ଯାତ୍ରା ଜଗତରେ କଳି ବଢ଼ିବା ପରେ ବଳି ପଡ଼ୁଥିଲେ ଜଣଙ୍କ ପରେ ଜଣେ କଳାକାର । ଯାତ୍ରା ମାଲିକଙ୍କ ଆକ୍ରୋଶର ଶିକାର ହୋଇ ନରି ପଣ୍ଡା ବ୍ୟାନ ହୋଇଥିବା ବେଳେ ଶେଷରେ ଟଙ୍କା ଫେରାଇ ଯାତ୍ରାରୁ ଏକ ବର୍ଷ ପାଇଁ ସନ୍ନ୍ୟାସ ନେଇଛନ୍ତି ପୀୟୂଷ ତ୍ରିପାଠୀ । ଯାତ୍ରା ଜଗତର ଆଭ୍ୟନ୍ତରୀଣ ବିବାଦ କାହାର ଦାନା ଛଡାଉଛି ତ ପୁଣି କେଉଁ କଳାକାରଙ୍କୁ ଯାତ୍ରା ଛାଡ଼ିବାକୁ ବାଧ୍ୟ କରୁଛି ।
ନିଜ ନିଜର ଜିଦ୍ରେ ଅଟଳ ମାଲିକ ଏବଂ ଯାତ୍ରା କାଳକାର । ପୀୟୂଷ ଏବଂ ନରିଙ୍କ ପରେ ନମିତା ଭୂୟାଁଙ୍କୁ ମଧ୍ୟ ଯାତ୍ରା ମାଲିକ ସଂଘ ପକ୍ଷରୁ ସୋ କଜ୍ ନୋଟିସ୍ କରାଯାଇଥିଲା । ଏହାପରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର । ଯାତ୍ରା କଳାକାର ସଂଘର ବୈଠକ ମଧ୍ୟ ଶେଷ ହୋଇଛି । ଏହି ବୈଠକ ପରେ କଳାକାର ସଂଘ ନରି ପଣ୍ଡାଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି । ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ଯବନିକା ପକାଇବା ଲକ୍ଷ୍ୟରେ ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିଥିଲା । ଏଥିରେ ସମସ୍ତ କଳାକାର ଯୋଗ ଦେଇଥିଲେ । ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।
Also Read
ଲୁହ ଛଳ ଛଳ ଆଖିରେ ଯାତ୍ରା କଳାକାର ଦୟାନିଧି ଉପାଧ୍ୟାୟ କହିଲେ, ଆପଣଙ୍କ କଲମ ମୁନରୁ ଆମ ଘରର ଚୁଲି ଜଳିବା ପର୍ଯ୍ୟନ୍ତ ରହିଛି ଲମ୍ବା ଲାଇନ୍... #OdiaJatra #Daya #Jollywood #JatraConflict #OTV pic.twitter.com/ER0Fgl3ZVF
— ଓଟିଭି (@otvkhabar) April 16, 2025
ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା
ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ । ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ତେବେ ଏହି କ୍ରମରେ କିଛି ଦିନ ତଳେ ଯାତ୍ରା କମେଡିଆନ ଦୟାନିଧି ଉପାଧ୍ୟାୟ ଖୋଲାଖୋଲି ଯାତ୍ରା ମାଷ୍ଟର, ନିର୍ଦ୍ଦେଶକ ଓ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ସେ କହିଥିଲେ 'ଯାତ୍ରାରେ କମେଡି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଗ ରୁଷା, ସିରିୟସ୍ ଡାଇଲଗ ଭିତରେ ମଣିଷକୁ ଟିକିଏ ହସାଇବା କମେଡିଆନଙ୍କ ପାଇଁ କଷ୍ଟକର ହୋଇପଡିଥାଏ । କିନ୍ତୁ, ଯାତ୍ରା ଲେଖକମାନେ କମେଡିଆନଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁ କି ମାଲିକମାନେ ଗୋଟିଏ କି ଦୁଇଟି ସିନ୍ ଦେଇ ଦେଲେ ସବୁ ହୋଇଗଲା ବୋଲି ଭାବନ୍ତି ।'
ଏହି ମନ୍ତବ୍ୟ ଯେମିତି କୁହୁଳୁଥିବା ଯାତ୍ରା ନିଆଁରେ ଘିଅ ଢାଳିବା ଭଳି କାମ କରିଥିଲା । ଫଳସ୍ୱରୂପ ଏହା ଦୟାନିଧିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏଭଳି ମତକୁ ନେଇ ଯାତ୍ରା ଲେଖକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା । କମେଡିଆନ ଦୟାନିଧିଙ୍କ ପାଇଁ ମାଷ୍ଟରମାନେ ଆଉ ଲେଖିବେନି ବୋଲି କହିଥିଲେ । ଆଜି ଲୁହ ଛଳ ଛଳ ଆଖିରେ ଯାତ୍ରା କଳାକାର ଦୟାନିଧି ଉପାଧ୍ୟାୟ କହିଛନ୍ତି 'ଆପଣଙ୍କ କଲମ ମୁନରୁ ଆମ ଘରର ଚୁଲି ଜଳିବା ପର୍ଯ୍ୟନ୍ତ ରହିଛି ଲମ୍ବା ଲାଇନ୍ । ଯେହେତୁ ମତେ ସାର୍ ମାନେ ଗୁରୁ ମାନେ କିଛି ଜଣାଇ ନଥିଲେ ଏବଂ ସେ ମିଡ଼ିଆରେ କହିଥିଲେ, ତେଣୁ ମୁଁ ମିଡ଼ିଆ ମାଧ୍ୟମରେ ଗୁରୁମାନଙ୍କୁ ଭୁଲ୍ ମାଗୁଛି, ମତେ କ୍ଷମା କରନ୍ତୁ । ମୋର କହିବାର ଆଭିମୁଖ୍ୟକୁ ସାର୍ ବୋଧହୁଏ ଠିକ୍ରେ ବୁଝିଲେନି କିମ୍ବା ତାଙ୍କ ହୃଦୟକୁ ଟିକେ କଷ୍ଟ ଦେଇଛି । ମୁଁ ଯାତ୍ରାର ସବୁ କମେଡିଆନଙ୍କ କଥା କହିଥିଲି।' ତେବେ ଦୟାନିଧିଙ୍କ ବିବାଦ ଆଗକୁ କେଉଁ ଦିଗକୁ ଗତି କରୁଛି, ତାହା ଦେଖିବାକୁ ବାକି ରହିଲା ।