ଲୋମଶ ଋଷିଙ୍କ ସାଙ୍ଗରେ ପାଣ୍ଡବଙ୍କ ଚାରିଭାଇ ଓ ଦ୍ରୌପଦୀ ଦକ୍ଷିଣକୁ ଆସି ଗୋଦାବରୀ ତଟରେ ପହଞ୍ଚିଲେ । ତାପରେ ସେଠାରୁ ବାହାରି ଆହୁରି ଅନେକ ତୀର୍ଥସ୍ଥାନ ଭ୍ରମଣ କଲାପରେ ବାଟରେ ପ୍ରସିଦ୍ଧ ପ୍ରଭାସ କ୍ଷେତ୍ର ଆସିଲା । ଯୁଧିଷ୍ଠିର ପ୍ରଭାସରେ ଅଛନ୍ତି ଶୁଣି କୃଷ୍ଣ ଓ ବଳରାମ ସେମାନଙ୍କ ପରିବାର ଲୋକ ଏବଂ ସୈନ୍ୟ ସାମନ୍ତ ଧରି ପ୍ରଭାସ କ୍ଷେତ୍ରକୁ ଆସିଲେ । ପାଣ୍ଡବଙ୍କ ଚାରିଭାଇ ଓ ଦ୍ରୌପଦୀଙ୍କ ଚିରା ଫଟା ପୋଷାକ ଓ ମଳିନ ବେଶ ଦେଖି କୃଷ୍ଣ ବଡ଼ ଦୁଃଖ କଲେ । ପ୍ରଭାସ କ୍ଷେତ୍ରରେ କିଛିଦିନ ରହିଲା ପରେ କୃଷ୍ଣ ବଳରାମଙ୍କ ଠାରୁ ବିଦାୟ ନେଇ ପାଣ୍ଡବ ପରିବାର ଅନ୍ୟତ୍ର ବାହାରିଲେ ଓ ବଣ ଜଙ୍ଗଲ ନଦ ନଦୀ ପାର ହୋଇ ଦିନେ ଗୋଟେ ସରୋବର ପାଖରେ ପହଞ୍ଚିଲେ । ଲୋମଶ କହିଲେ ଏଇଠି ମହାନ ଚ୍ୟବନ ଋଷିଙ୍କ ଆଶ୍ରମ ଥିଲା । ଯୁଧିଷ୍ଠିର ଚ୍ୟବନଙ୍କ ବିଷୟରେ ଜାଣିବାକୁ ଚାହିଁବାରୁ ଲୋମଶ ଗପିଲେ;
ପୁରା କାଳର କଥା । ମହର୍ଷି ଭୃଗୁଙ୍କର ଚ୍ୟବନ ନାମରେ ଜଣେ ପୁଅ ଥିଲେ । ଚ୍ୟବନ ଗୋଟେ ସରୋବର ତଟରେ ଘୋର ନିଷ୍ଠାରେ ତପସ୍ୟାରେ ମଗ୍ନ ଥାଆନ୍ତି । ଅନେକ ବର୍ଷ ଧରି ନିର୍ଦ୍ଦିଷ୍ଟ ସ୍ଥାନରେ ବିରାସନରେ ବସିବା ଦ୍ୱାରା ତାଙ୍କ ଉପରେ ଉଈହୁଙ୍କା ସହ ଲଟା ଝଟା ମାଡିଗଲା । ସେ ହୁଙ୍କା ଦେହରେ ମାତ୍ର ଦୁଇଟି ଛୋଟିଆ ଛୋଟିଆ କଣା ଥାଏ । ସେଇ ବାଟରେ ଋଷି ନିଶ୍ୱାସ ପ୍ରଶ୍ୱାସ ନବା ଆଣିବା କରୁଥା'ନ୍ତି ।
Also Read
