• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିର ମିଶନ୍ ପଶ୍ଚିମ । ୧୯ ଲୋକସଭା ଇଲେକ୍ସନରେ ପଶ୍ଚିମ ଓଡ଼ିଶାର ୫ ରୁ ୫ ସିଟ୍ ପଦ୍ମ ଖାତାକୁ ଯିବା ପରେ ଏହି ଇଲାକା ପାଇଁ ସ୍ୱତନ୍ତ୍ର ବ୍ଳୁ-ପ୍ରିଣ୍ଟ ସହ ଆଗକୁ ବଢୁଛି ବିଜେଡି । ଯାହାର ସାନି ଉଦାହରଣ ହେଉଛି, ନୂଆ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାର ୭ ଜଣ ସ୍ଥାନ ପାଇବା, ତା ପୁଣି ଓଜନିଆ ବିଭାଗ ସହିତ ଡେପୁଟି ଚିଫ୍ ହ୍ୱିପ୍ ପଦବୀ ବି ପଶ୍ଚିମ ଓଡ଼ିଶାକୁ ମିଳିଛି । ଏହାସହ ନିରଂଜନ ବିଶିଙ୍କୁ ପଠାଯାଇଛି ରାଜ୍ୟସଭା । ତେବେ ଏସବୁ ଭିତରେ ଦଳ ପ୍ରତିଷ୍ଠା ଦିନରୁ ସାଥିରେ ଥିବା ଓ ଦବ୍‌ଦବାବା ରଖିଥିବା କିଛି ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି ।

ନିରଂଜନ ପୂଜାରୀ , ପ୍ରଦୀପ ଅମାତ, ନବ ଦାସ,  ଟୁକୁନି ସାହୁ, ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ ଓ ରୀତା ସାହୁ ନବୀନଙ୍କ ଟିମ୍‌ରେ ପଶ୍ଚିମ ଓଡ଼ିଶାରୁ ସାତ ସାତ ଜଣ ମନ୍ତ୍ରୀ । ଅର୍ଥ, ସଂସଦୀୟ ବ୍ୟାପର,  ପଂଚାୟତିରାଜ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଜଳସଂପଦ ଓ ଉଚ୍ଚଶିକ୍ଷା ଭଳି ଓଜନଦାର ବିଭାଗ ବି ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୯ରେ ପଶ୍ଚିମ ଓଡ଼ିଶାରୁ ବିଜେଡି ୨୩ ଜଣ ବିଧାୟକ ଜିତିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ମିଳିଛି ମନ୍ତ୍ରୀ ପଦ । ଖାଲି ସେତିକି ନୁହେଁ ସରକାରୀ ଦଳ ଉପମୁଖ୍ୟ ସଚେତକ ପଦ ବି ଯାଇଛି ପଶ୍ଚିମ ଓଡ଼ିଶାକୁ ।

ଅନ୍ୟପକ୍ଷରେ ଆଦିବାସୀ ଚେହେରା ଭାବେ ପରିଚିତ ନିରଂଜନ ବିଶିଙ୍କୁ ଦଳ ଏବେ ଏବେ ରାଜ୍ୟସଭାକୁ ପଠାଇଥିବା ବେଳେ ପୂର୍ବରୁ ସୁଜିତ କୁମାରଙ୍କୁ ପଠାଯାଇଥିଲା । ଏମିତିକି ୨୦୧୯ ନିର୍ବାଚନରେ ଖୋଦ୍ ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ।

ବଡ଼ ପ୍ରଶ୍ନ ହେଉଛି ପଶ୍ଚିମ ଓଡ଼ିଶାକୁ କାହିଁକି ବିଜେଡିର ଏତେ ଫୋକସ୍ ? କଣ ଏହା ପଛର କାରଣ ? କୁହାଯାଉଛି ବିଜେପିକୁ ଚେକ୍ ଦେବାକୁ ବିଜେଡିର ଏହା ଏକ ସୁଚିନ୍ତିତ ଷ୍ଟ୍ରାଟେଜି । କାହିଁକି ନା ପଶ୍ଚିମ ଓଡ଼ିଶାରେ ବିଜେପିର ସଙ୍ଗଠନ ବେଶ ମଜଭୁତ୍ । ଏଠାରେ ଦଳର କୋର୍ ଭୋଟ୍ ବି ରହିଛି । ଯେଉଁଥିପାଇଁ ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ରୁ ୫ଟି ଲୋକସଭା ସିଟ୍ ଓ ୮ଟି ବିଧାନସଭା ସିଟ୍ ଅକ୍ତିଆର୍ କରିଥିଲା ବିଜେପି ।

ସେପଟେ କଂଗ୍ରେସ୍ ବି ପଶ୍ଚିମ ଓଡ଼ିଶାକୁ ଫୋକସ୍ କରୁଛି । ହାତ ଦଳର ହେଭିୱେଟ୍ ନେତାମାନେ ବି ପଶ୍ଚିମ ଓଡ଼ିଶାରୁ ଆସୁଛନ୍ତି । ଆଉ ଏବେ ଶରତ ପଟ୍ଟନାୟକ ପିସିସି ମୁଖିଆ ହୋଇଛନ୍ତି । ଏସବୁ ଭିତରେ ପଶ୍ଚିମ ଓଡ଼ିଶା ଉପରେ ବିଜେଡିର ଫୋକସ୍‌କୁ ନେଇ ବୟାନବାଜି କରିଛନ୍ତି ୩ ରାଜନୈତିକ ଦଳ ।

ସେପଟେ କିନ୍ତୁ ପଶ୍ଚିମ ଓଡ଼ିଶାରେ ବିଜେଡିର ପୁରୁଖା ନେତାଙ୍କୁ ଉପେକ୍ଷା କରଯାଉଥିବା ଚର୍ଚ୍ଚା ହେଉଛି । ଦଳ ଗଠନରେ ପ୍ରମୁଖ ଭୂମିକା ଥିବା ଅନଙ୍ଗ ଉଦୟ ସିଂଦଦେଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାରଙ୍କୁ ଆଗଭଳି ଆଉ ଗୁରୁତ୍ୱ ମିଳୁନଥିବା କୁହାଯାଉଛି । ବଲାଙ୍ଗିର ଲୋକସଭା ସିଟ୍‌ରେ କଳିକେଶ ସିଂହଦେଓ ଓ କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ ହାରିଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉଭୟଙ୍କୁ କେଉଁଠି ବି ଥଇଥାନ କରାଯାଇ ନାହିଁ ।

ଠିକ୍ ସେହିଭଳି ଦେବେଶ ଆଚାର୍ଯ୍ୟ ଦୁଇଥର ବିଧାୟକ ହେଲା ପରେ ବି ତାଙ୍କୁ କୌଣସି ବଡ଼ ପଦ ପଦବୀ ମଳିନାହିଁ । ସେହିପରି ପଶ୍ଚିମ ଓଡ଼ିଶାର ବଡ଼ ଜିଲ୍ଲା ସୁନ୍ଦରଗଡ଼ରୁ ମଧ୍ୟ କାହାରିକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିନାହିଁ । ବିଧାୟକ ସାରଦା ନାୟକ ଓ ସୁବ୍ରତ ତରାଇଙ୍କୁ ବି ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳି ନଥିବାରୁ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଗତ ପଂଚାୟତ ଓ ପୌର ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା । ତେବେ ୨୪ରେ ଏହି ଷ୍ଟ୍ରାଟେଜି କେତେ କାମ ଦେଉଛି ତା ଉପରେ ନଜର ରହିବ ।