• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ବଜେଟ୍ ଫୋକସରେ ଲୋକଙ୍କୁ ପ୍ରତ୍ୟକ୍ଷ ଲାଭ ଦେଉଥିବା ଯୋଜନା ଓ କାର୍ଯ୍ୟକ୍ରମ କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ମିଶନ ଶକ୍ତି ଭଳି ଯୋଜନା ଲାଗି ହୋଇଛି ଅଧିକ ବ୍ୟୟବରାଦ । ଫଳରେ ଶିଳ୍ପ ଓ ଭିତ୍ତିଭୂମି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଉପଯୁକ୍ତ ନ୍ୟାୟ ମିଳନଥିବା କୁହାଯାଉଛି । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିବା ସହ ଏହା ଭୋଟବ୍ୟାଙ୍କ ବଜେଟ୍ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କା ଘର ଓ ମିଶନ ଶକ୍ତି । ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେଉଥିବା ଏମିତି ଯୋଜନାକୁ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ମିଳିଛି ଗୁରୁତ୍ୱ । କାରଣ ଏସବୁ ଯୋଜନା ହିଁ ଶାସକ ଦଳ ପାଇଁ ପାଲଟିଛି ଭୋଟ୍ ବ୍ୟାଙ୍କ । ୨୦୨୩-୨୪ ଆର୍ଥିକ ବର୍ଷ ଯାଏଁ ସମ୍ପ୍ରସାରଣ ହୋଇଥିବା କାଳିଆ ଯୋଜନା ଲାଗି ଚଳିତ ଆର୍ଥିକ ବର୍ଷ ୧ ହଜାର ୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୨୧-୨୨ରେ ଏହି ପରିମାଣ ଥିଲା ୧ ହଜାର ୮ଶହ କୋଟି ।

ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ ହଜାର ୮୬୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ନାରୀ ସଶକ୍ତୀକରଣ ଲାଗି ମିଶନ ଶକ୍ତି ପ୍ରକଳ୍ପକୁ ଆବଣ୍ଟନ ହୋଇଛି । ୨ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ସ୍କିମ୍ ଲାଗି ମଧ୍ୟ ବଜେଟ୍‌ରେ ୫ ହଜାର ୯୦୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏପଟେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ କ୍ଷେତ୍ରଗୁଡ଼ିକର ବିକାଶ ପାଇଁ ବି ବଜେଟ୍‌ରେ ଟଙ୍କା ଅଜାଡ଼ି ଦେଇଛନ୍ତି ସରକାର ।

ଶ୍ରୀକ୍ଷେତ୍ର ବିକାଶ ଲାଗି ଅବଢ଼ା ଯୋଜନା ପାଇଁ ୧ ହଜାର ୪୦୮ କୋଟି, ଲିଙ୍ଗରାଜ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଲାଗି ଏକାମ୍ର ଯୋଜନାରେ ୨ଶହ କୋଟି, ସମ୍ବଲପୁରର ସମଲେଇ ମନ୍ଦିର ଉନ୍ନତିକରଣ ପାଇଁ ୨ଶହ କୋଟି ଦିଆଯାଇଛି । ଏବର୍ଷ ବଜେଟ୍ ଭୋଟ୍‌ ବ୍ୟାଙ୍କ ଓ ଭାବମୂର୍ତ୍ତି ସଜାଡିବା ବଜେଟ୍ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ଲୋକଙ୍କ ସମସ୍ୟା ସମାଧାନ ଲାଗି ଉଦ୍ଧିଷ୍ଟ ଯୋଜନା ପାଇଁ ଅଧିକ ଅର୍ଥ ଦିଆଯାଇଥିବା ବିଜେଡି ଯୁକ୍ତି ରଖିଛି ।  

୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ରାଜ୍ୟ ସରକାର । ଏହାର ଅଧା ଅର୍ଥାତ୍ ୧ ଲକ୍ଷ କୋଟି ଟଙ୍କା କେବଳ କାର୍ଯ୍ୟକ୍ରମ ବ୍ୟୟବରାଦ ବା ଯୋଜନା ଖର୍ଚ୍ଚ ପାଇଁ ଆବଣ୍ଟନ କରାଯାଇଛି । ଯାହାକି ୨୦୨୧-୨୨ର ୭୫ ହଜାର କୋଟି ଟଙ୍କା ତୁଳନାରେ ୩୩ ପ୍ରତିଶତ ଅଧିକ । ତେବେ ଶିଳ୍ପ, ଷ୍ଟାଟ୍-ଅପ୍, ଓ ଭିତ୍ତିଭୂମି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଯେତିକି ଗୁରୁତ୍ୱ ମିଳିବା କଥା ତାହା ହୋଇନାହିଁ । ଅର୍ଥନୀତି ବିଶାରଦଙ୍କ କହିବା କଥା, ଲୋକଙ୍କୁ ସିଧା ଲାଭ ପହଞ୍ଚାଉଥିବା ଯୋଜନାକୁ ସରକାର ପ୍ରଧାନ୍ୟ ଦେଉଛନ୍ତି ।

ଏବର୍ଷ ରାଜ୍ୟରେ ଅନେକ ଖଣି ନିଲାମ ହୋଇଥିବାରୁ ଏବାବଦକୁ ପ୍ରାୟ ୪୮ ହଜାର କୋଟି ପାଇଛନ୍ତି ରାଜ୍ୟ ସରକାର । ସେଥିଲାଗି ଚଳିତ ବର୍ଷ ଖୋଲା ବଜାରରୁ କୌଣସି ଋଣ କରିବାକୁ ପଡିନାହିଁ । ତେଣୁ ଆଗାମୀ ଜୁନ୍ ମାସରେ ଆସିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସରକାର ସଂସ୍କାରମୂଳକ ପଦକ୍ଷେପ ତଥା ନୂଆ ଯୋଜନା ଆଣିବା ଅନୁମାନ କରାଯାଉଛି ।