ସେଇ ସରୋବରରେ ଗାଧେଇବାକୁ ଦିନେ ଦେଶର ରାଜା ଶର୍ଯ୍ୟାତି ସାଙ୍ଗରେ ପାତ୍ର ମନ୍ତ୍ରୀ ଓ ଅନେକ ସୈନ୍ୟ ସାମନ୍ତଙ୍କୁ ସାଙ୍ଗରେ ଆଣି ଆସିଥା'ନ୍ତି । ରାଜାଙ୍କ ସାଙ୍ଗରେ ତାଙ୍କର ଚାରିହଜାର ପତ୍ନୀ ଆସିଥାନ୍ତି । ତା' ସହ ରାଜାଙ୍କର ଝିଅ ସୁକନ୍ୟା ବି ଆସିଥାନ୍ତି । ରାଜକନ୍ୟା ସୁକନ୍ୟା ତାଙ୍କ ସଖୀମାନଙ୍କ ସହ ବଣରେ ଏପଟ ସେପଟ ବୁଲୁଥାନ୍ତି । କିଛି ସମୟ ପରେ ସଖୀମାନଙ୍କ ପାଖରୁ ଅଲଗା ହୋଇ ସେ ଚ୍ୟବନ ଋଷିଙ୍କ ଉଈହୁଙ୍କା ପାଖରେ ପହଞ୍ଚିଗଲେ । ଚ୍ୟବନ ଋଷି ଉଈ ହୁଙ୍କା ଭିତରେ ବସି ବସି ସୁନ୍ଦରୀ ରାଜକୁମାରୀକୁ ଦେଖୁଥା'ନ୍ତି । ସେଠାରେ ଫୁଟିଥିବା ସୁନ୍ଦର ସୁନ୍ଦର ବଣୁଆ ଫୁଲକୁ ରାଜକୁମାରୀ ତୋଳୁଥାନ୍ତି ଓ ଛୋଟ ଛୋଟ ଡାଳ ଭାଙ୍ଗୁଥା'ନ୍ତି ।
ଯୁବତୀ ରାଜକୁମାରୀଙ୍କୁ ଏକୁଟିଆ ଦେଖି ଚ୍ୟବନ ଋଷିଙ୍କ ମନରେ କାମ ଭାବ ଉଦ୍ରେକ ହେଲା । ସେ ରାଜକୁମାରୀଙ୍କୁ ପାଖକୁ ଡାକିଲେ । ଅନେକ ବର୍ଷ ଧରି ଅଖିଆ ଅପିଆରେ ତପସ୍ୟା କରୁଥିବା ଚ୍ୟବନ ଋଷିଙ୍କର ସ୍ୱର ଅତ୍ୟନ୍ତ ଦୂର୍ବଳ ଓ କ୍ଷୀଣ ହୋଇଯାଇଥିଲା । ତେଣୁ ରାଜକୁମାରୀ ଋଷିଙ୍କ ସ୍ୱର ଶୁଣିପାରୁଥିଲେ ବି ସ୍ୱରଟି କୋଉଠୁ ଆସୁଛି ଜାଣିପାରୁନଥାନ୍ତି । ତାପରେ କିଛି ସମୟ ପରେ ରାଜକୁମାରୀ ସୁକନ୍ୟା ଉଈହୁଙ୍କା ପାଖରେ ପହଞ୍ଚିଲେ ଓ ଜାଣିଲେ ସ୍ୱର ସେଉଠୁ ଆସୁଛି । କିନ୍ତୁ କେହି ତ କେଉଁଠି ନାହାନ୍ତି । କିନ୍ତୁ ଉଈହୁଙ୍କା ଦେହରେ ଦୁଇଟି ଛୋଟ କଣା ଦିଶୁଛି ଓ ତା ଭିତରୁ ଜୁଳୁ ଜୁଳୁ ହୋଇ କିଛି ଦିଶୁଛି । ରାଜକୁମାରୀ ହାତରେ ଗୋଟେ ବଣୁଆ ଗଛର କଣ୍ଟା ଧରିଥାନ୍ତି । କୌତୁହଳରେ ସୁକନ୍ୟା କଣ୍ଟାରେ ସେଇ ସ୍ଥାନକୁ ଫୋଡିଦେଲେ । ସେ ଜୁଳୁ ଜୁଳୁ ଦିଶୁଥିବା ଜିନିଷ ଯେ ଋଷିଙ୍କ ଆଖି ଥିଲା ରାଜକନ୍ୟା ଜାଣିପାରିଲେନି ।
ଚ୍ୟବନ ଋଷି ଅନ୍ଧ ହୋଇଗଲେ ଓ ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କଲେ । ଏପରି ଆକସ୍ମିକ ଘଟଣାରେ ଭୀଷଣ ଭାବରେ ଋଷି ରାଗିଗଲେ। ରାଗିଯିବାରୁ ଅଭିଶାପ ଦେଇ କହିଲେ ରାଜାଙ୍କ ସାଙ୍ଗରେ ଯିଏ ବି ସେଠାକୁ ଆସିଛନ୍ତି ସମସ୍ତେ ତାଙ୍କ ପରି ଯନ୍ତ୍ରଣା ଭୋଗ କରନ୍ତୁ । ତତକ୍ଷଣାତ୍ ଅଭିଶାପ ଫଳିଲା ଓ ରାଜା ଏବଂ ସେଠାରେ ତାଙ୍କ ସାଙ୍ଗରେ ଥିବା ସମସ୍ତେ ଅସହ୍ୟ ଯନ୍ତ୍ରଣା ଭୋଗ କରିବାକୁ ଲାଗିଲେ । ରାଜା ହଠାତ୍ ଏପରି ଯନ୍ତ୍ରଣାର କାରଣ ବୁଝିପାରିଲେନି । ଅନୁସନ୍ଧାନ କରି ବୁଝିଲେ ଝିଅ ସୁକନ୍ୟା କୌତୁହଳରେ ଚ୍ୟବନ ଋଷିଙ୍କୁ ଅନ୍ଧ କରିଦେଇଛି । ତାଙ୍କରି କ୍ରୋଧରୁ ସମସ୍ତେ କଷ୍ଟ ପାଉଛନ୍ତି ।
ରାଜା ଆଉ ବିଳମ୍ବ ନକରି ଋଷିଙ୍କ ପାଖରେ ପହଞ୍ଚିଲେ ଓ କହିଲେ ଝିଅ ମୋର ଅଜ୍ଞତା ଓ କୌତୁହଳରେ ଆପଣଙ୍କୁ ଚରମ କଷ୍ଟ ଦେଇଛି । ସାନ ପିଲା ସେ । ତାକୁ କ୍ଷମା କରନ୍ତୁ ଓ ଆମ ସମସ୍ତଙ୍କୁ ଆପଣଙ୍କ ଅଭିଶାପରୁ ମୁକ୍ତ କରନ୍ତୁ । କିନ୍ତୁ ଋଷି କହିଲେ, ହେ ରାଜା ତୁମ ଝିଅ ତା'ର ଯୌବନ ଓ ସୌନ୍ଦର୍ଯ୍ୟରେ ଗର୍ବୀ ହୋଇ ମୋ ପରି ଜଣେ ନିରପରାଧି ବୃଦ୍ଧ ତପସ୍ୱୀକୁ ଅନ୍ଧ କରିଛି । ତୁମ ସମସ୍ତଙ୍କୁ କ୍ଷମା କରିବାର ଏକମାତ୍ର ଉପାୟ ହେଲା ସେ ଝିଅକୁ ମୋ ସହ ବିବାହ ଦିଅ । ମୋ ପରି ଜଣେ ଅନ୍ଧ ବୁଢା ଲୋକର ସେବା କରି ସେ ତା'ର ପାପର ପ୍ରୟଶ୍ଚିତ କରିବ ।
ରାଜାଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ସେ ବାଧ୍ୟ ହୋଇ ତାଙ୍କ ଅଲିଅଳ ଝିଅକୁ ଜଙ୍ଗଲ ଭିତରେ ଜଣେ ବୁଢା ଅନ୍ଧ ତପସ୍ୱୀ ପାଖରେ ଛାଡି ରାଜ ନଅରକୁ ଫେରି ଆସିଲେ । ସୁକନ୍ୟା ତାଙ୍କ ଭୁଲ ବୁଝିଥିଲେ ଓ ସେଥିପାଇଁ ପ୍ରାୟଶ୍ଚିତ କରିବାକୁ ପ୍ରସ୍ତୁତ ଥିଲେ। ସେଇଦିନରୁ ସୁକନ୍ୟା ତାଙ୍କ ବୁଢା ଅନ୍ଧ ସ୍ୱାମୀଙ୍କର ସେବା ସୁଶ୍ରୁଷା ଓ ଯତ୍ନ ନେବାରେ କେବେବି ହେଳା କଲେନି ।
