• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଲୋକଙ୍କୁ ଆଗୁଆ ସତର୍କ କରିବ ମୋବାଇଲ ଫୋନ୍ । ମୋବାଇଲରେ ଆସିବ ଆଲର୍ଟ ମେସଜ୍, ବାଜି ଉଠିବ ସାଇରନ୍ । ଆଗାମୀ ଦିନରେ ସାରା ଦେଶରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏଭଳି ନୂଆ ଆଲର୍ଟ ମେସେଜ ସିଷ୍ଟମ- ସେଲ୍ ବ୍ରଡକାଷ୍ଟିଂ ଆଲର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଥିବା ବେଳେ ଆଜି ଓଡ଼ିଶାର ତା’ର ପରୀକ୍ଷା କରାଯାଇଛି । ଯେଉଁଥିରେ ପ୍ରାୟ ୯୯ ପ୍ରତିଶତ ଉପଭୋକ୍ତାଙ୍କ ପାଖକୁ ଏହି ମେସେଜ୍ ଆସିଥିବା ଜଣାପଡ଼ିଛି ।

ମୋବାଇଲ୍ ଫୋନ୍ ଭାଇବ୍ରେସନ୍ ସାଙ୍ଗକୁ ଆଲର୍ଟ ସାଉଣ୍ଡ.... ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ହଠାତ୍ ନିଜ ନିଜ ମୋବାଇଲରେ ଏମିତି ଶବ୍ଦ ଶୁଣିଥିଲେ ଉପଭୋକ୍ତା । ଫୋନ୍ ଦେଖିଲା ବେଳକୁ ସ୍କ୍ରିନରେ ଥିଲା ଏମର୍ଜେନ୍ସି ଆଲର୍ଟ ମେସେଜ୍ । ନିଜ ଫୋନରେ ଏମିତି ମେସେଜ୍ ଦେଖି ଲୋକେ ଛାନିଆ । ମେସେଜ ପଢ଼ିବା ପୂର୍ବରୁ ଅନେକ ଏହାକୁ ସାଇବର ଠକ ବା ହ୍ୟାକରଙ୍କ କାରନାମା ବୋଲି ବି ଧରି ନେଇଥିଲେ । କିନ୍ତୁ ମେସେଜ ପଢ଼ିଲା ପରେ ମିଳିଥିଲା ଆଶ୍ୱସ୍ତି । ଆଜି ସାରା ରାଜ୍ୟରେ ଲୋକଙ୍କ ମୋବାଇଲ ଫୋନ୍‌କୁ ଆସିଛି ଏମିତି ଆଲର୍ଟ ମେସେଜ ।

ଯେଉଁଥିରେ ଲେଖାଥିଲା, ଏହା ଏକ ପରୀକ୍ଷାମୂଳକ ମେସେଜ୍ । ଯାହାକି କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସେଲ୍ ବ୍ରଡକାଷ୍ଟିଂ ସିଷ୍ଟମ ଜରିଆରେ ପଠାଯାଇଛି । ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ । ଜରୁରୀକାଳୀନ ସ୍ଥିତିରେ ଲୋକଙ୍କ ନିରାପତ୍ତା ପାଇଁ ଆଗୁଆ ସତର୍କ ସୂଚନା ଯୋଗାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ-NDMA ପକ୍ଷରୁ ଦେଶବ୍ୟାପୀ ଏହି ଏମର୍ଜେନ୍ସି ଆଲର୍ଟର ପରୀକ୍ଷା ପାଇଁ ଏହାକୁ ପଠାଯାଇଛି ।

ଏବେ ପ୍ରଶ୍ନ, କ’ଣ ଏ ଆଲର୍ଟ ? କ’ଣ ଏହାର ଫାଇଦା ? ଏନେଇ ଟେଲି କମ୍ୟୁନିକେସନ ବିଭାଗ କହିଛି, ବିପର୍ଯ୍ୟୟ ତଥା ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସତର୍କ ସୂଚନା ଦେବାକୁ ଖୁବ୍‌ଶୀଘ୍ର ସାରା ଦେଶରେ ଅତ୍ୟାଧୁନିକ ଜ୍ଞାନକୌଶଳ- ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ ବ୍ୟବହାର ହେବ ।

ସୁନାମି, ବାତ୍ୟା, ବନ୍ୟା, ଭୂକମ୍ପ, ଜନ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ଆଲର୍ଟ ମେସେଜକୁ ଏହା ତତ୍କାଳ ଲୋକଙ୍କ ନିକଟରେ ପହଞ୍ଚାଇବ । ମେସେଜ ପଠାଇବାର ୧୦ରୁ ୨୦ ସେକେଣ୍ଡ ମଧ୍ୟରେ ଲୋକଙ୍କ ପାଖରେ ଏହା ପହଞ୍ଚିଯିବ । ଏହି ବ୍ୟବସ୍ଥା ଅଧିନରେ ଯେଉଁ ଅଞ୍ଚଳ ପାଇଁ ସତର୍କ ମେସେଜ ଆବଶ୍ୟକ, ତାହାକୁ ଚିହ୍ନଟ କରି ଉକ୍ତ ଅଞ୍ଚଳରେ ଥିବା ସମସ୍ତ ମୋବାଇଲ ଫୋନକୁ ଏକକାଳୀନ ଆଲର୍ଟ ପଠାଯାଇପାରିବ । ତେବେ ପୂର୍ବରୁ ଆସୁଥିବା ମେସେଜ ଭଳି ଏହା ମେସେଜ ବକ୍ସକୁ ଯିବନି । ସିଧାସଳଖ ମୋବାଇଲ ସ୍କ୍ରିନରେ ଉଭା ହେବ ଓ ଏକ ସାଇରନ ବାଜିବ ।

ଫଳରେ ଲୋକମାନେ ମେସେଜକୁ ଗୁରୁତର ସହ ନେଇ ନିଜ ସୁରକ୍ଷା ଦିଗରେ ଆଗୁଆ ସତର୍କତା ପଦକ୍ଷେପ ନେଇପାରିବେ । ଏଥିପାଇଁ ବିଭିନ୍ନ ରାଜ୍ୟରେ ସେଲ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମର ପରୀକ୍ଷା କରାଯାଉଛି । ଆଜି ଓଡ଼ିଶାରେ ବିଭିନ୍ନ ଟେଲିକମ ଅପରେଟର ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିଙ୍କ ଉପସ୍ଥିତିରେ ଏହାର ସଫଳ ପରୀକ୍ଷା ହୋଇଛି । ଦେଶର ସମସ୍ତ ରାଜ୍ୟରେ ସେଲ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମର ପରୀକ୍ଷା ସଫଳ ହେଲେ, ବିପର୍ଯ୍ୟୟ ସତର୍କତା ଲାଗି ଆସନ୍ତା ମାସରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ଏହି ଜରୁରୀକାଳୀନ ମେସେଜ ବ୍ୟବସ୍ଥା ।

  • Reported by:
  • SANJAY JENA , KAPILENDRA PRADHAN