/odishatv-khabar/media/post_attachments/uploadimage/library/16_9/16_9_0/Sand_Mafia_1648737765.jpg)
Sand Mafia
ଅଭୟାରଣ୍ୟ ସଂଲଗ୍ନ ବାଲିବନ୍ତକୁ ଖୋଳି ଲୁଟ୍ କରିଚାଲିଛନ୍ତି ବାଲି ମାଫିଆ । ପ୍ରଶାସନର ନାକ ତଳେ ଟ୍ରକ୍ ଟ୍ରକ୍ ବାଲି ଚୋରା ଚାଲାଣ ହେଉଛି । ଓଟିଭିରେ ଖବର ପ୍ରସାରିତ ହେବା ପରେ ଆକ୍ସନ ମୁଡ୍କୁ ଆସିଯାଇଥିଲା ପ୍ରଶାସନ । ହେଲେ ଏବେ ଯେମିତି ନିଦାବିଷ୍ଣୁ ।
ରାତି ଅଧରେ ଅବାଧରେ ଚାଲିଛି ବାଲି ଖୋଳା । ନା କାହାକୁ ଭୟ ନା ଖାତିର । ବାଲି ଖୋଳିବା ପରେ ଜେସିବି ଓ ହାଇୱା ଲଗାଇ କରାଯାଉଛି ଲୋଡିଂ । ଆଉ ରାତି ପାହିଲା ବେଳକୁ ଟ୍ରକ୍ ଟ୍ରକ୍ ବାଲି ନେଇ ମାଫିଆ ଛୁ । ବେଧଡକ ଚାଲିଛି ବାଲି ଚୋରା ଚାଲାଣ । ଫଳରେ ଖାଲି ହେବାକୁ ବସିଲାଣି ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ଯାଏଁ ଅଭୟାରଣ୍ୟ ସଂଲଗ୍ନ ପ୍ରାକୃତିକ ବାଲିବନ୍ତ ।
ସମୁଦ୍ର ଉପକୂଳରେ ପ୍ରାଚୀର ଭଳି ଠିଆ ହୋଇଥିବା କିଲୋମିଟର ବ୍ୟାପୀ ବାଲିବନ୍ତ ବି ନିଶ୍ଚିହ୍ନ ହୋଇଗଲାଣି । ଚନ୍ଦନପୁର ନିକଟ ଭାର୍ଗବୀର ନଦୀପଠା ଅଂଚଳ ଦେଖିଳେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି । ନଦୀପଠାରୁ ବାଲି ଲୁଟି ନେଇଛନ୍ତି ମାଫିଆ । ଯୁଆଡେ ଦେଖିବ ବଡ ବଡ ଗାତ ରହିଛି । ବାଲି ଲୁଟ ପରେ ବଳି ପଡିଛି ଶହ ଶହ ଝାଉଁଗଛ ।
ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କରେ ବାଲି ମାଫିଆ, ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବାଲି ଲୁଟ୍ ହେଉଥିବା ବାରମ୍ବାର ଅଭିଯୋଗ ହୋଇଥିଲା । ଏନେଇ ଓଟିଭିରେ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଏହାପରେ ପ୍ରଶାସନର ତାଗିଦରେ କିଛି ଦିନ ପାଇଁ ଥମି ଯାଇଥିଲା ବାଲି ଲୁଟ୍ । ଏବେ ପୁଣି ଆରମ୍ଭ ହୋଇଯାଇଛି ଚୋରା ଚାଲାଣ । ରାତି ଅଧରେ ଖୋଳିବା ପରେ ଦିନ ଦିପହରେ ଟ୍ରକ୍ ଓ ଟ୍ରାକ୍ଟରରେ ହଜାର ହଜାର ବାଲି ଟ୍ରିପ୍ ନିର୍ଭୟରେ ଲୁଟ୍ ହେଉଛି । ବେଆଇନ୍ ବାଲି ଚାଲାଣ ଉପରେ ଆଗକୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍ପି ଓ ଜିଲ୍ଲାପାଳ କହିଛନ୍ତି ।
ଏପଟେ ଯାଜପୁରରେ ତହସିଲଦାରଙ୍କୁ ଟ୍ରାକ୍ଟର ମଡାଇ ମାରିଦେବାକୁ ଉଦ୍ୟମ କରିଛନ୍ତି ବାଲି ମାଫିଆ । କସପା ପଂଚାୟତ ପଲ୍ଲା ସାହିରେ ବୈତରଣୀ ନଦୀରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ରେଡ୍ କରିଥିଲେ ଦଶରଥପୁର ତହସିଲଦାର । ତେବେ ନିର୍ଦ୍ଦେଶ ନମାନି ବାଲି ଲୋଡ୍ ଗାଡିକୁ ତୀବ୍ର ଗତିରେ ନେଇ ଫେରାର ହୋଇଯାଇଥିଲେ ମାଫିଆ । ଏପରିକି ତହସିଲଦାରଙ୍କ ଉପରେ ଚଢାଇ ନେବାକୁ ଉଦ୍ୟମ ବି କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଟ୍ରାକ୍ଟରକୁ ସିଜ୍ କରିଛି । ହେଲେ ଫେରାର ହୋଇଯାଇଛି ଅଭିଯୁକ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)