କିଛି ଦିନ ଏମିତି ଗଡିଗଲା । ସବୁଦିନ ପରି ସେଦିନ ସକାଳୁ ସକାଳୁ ସୁକନ୍ୟା ଆଶ୍ରମ ପାଖ ସରୋବରକୁ ଯାଇଥାନ୍ତି ଗାଧୋଇବେ ଓ ଆଶ୍ରମ ପାଇଁ ପାଣି ଆଣିବାକୁ । ସୁକନ୍ୟା ଘସି ମାଜି ହୋଇ ଗାଧୋଉଥିବା ବେଳେ ସରୋବର ପାଖରେ ଅଶ୍ୱିନୀ କୁମାର ଦୁଇ ଭାଇ ଆସି ପହଞ୍ଚିଲେ । ଘନ ଜଙ୍ଗଲ ଭିତରେ ଅପସରୀ ପରି ଏପରି ସୁନ୍ଦରୀ କେଉଁଠୁ ଆସିଲା ବୋଲି ଭାବି ଦୁଇ ଦେବତା ଆଶ୍ଚର୍ଯ୍ୟ ହେଲେ । ଉଜ୍ଜ୍ୱଳ ସୁନା ପରି ରଙ୍ଗ, ସ୍ୱର୍ଗୀୟ ଲାବଣ୍ୟ, ଭରା ଯୌବନ ସହ ସୁଠାମ ଅଙ୍ଗପ୍ରତ୍ୟଙ୍ଗ ଦେଖି ଦୁଇ ଭାଇ ମୋହିତ ହୋଇଗଲେ ଓ ସୁକନ୍ୟାଙ୍କ ପାଖକୁ ଆସି ତାଙ୍କ ପରିଚୟ ମାଗିଲେ । ସୁକନ୍ୟା କହିଲେ ମୁଁ ରାଜା ଶର୍ଯ୍ୟାତିଙ୍କ ଝିଅ ଓ ଚ୍ୟବନ ମହର୍ଷିଙ୍କ ପତ୍ନୀ । ଏଇ ପାଖରେ ଆମର ଆଶ୍ରମ।
ସୁକନ୍ୟାଙ୍କ କଥା ଶୁଣି ଅଶ୍ୱିନୀକୁମାର ଦୁହେଁ ହସିଲେ ଓ କହିଲେ ତୁମ ବାପା କ'ଣ ପାଇଁ ଆଉ ଅଳ୍ପ ଦିନରେ ମରିବାକୁ ଯାଉଥିବା ଜଣେ ବୁଢା ଲୋକ ସହ ତୁମର ବିବାହ ଦେଲେ? ସେ ତ ତୁମର ମନ କଥା କି ଦେହ କଥା କିଛିବି ବୁଝିପାରୁନଥିବେ । ତୁମେ ବି ତୁମର ଏ ଯୌବନ କାଳରେ ଏତେ ସୁନ୍ଦରୀ ରୂପବତୀ ହୋଇ ସେ ବୁଢା ତପସ୍ୱୀଙ୍କର ସେବା କ'ଣ ପାଇଁ କରୁଛ? ବୃଥରେ ଯୌବନ ନଷ୍ଟ ନକରି ଗୋଟେ କାମ କର । ତୁମ ବୁଢା ସ୍ୱାମୀଙ୍କୁ ପରିତ୍ୟାଗ କରି ଆମ ଦୁଇ ଭାଇଙ୍କ ଭିତରୁ କାହାକୁ ଜଣକୁ ବିବାହ କର । ସୁଖରେ ରହିବ ।

