Advertisment

KIIT student Death: ପୁଅର ମୃତ୍ୟୁ ପାଇଁ କିଟ ମ୍ୟାନେଜମେଣ୍ଟକୁ ଦାୟୀ କଲେ ଅର୍ଣ୍ଣବଙ୍କ ପିତାମାତା

ଆହୁରି ବଢ଼ିଲା କିଟର ଅଡୁଆ। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ଦେଢ଼ମାସ ନପୁରୁଣୁ ପୁଣି ଜଣେ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ହଇଚଇ ଭିତରେ, ଆଜି ଅର୍ଣ୍ଣବଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି ପୁଅ ମୃତ୍ୟୁ ପାଇଁ କିଟ୍ ମ୍ୟାନେଜମେଣ୍ଟର ଅବହେଳା ଦାୟୀ। ଏମିତିକି ପୁଅ ଆତ୍ମହତ୍ୟା କରିନି ବରଂ ତା ସହ ଆଉ କିଛି ଅଘଟଣ ଘଟିଥାଇ ପାରେ ବୋଲି ଆଶଙ୍କା କରିଛନ୍ତି ଅର୍ଣ୍ଣବଙ୍କ ବାପା।

author-image
Saroj Kumar Jena
kiit

kiit

ଆହୁରି ବଢ଼ିଲା କିଟର ଅଡୁଆ। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ଦେଢ଼ମାସ ନପୁରୁଣୁ ପୁଣି ଜଣେ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ହଇଚଇ ଭିତରେ, ଆଜି ଅର୍ଣ୍ଣବଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି ପୁଅ ମୃତ୍ୟୁ ପାଇଁ କିଟ୍ ମ୍ୟାନେଜମେଣ୍ଟର ଅବହେଳା ଦାୟୀ। ଏମିତିକି ପୁଅ ଆତ୍ମହତ୍ୟା କରିନି ବରଂ ତା ସହ ଆଉ କିଛି ଅଘଟଣ ଘଟିଥାଇ ପାରେ ବୋଲି ଆଶଙ୍କା କରିଛନ୍ତି ଅର୍ଣ୍ଣବଙ୍କ ବାପା। ତେବେ ଏନେଇ କିଟ୍ କର୍ତ୍ତୃପକ୍ଷ ମୁହଁ ଖୋଲି ନଥିଲାବେଳେ ଏ ମାମଲା ବି NHRCରେ ପହଞ୍ଚିଲାଣି।

Advertisment

ଅଧିକ ପଢ଼ନ୍ତୁ : ହୃଦଘାତର ଆଗୁଆ ସୂଚନା ଦେଇଥାଏ ଏହି ୧୦ ଲକ୍ଷଣ, ଆଜି ହିଁ ହେଇଯାଆନ୍ତୁ ସତର୍କ

ଦେଢ଼ମାସ ଭିତରେ ଦୁଇ ଦୁଇଟି ବଡ଼ ଅଘଟଣ। ସେବେ କ୍ୟାମ୍ପସ ଭିତରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ହଙ୍ଗାମା। ଆଉ ଏବେ କ୍ୟାମ୍ପସ ବାହାରୁ ସନ୍ଦେହଜନକ ଅବସ୍ଥାରେ ପଶ୍ଚିମବଙ୍ଗ ଛାତ୍ରଙ୍କ ମୃତଦେହ ଉଦ୍ଧାରକୁ ନେଇ ହଇଚଇ। ଭୁବନେଶ୍ବର ମଞ୍ଚେଶ୍ବରର ଏଇ ନିର୍ମାଣାଧୀନ କୋଠା ତଳୁ ଗତ ସୋମବାର ରାତିରେ ବିଟେକ୍ ତୃତୀୟ ବର୍ଷର ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତଦେହ ମିଳିବା ଘଟଣାରେ ଆଜି କିଟ୍ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ବାପା ଜଗଦୀଶ ମୁଖାର୍ଜୀ। କ୍ଷୋଭର ସହ କହିଛନ୍ତି କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ପୁଅ ଜୀବନ ନେଇଛି। ପୁଅ ଆତ୍ମହତ୍ୟା କରିନି ବରଂ ତା ସହ ଅନ୍ୟ କିଛି ଅଘଟଣ ଘଟିଥାଇପାରେ। କାରଣ ହଷ୍ଟେଲ ୱାଡେନଙ୍କ କଥା ଓ ଘଟଣାବଳୀ ମଧ୍ୟରେ ଆଦୌ ତାଳମେଳ ରହୁନି। ହଷ୍ଟେଲ ଦାୟିତ୍ବରେ ଛାଡ଼ିଥିବା ପୁଅର ମୃତଦେହ କିଭଳି 15 କିଲୋମିଟର ଦୂରରେ ମିଳିଲା ? ଦୀର୍ଘ ସମୟ ଧରି ହଷ୍ଟେଲରେ ଅନୁପସ୍ଥିତି ସଂପର୍କରେ କର୍ତ୍ତୃପକ୍ଷ ଜାଣିଥିଲେ କି ନାହିଁ, ଯଦି ଜାଣିଥିଲେ କାହିଁକି ଏ ବାବଦରେ ଆମକୁ ଜଣାଇଲେ ନାହିଁ ବୋଲି ବି ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ଅର୍ଣ୍ଣବଙ୍କ ମୃତଦେହ ଚିହ୍ନଟ ପାଇଁ ଆସିଥିଲା ବେଳେ ନା କିଟ୍ କର୍ତ୍ତୃପକ୍ଷ ତାଙ୍କୁ ଦେଖା କରିଛନ୍ତି, ନା ଆଶ୍ବାସନା ବି ଦେଇଛନ୍ତି ବୋଲି ବି କ୍ଷୋଭ ପ୍ରକାଶ କରିଛନ୍ତି ବାପା ଜଗଦୀଶ। ଏଥିସହ ଏସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସତ ବାହାର କରାଯାଉ ବୋଲି ସେ ଦାବି କରିଛନ୍ତି।

