• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୁଣ୍ଡରେ ହେଲମେଟ୍‌ । ଆଣ୍ଠୁ ଆଉ କହୁଣୀରେ ସୁରକ୍ଷା କିଟ୍‌ । ପୁଣି ପାଦରେ ବିଭିନ୍ନ ଡିଜାଇନର ସ୍କେଟିଂ ସୁ । ଏସବୁ ପିନ୍ଧିବା ପରେ ଦୁଃସାହସିକ କ୍ରୀଡା କୌଶଳ ଦେଖାଉଛନ୍ତି ଢେଙ୍କାନାଳ ସହରର କୁନି କୁନି ସ୍କେଟର । ଦୁଃସାହାସିକ କ୍ରୀଡା ସ୍କେଟିଂ ପାଇଁ କେବଳ କୁନି କୁନି ପିଲା ନୁହଁନ୍ତି ବରଂ ସହରର ଅନେକ ଯୁବ ବର୍ଗ ମଧ୍ୟ ଏଥିପ୍ରତି ଉତ୍ସାହିତ ହେଉଛନ୍ତି । ଆଉ ସେମାନଙ୍କୁ ତାଲିମ ଦେଉଛନ୍ତି ଢେଙ୍କାନାଳର ଜଣେ ଅଭିଜ୍ଞ କୋଚ୍ ସୌମ୍ୟବ୍ରତ ସାହୁ।

ମନରେ ଦୃଢ ଇଚ୍ଛା ସହ ‌ସେମାନଙ୍କ ଭିତରେ ଭରି ରହିଛି ଜୋସ୍‌ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ସ୍ୱପ୍ନ କେମିକି ସ୍କେଟିଂ ଖେଳିବେ? କେମିତି ଭାରତର ନାଁ ରଖିବେ । ସେଇଥି ଲାଗି ତ ପଡ଼ିଆରେ ପ୍ରତିଦିନ ୩୦ ରୁ ଅଧିକ ଖେଳାଳି ସ୍କେଟିଂ ପ୍ରାକ୍ଟିସ୍‌ରେ ବ୍ୟସ୍ତ ରହୁଛନ୍ତି । ହେଲେ ଦୁଃଖର କଥା ଆବଶ୍ୟକୀୟ ଭିତ୍ତିଭୂମୀ ନଥିବାରୁ ସ୍କେଟିଂ ଖେଳାଳିଙ୍କର ହୋଇପାରୁନାହିଁ ଉନ୍ନତି ।

୨୦୧୯ ମସିହାରେ ସିବିଏସଇ ନ୍ୟାସନାଲ ଗେମ୍‌ରେ କୁନି କୁନି ସ୍କେଟର ମାନେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ । ହେଲେ ଆବଶ୍ୟକ ଫିଲ୍ଡ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଖେଳାଳି । ତେଣୁ ଖୁବ୍‌ଶୀଘ୍ର ଜିଲ୍ଲା କ୍ରୀଡ଼ା ବିଭାଗ, ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଖେଳାଳି ଓ ଅଭିଭାବକ।

ବହୁ ବର୍ଷ ପୂର୍ବେ ବରଫାବୃତ ଦେଶ ମାନଙ୍କରେ ସ୍କେଟିଂ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାତାୟାତ କରିହେଉଥିଲା । ହେଲେ ଏବେ ସ୍କେଟିଂ ଯୁବବର୍ଗଙ୍କ ପାଇଁ ପାଲଟିଛି ସଉକ । ଏମିତିକି ଅଲମ୍ପିକ୍‌ରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଏହି ଖେଳ । ତେଣୁ ତୁରନ୍ତ ଖେଳାଳୀଙ୍କ ଲାଗି ଭିତ୍ତିଭୂମି ସଜାଡ଼ିବା ସହ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବାକୁ ଦାବି ହୋଇଛି ।

ଜାଣି ଆଶ୍ଚର୍ଯ୍ୟ ହେବେ, ୨୦୨୧ ମସିହାରେ ଜିଲ୍ଲାରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା । ହେଲେ ଏହାରି ଭିତରେ ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଏହା ପୂର୍ଣ୍ଣାଙ୍ଗ ରୂପ ନେଇପାରିନି । ସେପଟେ ଖେଳାଳିଙ୍କ ଅସୁବିଧାକୁ ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀ କହିଛନ୍ତି, ସରକାରଙ୍କ ଅନୁଦାନ ଆସିବା ପରେ ପୌରପାଳିକା ପକ୍ଷରୁ ସବୁ ପ୍ରକାର ସୁବିଧା କରାଯିବ ।

ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦିଆଗଲେ କୁନି ପ୍ରତିଭା ମାନେ ଆଗକୁ ଜିଲ୍ଲା ଓ ରାଜ୍ୟ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବେ ଏଥିରେ ସନ୍ଦେହ ନାହିଁ। ହେଲେ ସମୟ କହିବ କେବେ ପ୍ରତିଶ୍ରୁତି ପାଳନ କରୁଛି ପୌର ପ୍ରଶାସନ ।

  • Reported by:
  • RAJASHREE SATAPATHY

OTV is now on Whatsapp

Join and get latest news update delivered to you via whatsapp

Join Now