ଅଶ୍ୱିନୀକୁମାରଙ୍କ ପ୍ରସ୍ତବ ଶୁଣି ସୁକନ୍ୟା କହିଲେ ଚ୍ୟବନ ଋଷି ମୋର ସ୍ୱାମୀ । ସେ ବୁଢା ହୁଅନ୍ତୁ ଅବା ମରଣାପନ୍ନ ହୁଅନ୍ତୁ ଆପଣମାନେ କିନ୍ତୁ ମୋ ଆଗରେ ତାଙ୍କ ବିରୁଦ୍ଧରେ କିଛି ବି କୁହନ୍ତୁ ନାହିଁ । ଜଣେ ପତି ଅନୁରକ୍ତା ପତ୍ନୀ ଭାବରେ ମୁଁ ମୋ ସ୍ୱାମୀଙ୍କ ବିରୁଦ୍ଧରେ କିଛି ବି ଶୁଣିବାକୁ ଚାହୁଁନି କି ତାଙ୍କୁ ପରିତ୍ୟାଗ କରିବାର ମୋର କିଛିବି ଯୋଜନା ନାହିଁ ।
ସେମାନଙ୍କ ପ୍ରଥମ ଯୋଜନା ପ୍ରସ୍ତାବ କାଟ ଖାଇଲା ପରେ ଅଶ୍ୱିନୀକୁମାର ଦୁଇ ଭାଇ ସୁକନ୍ୟାଙ୍କ ପତିବ୍ରତା ଗୁଣକୁ ପ୍ରଶଂସା କଲେ ଓ ଆଉ ଏକ ନୂଆ ପ୍ରସ୍ତାବ ଦେଇ କହିଲେ, ଆମେ ଚାହିଁଲେ ତୁମ ପତିଙ୍କୁ ତାଙ୍କ ଯୌବନ ଅବସ୍ଥାକୁ ଫେରାଇ ଆଣି ପାରିବୁ । ପତି ତୁମର ପୁଣିଥରେ ରୂପବନ୍ତ ଯୁବକ ହୋଇଯିବେ । କିନ୍ତୁ ସେଥିପାଇଁ ଗୋଟେ ସର୍ତ୍ତ ରହିଛି । ସର୍ତ୍ତହେଲା ଯୁବକ ଚ୍ୟବନ ଆଉ ତୁମ ପତି ହୋଇ ରହିବେନି ଓ ତୁମେ ତାଙ୍କର ସ୍ତ୍ରୀ ହୋଇ ରହିବନି । ତାପରେ ତୁମକୁ ଆମ ତିନିଜଣଙ୍କ ଭିତରୁ କାହାକୁ ଜଣକୁ ପତି ଭାବରେ ବରଣ କରିବାକୁ ହେବ । ତୁମେ ତୁମ ପତିଙ୍କ ପାଖକୁ ଯାଇ ଏ ବିଷୟରେ ପରାମର୍ଶ କରି ଆମକୁ ତୁମ ମତ ଜଣାଅ । ଆମେ ଏଇଠି ତୁମକୁ ଅପେକ୍ଷା କରି ରହିଲୁ ।
ଅଶ୍ୱିନୀ କୁମାର ଭାବିଥିଲେ ସୁନ୍ଦରୀ ସୁକନ୍ୟା ଥରେ ବିବାହ ବନ୍ଧନରୁ ମୁକ୍ତ ହୋଇଗଲା ପରେ ଦେବତାଙ୍କୁ ବିବାହ ନକରି ଜଣେ ତପସ୍ୱୀଙ୍କୁ ଆଉ ଥରେ କେବେବି ବିବାହ କରିବେନି । କିନ୍ତୁ ସୁକନ୍ୟାଙ୍କ ବିଚାର ଅଲଗା ଥିଲା । ସେ ଚ୍ୟବନଙ୍କ ପାଖକୁ ଯାଇ ଅଶ୍ୱିନୀ କୁମାରଙ୍କ ପ୍ରସ୍ତାବ ବିଷୟରେ କହିବାରୁ ସେ ରାଜି ହୋଇଗଲେ। ଆଉ ଥରେ ଯୁବକ ହୋଇ ଯୌବନ ଫେରିପାଇବାକୁ ସେ କାହିଁକି ବା ମନା କରିଥା'ନ୍ତେ?
