Advertisment

Waqf Amendment Bill: ୱାକଫ୍ ସଂଶୋଧନ ବିଲ୍‌କୁ ନେଇ ସଂସଦରେ ଝଡ଼; କଣ ଏହି ବିଲ୍‌ ? ଜାଣନ୍ତୁ...

ୱାକଫ୍ ସଂଶୋଧନ ବିଲକୁ ନେଇ ଲୋକସଭାରେ ଶାସକ ବିରୋଧୀ ମୁହାଁମୁହିଁ। ବିଲ୍ ସପକ୍ଷରେ ସରକାରୀ ଦଳ ଆଉ ବିଲ୍ ବିରୋଧରେ ବିରୋଧୀଙ୍କ ଅଗ୍ନିବର୍ଷୀ ତର୍କ, ଆଲୋଚନା।

author-image
Sujit kumar Swain
Waqf Amendment Bill

Waqf Amendment Bill

ୱାକଫ୍ ସଂଶୋଧନ ବିଲ୍‌କୁ ନେଇ ସଂସଦରେ ଝଡ଼। ବିଲ୍ ଉପରେ ଦୀର୍ଘ ସମୟର ଆଲୋଚନା ବେଳେ ମୁହାଁମୁହିଁ ସରକାର ଓ ବିରୋଧୀ ଶିବିର। କେନ୍ଦ୍ର ସରକାର ବହୁ ପ୍ରତୀକ୍ଷିତ ୱାକଫ୍ ସଂଶୋଧନ ବିଲ୍‌କୁ ଆଜି ଲୋକସଭାରେ ଆଗତ କରିଥିବା ବେଳେ ଏହା ଉପରେ ଲମ୍ବା ସମୟ ଧରି ବିତର୍କ ଚାଲିଛି। ୧୯୯୫ର ପୁରୁଣା ୱାକଫ୍ ଆଇନରେ ପରିବର୍ତ୍ତନ, ୱାକଫ୍ ସଂପତ୍ତିର ସୁପରିଚାଳନାରେ ସ୍ବଚ୍ଛତା ଆଣିବାକୁ କେନ୍ଦ୍ର ସରକାର ଏହି ବିଲ୍ ଆଣିଥିବା ବେଳେ ଏଥିରେ ସାମ୍ବିଧାନିକ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ।

Advertisment

ୱାକଫ୍ ସଂଶୋଧନ ବିଲକୁ ନେଇ ଲୋକସଭାରେ ଶାସକ ବିରୋଧୀ ମୁହାଁମୁହିଁ। ବିଲ୍ ସପକ୍ଷରେ ସରକାରୀ ଦଳ ଆଉ ବିଲ୍ ବିରୋଧରେ ବିରୋଧୀଙ୍କ ଅଗ୍ନିବର୍ଷୀ ତର୍କ, ଆଲୋଚନା। ବହୁ ପ୍ରତୀକ୍ଷିତ ୱାକଫ୍ ସଂଶୋଧନ ବିଲ୍‌କୁ ନେଇ ଲୋକସଭାରେ ହୋଇଛି ସରଗରମ ଆଲୋଚନା। ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ବିଲ୍ ଉପସ୍ଥାପନ କରି କହିଥିଲେ, ୱାକଫ୍ ସଂଶୋଧିତ ବିଲ୍ କୌଣସି ଧର୍ମ ବିରୋଧରେ ନୁହେଁ। ଏହି ବିଲ୍ କୌଣସି ଧାର୍ମିକ ବ୍ୟବସ୍ଥାରେ ହସ୍ତକ୍ଷେପ କରିବନି। ଏହାଦ୍ବାରା କାହାର ଅଧିକାର କ୍ଷୁର୍ଣ୍ଣ ହେବନି। ବରଂ ଟେକନଲୋଜି, ଟ୍ରାନ୍ସପାରେନ୍ସି, ଏବଂ ଡିଜିଟାଲ ଜ୍ଞାନକୌଶଳ ଉପଯୋଗ ହୋଇ ୱାକଫ୍ ବୋର୍ଡ ସ୍ବଚ୍ଛତା ଭାବେ କାର୍ଯ୍ୟ କରିବ। କଂଗ୍ରେସ କ୍ଷମତାରେ ଥିବା ବେଳେ ଏ ବିଲ୍‌ରେ ବହୁ ଆପତ୍ତିଜନକ ପରିବର୍ତ୍ତନ ଆଣିଥିବା କହିଥିଲେ ରିଜିଜୁ। 

