• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାନସ ମର୍ଡର ମିଷ୍ଟ୍ରିରେ ନୂଆ ଖୁଲାସା । କଳା, ସାହିତ୍ୟ ପ୍ରତି ରୁଚି ରଖୁଥିବା ତଥାକଥିତ ସମାଜସେବୀଙ୍କ ମୁଣ୍ଡରେ ଖେଳୁଥିବା ପିଶାଚ ବୁଦ୍ଧିର ହେଲା ପର୍ଦ୍ଦାଫାସ୍ । ଯାହାର ସତ ଉଗାରିଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ଅନ୍ୟତମ ଅଭିଯୁକ୍ତ ରଂଜନ ନାୟକ ଓରଫ୍ ରାଜ୍ ।

ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ । ସେଠାରୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଅଣାଯାଇଥିଲା । ଆଶ୍ରମରେ ନିରଞ୍ଜନ ସେଠୀ ସହ ଅନ୍ୟମାନେ ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମୃତଦେହକୁ ଅଖାରେ ଭର୍ତ୍ତି କରି ନୟାଗଡ଼ ରଣପୁରକୁ ନେଇ ପୋତିଦେଇଥିଲେ ।

ଶବ ପୋତିବା ପରେ ସମସ୍ତେ ପୁଣି ଚଣ୍ଡିଖୋଲ ଫେରି ଦୈତାରୀ-ପାରାଦୀପ ଏକ୍ସପ୍ରେସ ହାଇୱେ କଡ଼ରେ ମାନସଙ୍କ ମୋବାଇଲ୍ ଇୟର ଫୋନ୍, ଚପଲ ଏବଂ ଶବ ନେଇଥିବା ଅଖାକୁ ପୋଡ଼ିଦେଇଥିଲେ ବୋଲି କହିଛି ରଂଜନ । ତାସହ ଶବ ପୋତିବା ପାଇଁ ବ୍ୟବହୃତ କୋଦାଳ, ଗଇଁତିକୁ ବି ବୂଦାମୂଳେ ଫିଙ୍ଗି ଦେଇଥିଲେ । ରାଜ୍‌କୁ ସାଙ୍ଗରେ ଚଣ୍ଡିଖୋଲ୍ ନେଇ ଆଜି ଏସବୁ ସାମଗ୍ରୀକୁ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ସେଠାରୁ ଏକ ଦରପୋଡ଼ା ଶାଢ଼ି ମିଳିଛି । ଅର୍ଥାତ ପ୍ରମାଣ ନଷ୍ଟ କରିବା କରିବା ପାଇଁ ଏହାଥିଲା ସୁଚିନ୍ତିତ ଯୋଜନା । ଏହାପୂର୍ବରୁ ଯାଜପୁର ଧର୍ମଶାଳାର ଶଙ୍ଖାରିଡିହ ପାଖରୁ ମାନସଙ୍କ ମୋବାଇଲ୍ ପାଇଥିଲା ଚାନ୍ଦବାଲି ପୋଲିସ୍ । ସେଠାକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ବି ଅନୁଧ୍ୟାନ କରିଛି ।

ତେବେ ମେମୋରି ଚିପ୍ ପ୍ରସଙ୍ଗରେ କିନ୍ତୁ ସ୍ପଷ୍ଟ କରୁନି କ୍ରାଇମବ୍ରାଞ୍ଚ । ଅଣ୍ଡରଟେକିଂ ଲେଖାଇ ଚିପ୍ ପାଇଯାଇଛି ବୋଲି ଯେଉଁ ଭିଡ଼ିଓରେ କହୁଛନ୍ତି ଶର୍ମିଷ୍ଠା, ତାର ସତ୍ୟତା କେତେ ? ଯଦି ସେ ଚିପ୍ ପାଇଯାଇଥିଲେ ତେବେ ମାନସଙ୍କୁ ହତ୍ୟା ଯାଏଁ କଥାଗଲା କାହିଁକି ? କେଉଁଠି ଏବେ ସେହି ମେମୋରି ଚିପ୍ ? ଶର୍ମିଷ୍ଠା ରାଉତ, ନିରଂଜନ ସେଠୀ, ଝୁନା ଭୋଇ ଓ ରଂଜନକୁ ୩ ଦିନ ହେଲା ଜେରା କରୁଛି କ୍ରାଇମବ୍ରାଞ୍ଚ ।

ହେଲେ ତଦନ୍ତରେ ଶର୍ମିଷ୍ଠା ସହଯୋଗ କରୁନଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିିଛି । ତଦନ୍ତକୁ ବାଟବଣା କରିବା ପାଇଁ ଶର୍ମିଷ୍ଠା ଉଦ୍ୟମ କରୁଥିବା କୁହାଯାଉଛି । ଆଉ ୨ ଦିନ ପରେ ସମସ୍ତଙ୍କ ରିମାଣ୍ଡ ସରିବ । ଯଦି ଶର୍ମିଷ୍ଠା କ୍ରାଇମବ୍ରାଞ୍ଚକୁ ଭୂଆଁ ବୁଲାଉଛନ୍ତି, ତାହେଲେ କଣ ତାଙ୍କର ଲାଇ ଡିଟେକ୍ସନ୍ ଟେଷ୍ଟ ହେବ କି ? ଏବେ ଏଭଳି ପ୍ରଶ୍ନ ଭିତରେ ଶୁକ୍ରବାର ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏଟ କରିବାର ସମ୍ଭାବନା ଥିବା କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରିବା ଲାଗି ଫରେନ୍ସିକ୍ ଏବଂ ପାରିପାର୍ଶ୍ୱିକ ପ୍ରମାଣ ନିହାତି ଜରୁରୀ । ହତ୍ୟା ଘଟଣାକୁ ଦୀର୍ଘଦିନ ବିତିଯାଇଥିବା ବେଳେ ଅନେକ ପ୍ରମାଣ ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି । ତେଣୁ ଯାହା ବି ମିଳୁଛି, ତାକୁ ଆଧାର କରି କ୍ରାଇମବ୍ରାଞ୍ଚକୁ କଡ଼ିକୁ କଡ଼ି ଯୋଡ଼ିବାର ଆବଶ୍ୟକତା ଥିବା କହିଛନ୍ତି ଫରେନ୍ସିକ୍ ଏକ୍ସପର୍ଟ ।