• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ୪୧ ଜୀବନ ଉଦ୍ଧାର ପାଇବା ପରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ଘଟଣାରେ ଖୁସି ବ୍ୟକ୍ତ କରିବା ସହ ଉଦ୍ଧାର କାର୍ଯ୍ୟରେ ସାମିଲ ଟିମ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । 

ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର ପରେ ସେମାନଙ୍କ ଘରେ ଏବେ ଖୁସିର ମାହୋଲ । ଦୀପାବଳି ଦିନଠୁ ଗାଏବ ହୋଇଯାଇଥିବା ଖୁସି ଏବେ ଘରକୁ ଫେରିଛି । ସେଇଥିପାଇଁ ତ ଗତକାଲି ସନ୍ଧ୍ୟାରୁ ଗାଁରେ ଦୀପାବଳି ଭଳି ଖୁସିର ମାହୋଲ । ଗାଁ ଗାଁରେ ନାଚଗୀତର ଆସର ବି ଦେଖିବାକୁ ମିଳିଛି ।

ଗତ ୧୨ ତାରିଖରୁ ବାରିପଦାର ବିଶ୍ୱେଶ୍ୱର ନାୟକ, ଧୀରେନ ନାୟକ, ଝରିଗାଁର ଭଗବାନ ଭତ୍ରା, କୁଳଡିହାର ରାଜୁ ନାୟକ ଓ ଚାଲିଶ ଚେନ ଗାଁର ତପନ ମଣ୍ଡଳ ଟନେଲରେ ଫସିଥିଲେ । ଉଦ୍ଧାର ଓଡ଼ିଆ ଶ୍ରମିକ ଧୀରେନ ନାଏକ OTVକୁ ସୂଚନା ଦେଇଛନ୍ତି,  ‘ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲୁ । ଦୀପାବଳି ଛୁଟି ପାଇଁ କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ଦେଖିଲୁ । ୧୮ ଘଣ୍ଟା ପର୍ଯ୍ୟନ୍ତ ଆମେ ଅମ୍ଲଜାନ ପାଇପାରି ନଥିଲୁ ।’ 

‘ହାୱା ଓ ପାଣି ପାଇଁ ଥିବା ପାଇପ୍‌ ଖୋଲି ବାହାରକୁ ମେସେଜ ଦେଲୁ । ଭିତରେ ମୋଟର ଚଲାଇ ବାହାରକୁ ପାଣି ଛାଡ଼ିବାରୁ ସମସ୍ତେ ଜାଣିଲେ । ପ୍ରଥମେ ସେହି ପାଇପ୍‌ ଦ୍ୱାରା ବାହାର ସହ ଯୋଗାଯୋଗ ହେଲା । ସେହି ପାଇପ୍‌ରେ ମୁଢ଼ି, କାଜୁ, କିସ୍‌ମିସ୍‌ ଆଦି ଆସି ପହଞ୍ଚିଲା’ ବୋଲି ଧୀରେନ କହିଛନ୍ତି । 

ଧୀରେନ ଆହୁରି କହିଛନ୍ତି ଯେ, ‘ପ୍ରଥମ ୧୦ ଦିନ କେବଳ ମୁଢ଼ି ଖାଇ କାଟିଲୁ । ତେବେ ପାଣି, ଲାଇନ କଟି ନଥିଲା । ତା’ପରେ ୬ ଇଞ୍ଚର ପାଇପ୍‌ ପକାଇ ଭାତ, ରୁଟି, ଡାଲି ପଠାଇଲେ । ଏକାଠି ଥିବାରୁ ମନୋବଳ ଭାଙ୍ଗି ନ ଥିଲା, ଉଦ୍ଧାର ଆଶା ଥିଲା’

ସୂଚନାଥାଉ କି, ନଭେମ୍ବର ୧୨ ତାରିଖରୁ ସିଲକ୍ୟାରା ଟନେଲ ଭିତରେ ଫସି ରହିଥିଲେ ୫ ଓଡ଼ିଆଙ୍କ ସମେତ ସମସ୍ତ ୪୧ ଶ୍ରମିକ । ସେମାନେ ସୁରକ୍ଷିତ ଉଦ୍ଧାର ହେବା ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି ।