• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଲି ବିସ୍ଫୋରକ ବୟାନ । ହେଲେ ଆଜି ୟୁ-ଟର୍ଣ୍ଣ । ଖାଲି ସେତିକି ନୁହେଁ ଏଣେ କଥା ବଦଳାଇ ତେଣେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବି ମାଗିଛନ୍ତି ୧୫ ଦିନିଆ ଛୁଟି । ନିଶା ବେପାରୀଙ୍କଠୁ ବଟି ନେଉଛି ପୁରୀ ପୋଲିସ୍ । ପ୍ରଥମେ କମିଶନରଙ୍କୁ ଏସମ୍ପର୍କିତ ଚିଠି ଦେଇ ପରେ ଖୋଲାଖୋଲି ଗଣମାଧ୍ୟମ ଆଗରେ ବିଷୋଦଗାର କରି ହଇଚଇ ସୃଷ୍ଟି କରିଥିବା ଜିଲ୍ଲା ଅବକାରୀ ଇନିସପେକ୍ଟର ସଞ୍ଜୟ ପଣ୍ଡା ଆଜି କିନ୍ତୁ ପୁରା ପଲଟି ଯାଇଛନ୍ତି ।

ଏଥର ଆଉ ମିଡିଆ ଆଗରେ ନୁହେଁ ବରଂ ଭିଡ଼ିଓ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି । ସେଥିରେ କହିଛନ୍ତି ‘ପୋଲିସ୍ ବହୁତ ଭଲ କାମ କରୁଛି, ମୁଁ ଅଧୀକ୍ଷକଙ୍କୁ ବହୁତ ସମ୍ମାନ ଦିଏ, ଯେହେତୁ ମୁଁ ଜଣେ ମାନସିକ ରୋଗୀ, ୨୦୨୦ରେ କରୋନା ହେବାଠୁ ମାନସିକ ଅବସାଦରେ ଥିଲି, ତେଣୁ ପାଟିରୁ ଭୁଲରେ ଏସବୁ ବାହାରି ଯାଇଛି । ମୋତେ କ୍ଷମା କରାଯାଉ ।

ତାସହ ଆଗାମୀ ୧୫ ଦିନ ପାଇଁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ପାଖରେ ଛୁଟି ଆବେଦନ ବି କରିଛନ୍ତି ସଞ୍ଜୟ । ଯେଉଁଥିରେ ସେ ମାନସିକ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ଛୁଟି ମାଗିଥିବା ଲେଖିଥିବାର ସୂଚନା ଦେଇଛନ୍ତି ପୁରୀ ଅବକାରୀ ଅଧିକ୍ଷକ । ଖାଲି ସେ  ନୁହଁନ୍ତି, ସଂଜୟଙ୍କ ପତ୍ନୀ ବି ସୋସିଆଲ୍ ମିଡିଆରେ ଏକ ଭିଡ଼ିଓ ଛାଡି କହିଛନ୍ତି, ତାଙ୍କ ସ୍ୱାମୀ ମାନସିକ ରୋଗୀ । କିଛି ଦିନ ହେଲା ଔଷଧ ଖାଇବା ଛାଡ଼ି ଦେଇଛନ୍ତି । ଏବେ ଯେଉଁଭଳି ଗରମ ପଡ଼ିଛି ଓ ଅତ୍ୟଧିକ କାମ ଚାପରୁ ତାଙ୍କ ମୁଣ୍ଡ ଟିକେ ଗଡ଼ବଡ଼ ଧରୁଛି ।

ତେବେ ସଂଜୟଙ୍କ ଆଜିର ଭିଡ଼ିଓ ପରେ ଉଠିଛି ଅନେକ ଅସମାହିତ ପ୍ରଶ୍ନ । ମାତ୍ର ୨୪ ଘଣ୍ଟା ତଳେ ଯିଏ ପୋଲିସ୍ ବିଭାଗକୁ ଘାଇଁ ଘାଇଁ ଆଟାକ୍ କରୁଥିଲେ, ଆଜି ହଠାତ୍ ବଦଳିଗଲେ କେମିତି ? କାଲି ଗଣମାଧ୍ୟମ ଆଗରେ ବିଷୋଦ୍‌ଗାର କରୁଥିଲେ, ଆଜି ଭିଡ଼ିଓ ଛାଡ଼ି ମୁଣ୍ଡରୁ ଦୋଷ ଛଡ଼େଇବାକୁ ଏତେ ବ୍ୟଗ୍ର କାହିଁକି ? ୟା ପଛରେ ତାଙ୍କ ଅବକାରୀ ବିଭାଗ ନା ପୋଲିସ ବିଭାଗର ଚାପ ପଡିଲା ?

ଏଥିସହ ଆହୁରି ପ୍ରଶ୍ନ- ଯଦି ସଂଜୟ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା କଥା ଅବକାରୀ ବିଭାଗ ଜାଣିଥିଲା, ତାହାଲେ ପୁରୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ତାଙ୍କୁ ଇନ୍ସପେକ୍ଟର ଦାୟିତ୍ୱ ଦେଇଥିଲା କେମିତି ? ସାଧାରଣ ଜନତା, ବୁଦ୍ଧିଜୀବୀ ପୁରା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ନିଶାମୁକ୍ତି ଅଭିଯାନର କାର୍ମକର୍ତ୍ତା କହିଛନ୍ତି, ସଂଜୟ ଆଦୌ କିଛି ଭୁଲ୍ କହିନାହାନ୍ତି । ସତ ସାମ୍ନାକୁ ଆସିବା ପରେ ଏହାକୁ ଢାଙ୍କିବାକୁ ତାଙ୍କ ଉପରେ ପୋଲିସ୍ ଓ ଅବକାରୀ ବିଭାଗ ଚାପ ପକାଇଛି ।