• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୪ ନିର୍ବାଚନରେ ସକ୍ରିୟ ରାଜନୀତିରେ ଯୋଗ ଦେବେ କି ଭି.କେ. ପାଣ୍ଡିଆନ ? ନା ନବୀନଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଜିତିବା ପରେ ନେଇପାରନ୍ତି ଗୁରୁ ଦାୟିତ୍ୱ ? ତାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା-ଆଲୋଚନା । ଏପରିକି ବିଜେଡିର ଜଣକ ପରେ ଜଣେ ନେତା ପାଣ୍ଡିଆନଙ୍କ ଗୁଣଗାନ କରିବା ସହିତ ସେ ରାଜନୀତି ମଇଦାନରେ ବି ଗ୍ରହଣୀୟ ହେବେ ବୋଲି ଖୋଲାଖୋଲି କହିଲେଣି । ଆଉ ଟିକେ ଆଗକୁ ଯାଇ ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ଗଞ୍ଜାମରୁ ପାଣ୍ଡିଆନ ଛିଡ଼ା ହେଲେ ସ୍ୱାଗତ କରିବୁ । ତେବେ ବିରୋଧୀଙ୍କ କହିବା କଥା, ପାଣ୍ଡିଆନଙ୍କୁ ବିଜେଡି ନେତା ଗ୍ରହଣ କରିପାରନ୍ତି, ହେଲେ ଓଡିଶାବାସୀ ଗ୍ରହଣ କରିବେନି ।

ଗଞ୍ଜାମରୁ ହେବ କି ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚ୍ ? ୨୪ରେ ଲଢିବେ କି ନିର୍ବାଚନ ? ଯଦି ପାଣ୍ଡିଆନ ସକ୍ରିୟ ରାଜନୀତିକୁ ଆସନ୍ତି ତାହେଲେ କ’ଣ ହେବ ରାଜ୍ୟରେ ରାଜନୈତିକ ସମୀକରଣ ? ଏସବୁ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା। ଯଦିଓ ପାଣ୍ଡିଆନଙ୍କ VRS ପରେ ରାଜ୍ୟ ସରକାର ତାଙ୍କୁ ଫାଇଭ୍ ଟି ଅଧ୍ୟକ୍ଷର ନୂଆ ନିଯୁକ୍ତି ଦେଇ ଅଧିକ ପାଓ୍ୱାରଫୁଲ କରିଛନ୍ତି, ହେଲେ ତାଙ୍କ ପିଲିଟିକାଲ୍ ଏଣ୍ଟ୍ରି ଏବେ ବି ହୋଇନି । ଏସବୁ ଭିତରେ ବିଜେଡି ନେତାଙ୍କ ପ୍ରତିକ୍ରିୟା ପାଣ୍ଡିଆନ ସକ୍ରିୟ ରାଜନୀତିରେ ଯୋଗ ଦେବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।

ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ । କିନ୍ତୁ କଂଗ୍ରେସର ଯୁକ୍ତି ବଢ଼ି କହିଛି ପାଣ୍ଡିଆନଙ୍କୁ ବିଜେଡି ନେତା ଗ୍ରହଣ କରିପାରନ୍ତି ହେଲେ ଓଡ଼ିଶାବାସୀ ଗ୍ରହଣ କରିବେନି । ବିଜେପି କହିଛି ପାଣ୍ଡିଆନଙ୍କୁ ରାଜନୀତି ମଇଦାନରେ ଉତାରିବାକୁ ଗଳାବାଟ ଖୋଜି ନୂଆ ନିଯୁକ୍ତି ଦେଇଛି ବିଜେଡି । ଚର୍ଚ୍ଚା ହେଉଛି ପାଣ୍ଡିଆନଙ୍କ ଗ୍ରହଣୀୟତାକୁ ପରଖୁଛି ବିଜେଡି ।

ଯଦି ସବୁ ଠିକ୍ ଚାଲେ ତାହେଲେ ଧୀରେ ଧୀରେ ବିଧିବଦ୍ଧ ଭାବେ ବିଜେଡିରୁ ଲଞ୍ଚ୍ ହେବେ ପାଣ୍ଡିଆନ । କାହିଁକି ନା ଏବେ ଦଳ ଭିତରେ ପାଣ୍ଡିଆନଙ୍କୁ ନେଇ ଅନେକ ନେତାଙ୍କ ଅସନ୍ତୋଷ ରହିଛି । ପୂର୍ବରୁ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ବିରୋଧ କରି ବରିଷ୍ଠ ନେତା ସୌମ୍ୟ ପଟ୍ଟନାୟକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ବିଧାୟକ ସରକାରୀ ଆକ୍ରୋଶର ଶିକାର ହୋଇଥିଲେ । ଚର୍ଚ୍ଚା ହେଉଛି ବିରୋଧରେ ଥାଇ ବି ଅନେକ ନେତା ମୁହଁ ଖୋଲୁ ନାହାନ୍ତି । ତେଣୁ ଅର୍ନ୍ତକନ୍ଦଳକୁ ଏଡାଇବା ପାଇଁ ସିଧାସଳଖ ନୁହେଁ ଗ୍ରାଉଣ୍ଡ ପ୍ରସ୍ତୁତ କରି ସେ ରାଜନୀତିକୁ ଓହ୍ଲାଇପାରନ୍ତି ।

ପ୍ରଥମେ ଆଇଏଏସ୍ ଚାକିରିରୁ VRS, ତା ପରେ ନୂଆ ଦାୟିତ୍ୱ । ଆଗକୁ ନବୀନ-ପାଣ୍ଡିଆନ କେଉଁ ଗୋଟି ଚାଳନା କରିବେ ତାକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ।

  • Reported by:
  • ASHOK BRAHMA , SOUMYA RANJAN SAHOO