ଅଧିକ ପଢ଼ନ୍ତୁ: କର୍ମଚାରୀଙ୍କ ପାଇଁ ଖୁସି ଖବର...ଏଣିକି ଲକ୍ଷେ ନୁହେଁ, EPFOରୁ ଉଠାଇ ପାରିବେ ୫ ଲକ୍ଷ

Advertisment

ସେପଟେ ବିଲ୍ ବିରୋଧରେ ସ୍ବର ଉଠାଇ ତୀବ୍ର ସମାଲୋଚନା କରିଥିଲେ କଂଗ୍ରେସ ସାଂସଦ ଗୌବର ଗୋଗଇ। ସେ କହିଥିଲେ ୱାକଫ୍ ସଂଶୋଧନ ବିଲ୍ ଆଣି ସରକାର ସମ୍ବିଧାନକୁ ଶକ୍ତିହୀନ କରିବା ସହ ମୁସଲମାନଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛନ୍ତି। ଏହା ଭାରତୀୟ ସମୁଦାୟ ଭିତରେ ଭିନ୍ନତା ସୃଷ୍ଟି କରୁଥିବା କହିଥିଲେ ଗୋଗଇ। ସେହିଭଳି ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ମଧ୍ୟ ୱାକଫ୍ ସଂଶୋଧନ ବିଲ ବିରୋଧରେ ସ୍ବର ଉଠାଇ, ବେରୋଜଗାରୀ ଓ ଦରଦାମ ବୃଦ୍ଧି ପ୍ରସଙ୍ଗରୁ ଖସିଯିବାକୁ ବିଜେପି ଏହାକୁ ଢାଲ କରୁଥିବା କହିଥିଲେ।

ଏବେ ନଜର ପକାନ୍ତୁ କଣ ଏହି ୱାକଫ୍ ସଂଶୋଧନ ବିଲ୍। ଦେଶରେ ସେନା ଓ ରେଲୱେ ପରେ ତୃତୀୟ ସର୍ବାଧିକ ଜମିବାଡ଼ି ସଂପତ୍ତିର ମାଲିକ ୱାକଫ୍ ବୋର୍ଡ ସଂପତ୍ତି ପରିଚାଳନା କ୍ଷେତ୍ରରେ ରହିଥିବା ବିବାଦ ଓ ଅସୁବିଧା ଦୂର ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି। ଏହି ବିଲରେ ଇସଲାମ ଧର୍ମରେ ଧାର୍ମିକ ଓ ବଦାନ୍ୟ କାର୍ଯ୍ୟ ଲାଗି ଉତ୍ସର୍ଗୀକୃତ ଥିବା ୱାକଫ୍ ସମ୍ପତ୍ତିର ପରିଚାଳନା ଓ ପ୍ରଶାସନିକ ଦିଗକୁ ଗୁରୁତ୍ବ ମିଳିବ। ବୋର୍ଡ ପରିଚାଳନାରେ ଟେକନୋଲଜିର ପ୍ରୟୋଗ ସାଙ୍ଗକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିବ। ୱାକଫ୍ ବୋର୍ଡରେ ମୁସଲମାନ ମହିଳାଙ୍କୁ ପ୍ରତିନିଧିତ୍ବ ମିଳିବ। ୱାକଫ୍ ବୋର୍ଡର ପଂଜୀକରଣ, ପ୍ରକାଶନ ଓ ହିସାବପତ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ରହିବ। ସିଏଜି କିମ୍ବା ଅନ୍ୟ ଅଧିକୃତ ଅଧିକାରୀଙ୍କ ଦ୍ବାରା ୱାକଫ୍ ବୋର୍ଡର ଅଡିଟ୍ ପାଇଁ ସରକାର ନିର୍ଦ୍ଦେଶ ଦେଇପାରିବେ। ତେବେ ବିରୋଧୀ ଦଳମାନେ କିନ୍ତୁ ଏହାକୁ ଅସାମ୍ବିଧାନିକ ବୋଲି ଅଭିଯୋଗ କରିଆସୁଛନ୍ତି। 

Kiren Rijiju Lok Sabha
Advertisment
Advertisment