• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚାଲିଛି ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣ ଉତ୍ସବ । କଟକରୁ ଭୁବନେଶ୍ୱର ଓ ପୁରୀ ସବୁଠି ମାଆଙ୍କୁ ମେଲାଣି ଦେବାକୁ ଭବ୍ୟ ଆୟୋଜନ । ତେବେ ରାଜନଗରରେ ଚାପ ଡଙ୍ଗାରେ ଦେବୀ ଭସାଣର ଦୃଶ୍ୟ ଥିଲା ସଂପୂର୍ଣ୍ଣ ନିଆରା ।

ଧରାପୃଷ୍ଠରେ, ଭକ୍ତ ଗହଣରେ ପାଞ୍ଚ ଦିନର ଲୀଳାଖେଳା ସାରି ମେଲାଣି ନେଉଛନ୍ତି ମହିଷାମର୍ଦ୍ଦିନୀ । ଗତକାଲି ରାତିରୁ ଚାଲିଥିବା ବିସର୍ଜନ ପର୍ବରେ ସାମିଲ ହୋଇଛନ୍ତି ଭାଇଚାରାର ସହର କଟକର ଆବାଳ ବୃଦ୍ଧବନିତା । ଢୋଲ, ନିଶାନ୍ ଓ ବ୍ୟାଣ୍ଡ ବାଜାର ତାଳେ ତାଳେ ନୃତ୍ୟଗୀତରେ ଜଗତଜନନୀଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ଏଥର ସହରରେ ହୋଇଥିଲା ୧୭୭ଟି ମେଢ ।

ସମସ୍ତ ପ୍ରମୁଖ ମେଢ ଗୁଡ଼ିକ ପ୍ରଥମେ ଶୋଭାଯାତ୍ରାରେ ସାହି ପରିକ୍ରମା କରିଥିଲେ । ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଓ ପଡ଼ିହାରୀ ପାଠାଗାର ବାଟେ ଦୁର୍ଗାମେଢ ସବୁ ଆସି ପୁରୀଘାଟ ଥାନା ପାଖ ଦେବୀଗଡ଼ାକୁ ବିସର୍ଜନ ପାଇଁ ଯାଉଛନ୍ତି । ଭସାଣ ଉତ୍ସବରେ ପୋଲିସ୍, ରାଜନେତା, କଳାକାର ସମସ୍ତଙ୍କୁ ଦେଖିବାକୁ ମିଳିଥିଲା ମଙ୍ଗଳାବାଗ ଛକରେ । ପୂଜାକମିଟି, ଶାନ୍ତିକମିଟି ଓ ନାଗରିକ କମିଟି ପକ୍ଷରୁ ସେଠି ଚାଲିଥିଲା ସମ୍ବର୍ଦ୍ଧନା ପର୍ବ । ଏଣେ ରାଜଧାନୀ ଭୁବନେଶ୍ୱରରେ ବି ଧୁମଧାମରେ ଆରମ୍ଭ ହୋଇଛି ମାଆ ଦୁର୍ଗାଙ୍କ ଭସାଣ ଉତ୍ସବ ।

ସହରର ମୋଟ ୧୮୮ଟି ମେଢ଼ ତିନି ଭାଗରେ ବିଭକ୍ତ ହୋଇ ବିସର୍ଜନ ହେବେ । ଏଥିପାଇଁ ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆରଟିଓ ପଡ଼ିଆରେ ଆୟୋଜନ ହୋଇଛି ଭବ୍ୟ ଭସାଣ ଉତ୍ସବ । ସହିଦନଗର ପଡ଼ିଆକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ରୂପାଲି ଛକ ଦେଇ ରାଜମହଲ ଯାଏଁ ଯିବେ । ସେହିପରି ନୟାପଲ୍ଲୀରୁ ମେଢ଼ ଗୁଡିକ CRP ଛକ ଓ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ ।

ଏଣେ ଉତ୍ତର ଭୂବନେଶ୍ୱରର ମେଢ଼ ଗୁଡ଼ିକ ଚନ୍ଦ୍ରଶେଖରପୁର ଆରଟିଓ ପଡ଼ିଆରୁ କଳିଙ୍ଗ ହସ୍ପିଟାଲ ଛକ ଦେଇ ଜୟଦେବ ବିହାର ପର୍ଯ୍ୟନ୍ତ ଯିବେ । ସେଠାରୁ ଅଲଗା ଅଲଗା ହୋଇ ଦୟା ଓ କୁଆଖାଇ ନଦୀରେ ହୋଇଥିବା ଅସ୍ଥାୟୀ ପୋଖରୀକୁ ବିସର୍ଜନ ପାଇଁ ଯିବେ । ଭସାଣ ଉତ୍ସବ ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଫୋକସ କରିଛି କମିଶନରେଟ୍ ପୋଲିସ ।

ତେଣେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଭରା ନଈରେ ମାଆଙ୍କ ଭସାଣୀ ଉତ୍ସବ ବେଶ୍ ନିଆରା ଓ ବିରଳ । ମେଢ଼ ଗୁଡିକୁ ସୁସଜ୍ଜିତ ଡଙ୍ଗାରେ ବସାଇ, ମଝି ନଈରେ ୭ ଘେରା ଚାପ ଖେଳାଯାଇ ବିସର୍ଜନ କରାଯାଇଥିଲା । ମାଆଙ୍କୁ ମେଲାଣି ଦେବାକୁ ହଂସୁଆ ନଦୀ କଡ଼ ଓ ବ୍ରିଜ୍ ଉପରେ ଦେଖଣାହାରୀଙ୍କ ପ୍ରବଳ ଭିଡ଼ ହୋଇଥିଲା । ଶ୍ରୀକ୍ଷେତ୍ର ପୁରୀରେ ବି ଆୟୋଜିତ ହୋଇଛି ଗୋଷାଣୀ ଯାତ୍ରା । ଶ୍ରୀମନ୍ଦିର ସମ୍ମୁଖରେ ଦୁର୍ଗା ମେଢ ଗୁଡ଼ିକ ଏକାଠି ହେବା ପରେ ଦେବ ସଭା କରାଯାଇ ସେଠୁ ବିସର୍ଜନ ପାଇଁ ଯିବାର ପରଂପରା ରହିଛି । ମାଆଙ୍କୁ ମେଲାଣି ସହ ଶେଷ ହୋଇଛି ଚଳିତ ବର୍ଷର ଶାରଦୀୟ ଦୁର୍ଗୋତ୍ସବ, ପୁଣି ଅପେକ୍ଷା ଆରବର୍ଷକୁ ।

  • Reported by:
  • SOUMYA RANJAN SAHOO , ATULYA BOUT