Advertisment

ପ୍ରକୃତରେ କେଉଁ ପରିସ୍ଥିତିରେ ହେଲା ଅର୍ଣ୍ଣବଙ୍କର ମୃତ୍ୟୁ ? ଆତ୍ମହତ୍ୟା, ହତ୍ୟା ନା ଆଉ କିଛି କାରଣ ? ବାପାଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ବର ପୋଲିସ ଆରମ୍ଭ କରିଛି ଛାନଭିନ୍। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଆଜି ମୃତଦେହକୁ ବ୍ୟବଚ୍ଛେଦ କରାଯିବା ସହ ଏହାର ଭିଡିଓଗ୍ରାଫି ବି କରାଯାଇଛି। ଏସବୁ ବାଦ ପୋଲିସ ଏକାଧିକ ସିସିଟିଭି ଯାଞ୍ଚ କରିବା ସହିତ ଘଟଣା ସଂପର୍କରେ କିଟ୍ ର ଏକାଧିକ ଅଧିକାରୀଙ୍କୁ ବି ଜେରା କରିଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ କହିଛି।

ଏପଟେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା ଭଳି, ଅର୍ଣ୍ଣବ ମୃତ୍ୟୁ ମାମଲା ବି ଜାତୀୟ ମାନାବାଧିକାର କମିଶନଙ୍କ ପାଖରେ ପହଞ୍ଚିଛି। ମଞ୍ଚେଶ୍ବର ଥାନାଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ଅର୍ଣ୍ଣବଙ୍କ ମୃତଦେହ ମିଳିବା ବହୁ ସନ୍ଦେହକୁ ଜନ୍ମଦେଇଥିବାରୁ ଏହାର ଉପଯୁକ୍ତ ତଦନ୍ତ ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍ଏଚ୍ଆରିସିରେ ଦାବି ହୋଇଛି।...ଏନେଇ ଡିସିପି, ପୋଲିସ ଡିଜି ଏବଂ କିଟ୍ କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନକାରୀ।

ପୂର୍ବରୁ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ NHRC କିଟ୍ କର୍ତ୍ତୃପକ୍ଷଙ୍କୁ ସଂପୂର୍ଣ୍ଣ ଦାୟୀ କରିବା ସହ କର୍ତ୍ତୃପକ୍ଷଙ୍କ ବିରୋଧରେ ଆବେଟମେଣ୍ଟ ଟୁ ସୁଇସାଇଡ୍ ଭଳି ସଂଗୀନ ଧାରାରରେ ମାମଲା ରୁଜୁ କରିବାକୁ ପୋଲିସ୍ କମିଶନରଙ୍କୁ ସୁପାରିଶ କରିଥିଲେ। ଆଉ ଏବେ ଅର୍ଣ୍ଣବଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏନ୍ଏଚ୍ଆରସି କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର। ଅପରପକ୍ଷେ ଅର୍ଣ୍ଣବଙ୍କ ମୃତ୍ୟୁକୁ ନେଇ ବାପାଙ୍କ ଅଭିଯୋଗ ସଂପର୍କରେ ଏପର୍ଯ୍ୟନ୍ତ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

KIIT KIIT University
Advertisment
Advertisment