବାକୁ ଅକ୍ଷମ ହେଉଛନ୍ତି ଲୋକେ ।

ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । କେନ୍ଦ୍ର ସରକାର ପାଖାପାଖି 80 କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟୁଛନ୍ତି । ବଜାର ଉପରେ ଏହାର ପ୍ରତିକୂଳ ପ୍ରଭାବ ହିଁ ପଡୁଛି । ଭବିଷ୍ୟତରେ ଖାଦ୍ୟ ସାମଗ୍ରୀର ନିଅଣ୍ଟିଆ ବଜାର, ଚଢ଼ାଦରରେ ବିକ୍ରି କରିବାକୁ ଏହା ରାସ୍ତା ଖୋଲି ଦେଲାଣି ।

କିଛିଦିନ ଧରି ଟମୋଟୋ ଓ ପିଆଜରେ ଅହେତୁକ ଭାବେ ଦରବୃଦ୍ଧି ଘଟିଥିଲା । ବର୍ତ୍ତମାନ ଚାଉଳ, ଡାଲି ଆଦି ସାମଗ୍ରୀର ଦରବୃଦ୍ଧି ହେଉଛି । ମହଙ୍ଗା ବଜାର ଛଡ଼ାଇ ନେଉଛି ଲୋକଙ୍କର ସୁସ୍ଥ ଭାବେ ବଞ୍ଚିବାର ଅଧିକାର ।

ତେବେ ଲୋକଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଭାରତ ସରକାର ଭାରତ ଡାଲି ଓ ଭାରତ ଅଟା ଯୋଜନା ଜରିଆରେ ଡାଲି ଓ ଅଟା ବିକ୍ରି କରୁଛନ୍ତି । ଗହମ ଚାଉଳ ରପ୍ତାନୀ ଉପରେ ସରକାର କଟକଣା ଲଗାଇଛନ୍ତି । ତଥାପି ଦର କମିବାର ନାଁ ଗନ୍ଧ ନେଉନାହିଁ ।