ସୁକନ୍ୟା ଆସି ଅଶ୍ୱିନୀକୁମାରଙ୍କୁ କହିଲେ ସେ ସବୁ ସର୍ତ୍ତରେ ରାଜି।
ଅଶ୍ୱିନୀ କୁମାର ଦୁହେଁ ସେଉଠୁ ଚ୍ୟବନଙ୍କର ଚିକିତ୍ସା ଆରମ୍ଭ କଲେ । ତାପରେ ଦିନେ ଅଶ୍ୱିନୀକୁମାର ଦୁହେଁ ସରୋବର ଜଳରେ ସେମାନଙ୍କ ସାଙ୍ଗରେ ଗାଧେଇବାକୁ ଚ୍ୟବନଙ୍କୁ କହିଲେ । ସୁକନ୍ୟା ଦେଖିଲେ ତିନିହେଁ ସରୋବର ପାଣିରେ ପଶି ଗାଧେଇ ଉପରକୁ ଉଠିଲା ବେଳକୁ ତିନିଙ୍କର ସମାନ ରୂପ, ସମାନ ବୟସ, ସମାନ ପୋଷାକ ଏବଂ ସମାନ ଅଳଙ୍କାର । ଏବେ ସୁକନ୍ୟାଙ୍କର ପତି ନିର୍ବାଚନ କରିବାର ସମୟ ଆସିଲା । ତିନିଜଣ ତ ସମାନ ଦିଶୁଛନ୍ତି । ସୁକନ୍ୟା କିନ୍ତୁ ବିନା ଦ୍ୱିଧାରେ ଚ୍ୟବନ ଋଷିଙ୍କୁ ଚିହ୍ନିଦେଲେ ଓ ତାଙ୍କୁ ପତି ଭାବରେ ବରଣ କଲେ ।
ଚ୍ୟବନ ଋଷି ବଡ ଖୁସି । ସେ ଏବେ ଯୁବକ । ପାଖରେ ସୁନ୍ଦରୀ ଯୁବା ପତ୍ନୀ । ତାଙ୍କୁ ଯୌବନ ଫେରାଇ ଦେଇଥିବା ଅଶ୍ୱିନୀକୁମାରଙ୍କ ଉପକାର ସେ ଭୁଲିପାରୁନଥାନ୍ତି । ସେତେବେଳକୁ ଦେବରାଜ ଇନ୍ଦ୍ରଙ୍କ ସହ ଅଶ୍ୱିନୀକୁମାରଙ୍କର ସମ୍ପର୍କ ଭଲ ନଥାଏ । ସେଥିପାଇଁ ଇନ୍ଦ୍ରଙ୍କ ଆଦେଶରେ ଅଶ୍ୱିନୀକୁମାରଙ୍କୁ କୌଣସି ଯଜ୍ଞରେ ଭାଗ ଦିଆଯାଉନଥାଏ । ଦେବତା ହୋଇ ବି ଅଶ୍ୱିନୀକୁମାର ଦୁଇ ଭାଇଙ୍କୁ ସୋମରସ ବି ପାନ କରିବାକୁ ଦିଆ ଯାଉନଥାଏ । ସେଥିପାଇଁ ଦୁଇ ଭାଇ ଦୁଃଖରେ ଥାଆନ୍ତି । କୃତଜ୍ଞତା ଜଣାଇବାକୁ ଋଷି କହିଲେ ମୁଁ ପ୍ରତିଜ୍ଞା କରି କହୁଛି ତୁମ ଦୁହିଁଙ୍କୁ ଦେବରାଜ ଇନ୍ଦ୍ରଙ୍କ ଆଗରେ ନିଶ୍ଚୟ ସୋମରସ ପାନ କରାଇବି ।
ଚ୍ୟବନ ଋଷିଙ୍କ କଥା ଶୁଣି ଅଶ୍ୱିନୀକୁମାର ଦୁଇ ଭାଇ ଆନନ୍ଦରେ ସେଠୁ ବାହାରିଗଲେ ।